କର୍କଟ ରୋଗରେ ଆକ୍ରାନ୍ତ କୃଷ୍ଣ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଲମ୍ବତା ସାହିର ସୀତା ପ୍ରଧାନୀଙ୍କ ସାନ ପୁଅ କୃଷ୍ଣ ଚନ୍ଦ୍ର ପ୍ରଧାନୀ(ସାନବାବୁ) କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କୃଷ୍ଣଙ୍କ ପରିବାର କହିଲେ ୩ପୁଅ, ଗୋଟିଏ ଝିଅ, ସ୍ତ୍ରୀ, ବୁଢାବୁଢି ବାପା ମାଆ ପ୍ରାୟ ୭ ପ୍ରାଣୀ ରହୁଛନ୍ତି । ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ କୃଷ୍ଣ ଲୋକଙ୍କ ପାଖରେ ରହି କାମକରି ଯେଉଁ ଟଙ୍କା ଆଣୁଥିଲେ ସେହି ଟଙ୍କାରେ ବାପା ମାଆ ୫୦୦ ଟଙ୍କା ଲେଖାଏଁ ପାଉଥିବା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମିଶାଇ ପରିବାର ଭରଣ ପୋଷଣ କରିଆସୁଥିଲେ । ବର୍ତ୍ତମାନ କୃଷ୍ଣ କିଛି ମାସ ହେବ ଦେହ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ସମସ୍ତ ପରୀକ୍ଷା କରିବା ପରେ କୌଣସି ରୋଗ ବିଷୟରେ ଜଣା ନ ପଡିବାରୁ ତାକୁ ଜିଲା ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ସେଠାରେ ପୁଣି କୃଷ୍ଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲା । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ବିଶାଖାପାଟଣାକୁ ପଠାଇ ଦେଇଥିଲେ । ଏହି ପରିବାର ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ପାଇକ ସମାଜ ପକ୍ଷରୁ ୧୨ ହଜାର ଓ ଲମ୍ବତା ସାହିରୁ ପ୍ରାୟ ୨୫ ହଜାର ଟଙ୍କା ଆଦାୟ କରି ଚିକିତ୍ସା ପାଇଁ ଦେଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫ ଲକ୍ଷ ସହାୟତା ପାଇବା ପରେ ବି ଆହୁରି ଅଧିକା ଟଙ୍କା ଆବଶ୍ୟକ ପଡ଼ିଥିବାରୁ ସେ ସେଠାରୁ ଘରକୁ ଫେରି ଆସିଥିଲେ । ବର୍ତ୍ତମାନ ବୃଦ୍ଧା ବୃଦ୍ଧିଙ୍କ ଉପରେ ରୋଜଗାରିଆ ପୁଅ ବୋଝ ହୋଇ ରହିଛି । ବାପା ମାଆଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରେ ଘର ଚଳାଇବେ ନା ପୁଅର ଚିକିତ୍ସା କରିବେ ତାହାକୁ ନେଇ ଚିନ୍ତାରେ ପରିବାର ଲୋକେ । ବିଶାଖାପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରୁ ପ୍ରାୟ ୨ କି ୩ ମାସ ବ୍ୟବଧାନରେ ମାଗଣାରେ କେମୋ ଦେଇ ଆଣିଥାନ୍ତି । ବର୍ତ୍ତମାନ କୃଷ୍ଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

Comments are closed.