କ୍ୟାନସର ହସପିଟାଲ – ପ୍ରତିନିଧି ଦଳର ବରଗଡ଼ ଜିଲ୍ଳା ଗସ୍ତ

ବରଗଡ଼: ବରଗଡ଼ରେ କ୍ୟାନସର ହସପିଟାଲ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ କରିବାକୁ ଦୁଇ ଜଣିଆ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଜିଲ୍ଳା ଗସ୍ତ କରିଛନ୍ତି। କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ ଡ଼ାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଏବଂ ଡ଼ାକ୍ତର ଦିନେଶ ପେଣ୍ଢାରକର ଆଜି ପୂର୍ବାହ୍ନରେ ବରଗଡ଼ ପହଞ୍ଚି ଟୁକୁର୍ଲାସ୍ଥିତ ନୂତନ ଜିଲ୍ଳା ମୁଖ୍ୟ ଚିକିତ୍ସାକେନ୍ଦ୍ର ପରିସର ବୁଲି ଦେଖିଛନ୍ତି। ବରଗଡ଼ ଜିଲ୍ଳାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ସେମାନଙ୍କୁ ହସପିଟାଲ ପରିସର ବୁଲାଇ ଦେଖିଥିଲେ। ନୂତନ ଜିଲ୍ଳା ମୁଖ୍ୟ ଡ଼ାକ୍ତରଖାନା ପରିସରରେ ରେଡ଼ିଓ ଥେରାପୀ, କେମୋଥେରାପି ମେସିନ୍‍ ଆଦି ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି।

ସେଠାରେ କ୍ୟାନସର ହସପିଟାଲ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ଭିତିଭୂମୀ ରହିଛି ଏବଂ ପ୍ରଥମେ କ୍ୟାନସର ରୋଗୀଙ୍କ ପାଇଁ ୫୦ ଶଯ୍ୟା ବିଶିଷ୍ଟ ଏକ ଡ଼ାକ୍ତରଖାନା ହୋଇପାରିବ ବୋଲି ଡ଼ାକ୍ତର ଷଡ଼ଙ୍ଗୀ କହିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁୟାରୀ ୨୧ ତାରିଖ ଦିନ ଟୁକୁର୍ଲାଠାରେ ନୂତନ ଜିଲ୍ଳା ମୁଖ୍ୟ ଡ଼ାକ୍ତରଖାନା ଉଦଘାଟନ କରିଥିବା ବେଳେ ବରଗଡ଼ରେ ଏକ କ୍ୟାନସର ହସପିଟାଲ ହେବ ବୋଲି ଘୋଷଣା କରିଥିଲେ।

Comments are closed.