ଦୀର୍ଘଦିନର ଦାବି ପରେ ନାଳ ସଫେଇ ହେଲା

ଆଠଗଡ: ଆଠଗଡ ସହରର ୧୪ନଂ ୱାର୍ଡ ଅନ୍ତର୍ଗତ ପୁରୁଣା ଷ୍ଟେଟବ୍ୟାଙ୍କ ଛକଠାରୁ ଝରଣ ଛକ ପର୍ଯ୍ୟନ୍ତ ନାଳଟି ଦୀର୍ଘଦିନ ହେବ ପୋତିହୋଇ ପଡିଥିଲା। ଫଳରେ ଜଳ ନିଷ୍କାସନ ହୋଇନପାରି ସେଠାରେ ଏକ ପୁତିମୟ ପରିବେଶ ସୃଷ୍ଟି ହେବା ଦ୍ୱାରା ସ୍ଥାନୀୟ ଅଧିବାସୀ ଅତିଷ୍ଟ ହୋଇପଡିଥିଲେ। ଦୀର୍ଘଦିନ ହେବ ଆଠଗଡ ଉପଜିଲ୍ଲାପାଳଙ୍କଠାରୁ ଆରମ୍ଭକରି ଏନଏସି କର୍ତ୍ତୃପକ୍ଷଙ୍କ ନିକଟରେ ଏ ସଂପର୍କରେ ଅଭିଯୋଗକରି ସ୍ଥାନୀୟ ଅଞ୍ଚଳବାସୀ ପୋତିହୋଇ ପଡିଥିବା ଉକ୍ତ ନାଳକୁ ଖୋଳିବା ସହ କଂକ୍ରିଟ ନାଳରେ ପରିଣତ କରିବା ପାଇଁ ଦାବି କରିଆସୁଥିଲେ। ସଅରସାହି ଛକ ନିକଟରେ ଏକ ଟ୍ୟାପରୁ ଅବିରତ ପାଣି ବୋହିବା, ସେଠାରେ ବହୁ ଲୋକ ଗାଧୋଇବା ଏବଂ ଏପରିକି କିଛି ଲୋକ ନିଜର ଶୌଚାଳୟର ଦୁଷିତ ପାଣି ଉକ୍ତ ନାଳକୁ ଛାଡିଥାନ୍ତି। ଉକ୍ତ ନାଳଟି ସଅରସାହିକୁ ଯିବା ରାସ୍ତାର ପୋଲ ତଳେ ପୋତି ହୋଇପଡିବା ସହ ସେହିଠାରୁ ଝରଣଛକ ପର୍ଯ୍ୟନ୍ତ ନାଳକୁ କିଛି ଲୋକ ଜବର ଦଖଲ କରିବା ହେତୁ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେଉଛି।

ନିକଟରେ କେତେକ ସ୍ଥାନୀୟ ଅଧିବାସୀ ଓ ଗଣମାଧ୍ୟମ ପ୍ରତିନିଧି ଏ ସଂପର୍କରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଏବଂ ପ୍ରଶାସକ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଏନଏସିର ସାନିଟେସନ ସୁପରଭାଇଜର ଲଲାଟେନ୍ଦୁ ବେହେରା ଓ ସଫେଇ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥାର ପରିଚାଳକ ସରସୀ ରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫେଇ କର୍ମଚାରୀମାନେ ବହୁ କଷ୍ଟ ସ୍ୱୀକାର କରି ପୋତି ହୋଇ ଯାଇଥିବା ଉକ୍ତ ନାଳକୁ ସଫେଇ କରିଥିଲେ। ତେବେ କିଛି ନ୍ୟସ୍ତସ୍ୱାର୍ଥ ଲୋକ ନାଳକୁ ଜବରଦଖଲ କରି ପୋତି ଦେଇଥିବାରୁ ଝରଣ ଛକ ପର୍ଯ୍ୟନ୍ତ ନାଳଟି ଖୋଳା ହୋଇ ନପାରିବାରୁ ଜଳ ନିଷ୍କାସନ ସମସ୍ୟା ସଂପୂର୍ଣ୍ଣ ଭାବେ ସମାଧାନ ହୋଇପାରି ନାହିଁ। ସେଠାରେ ଜବରଦଖଲ ଉଚ୍ଚେଦ କରି ସ୍ଥାୟୀ କଂକ୍ରିଟ ନାଳ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.