‘ସମାଜ’ ର ପ୍ରଭାବ : ମୁଖଗହ୍ୱର କର୍କଟ ରୋଗୀ ତୁଳସୀର ଦୁଃଖ ବୁଝିଲେ ସରକାର

ବିଏସକେୱାଇ ଯୋଜନାରେ ଚିକିତ୍ସିତ ହେବ ତୁଳସୀ, ଟ୍ୱିଟ ମାଧ୍ୟମରେ ସୂଚନା ଦେଲା ବିଭାଗ

ବଲାଙ୍ଗିର : ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ଜେନତରା ଗାଁର ଦୁଇ ବର୍ଷର ଝିଅ ତୁଳସୀ ମୁଖଗହ୍ୱର କର୍କଟ ରୋଗରେ ପୀଡିତ ଥିବାବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ଏନେଇ ପରିବାର ଲୋକ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ତୁଳସୀଙ୍କ ସମସ୍ୟା ଓ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା । ପ୍ରଶାସନ ସହାୟତା ପାଇଁ ପ୍ରତିଶୃତି ଦେଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ତୁଳସୀର ମାଗଣା ଚିକିତ୍ସା କରିବାର ବ୍ୟବସ୍ଥା କରାଯାଇଥିବା ଟ୍ୱିଟରରୁ ଜଣାପଡିଛି ।

ସୂଚନାଯୋଗ୍ୟ,  ମୁରିବାହାଲ ବ୍ଲକ ଜେନତରା ଗାଁର ସୁଭଦ୍ର ମାଝି ଓ ସୁରୁବାଲୀ ମାଝିଙ୍କ ଦୁଇ ବର୍ଷର କନ୍ୟା ସନ୍ତାନ ତୁଳସୀ ମାଝି । ତୁଳସୀ ଗୋଟିଏ ବର୍ଷ ତଳେ ମୁଖ ଗହ୍ୱର କର୍କଟ ରୋଗର ଶୀକାର ହୋଇଥିଲେ । ଏହା ଜଣାପଡିବା ପରେ ସୁଭଦ୍ର ଟଙ୍କା ଯୋଗାଡ କରି ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ । ତୁଳସୀଙ୍କ ଚିକିତ୍ସା ପାଇଁ ଆହୁରି ବହୁ ପରିମାଣର ଟଙ୍କା ଆବଶ୍ୟକ ଥିବା ବେଳେ ଅର୍ଥାଭାବ ଚିକିତ୍ସାରେ ବାଧକ ସାଜିଛି । ଏନେଇ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ତୁଳସୀ ଓ ତାଙ୍କ ପରିବାର । ପ୍ରଶାସନ ପକ୍ଷରୁ ସହାୟତା ଦେବା ପାଇଁ ପ୍ରତିଶୃତି ମିଲିଥିଲା । ତେବେ ଏନେଇ ଗତ ୧୧ ତାରିଖରେ ସମାଜ ରେ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ ଟ୍ୱିଟର ମାଧ୍ୟମରେ ଜଣେ ଯୁବକ ରାଜ୍ୟ ସରକାରଙ୍କୁ ସହାୟତା ନିବେଦନ କରିଥିଲେ । ତେବେ ଏହି ଟ୍ୱିଟର ପ୍ରତ୍ୟତ୍ତରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁଳସୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସୂଚନା​‌ ମିଳିଛି । ଏହି ଟ୍ୱିଟରେ ସରକାର ଜଣାଇଛନ୍ତି ଯେ, କଟକରେ ଥିବା ଆଚାର୍ଯ୍ୟ ହରିହର ଡାକ୍ତରଖାନାରେ ସ୍ୱାସ୍ଥ୍ୟପରୀକ୍ଷା ଓ ଆବଶ୍ୟକ ଚିକିତ୍ସା କରାଯିବ। ଯଦି ଘରୋଇ ଡାକ୍ତରଖାନାରେ ମାଗଣା ଚିକିତ୍ସା କରିବା ପାଇଁ ଚାହାଁନ୍ତି, ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆବଶ୍ୟକ କାଗଜପତ୍ର ଦାଖଲ କରି ଚିକିତ୍ସା କରାଇ ପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.