ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ସରଗରମ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସକାଶେ ଆଉ ମାତ୍ର ଗୋଟିଏ ଦିନ ସମୟ ବାକିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତାମାନେ ଭୋଟରମାନଙ୍କୁ ଆତ୍କୃଷ୍ଟ କରିବା ଲାଗି ଜୋରସୋର ଉଦ୍ୟମ ଚଳାଇଛନ୍ତି। ଏହି ପର୍ଯ୍ୟାୟରେ ଆସନ୍ତା ଶନିବାର ଦିନ ୨୦ଟି ନିର୍ବାଚନ ମଣ୍ଡଳୀରେ ଭୋଟ ନିଆଯିବ। ଭୋଟ ନିଆଯାଉଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ପୂର୍ବ ସିଂହଭୂମ୍‍, ପଶ୍ଚିମ ସିଂହଭୂମ୍‍, ସଢ଼େଇକଳା, ଖରସୁଆଁ, ରାଞ୍ଚି, ଖୁଣ୍ଟି, ଗୁମଲା ଓ ସିମଡେଗା ଜିଲ୍ଲା ରହିଛି। ମନ୍ଦରଠାରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା କହିଛନ୍ତି, ତାଙ୍କ ପାର୍ଟି ଝାଡ଼ଖଣ୍ଡରେ ସରକାରରେ ଅସ୍ଥିରତାର ଯୁଗର ଅବସାନ ଘଟାଇଛି ଓ ରାଜ୍ୟକୁ ଏକ ସ୍ଥିର ତଥା ଦୁର୍ନୀତିମୁକ୍ତ ସରକାର ଦେଇଛି।

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କାଙ୍କେଠାରେ ଏକ ନିର୍ବାଚନ ସଭାରେ ଉଦ୍‍ବୋଧନ ଦେଇଛନ୍ତି। କଂଗ୍ରେସ ପାର୍ଟି ଦାରିଦ୍ର୍ୟ ଦୂରିକରଣ ନାମରେ ଲୋକମାନଙ୍କୁ ଭୁଆଁ ବୁଲାଉଥିବା ସେ ଦୋଷାରୋପ କରିଛନ୍ତି। ଅଖିଳ ଝାଡ଼ଖଣ୍ଡ ଛାତ୍ରସଂଘ ପାର୍ଟି ମୁଖ୍ୟ ସୁଦେଶ ମାହତୋ ମନ୍ଦିର ଓ ଜୁଗସଲାଇଠାରେ ନିର୍ବାଚନ ର‍୍ୟାଲିଗୁଡ଼ିକରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ପାର୍ଟି ଝାଡ଼ଖଣ୍ଡର ଆତ୍ମସମ୍ମାନ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ମୁଖ୍ୟ ଶିବୁ ସୋରେନ୍‍, ପାର୍ଟି ନେତା ହେମନ୍ତ ସୋରେନ୍‍, କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ଓ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ସଭାପତି ବାବୁଲାଲ ମରାଣ୍ଡି ମଧ୍ୟ ବିଭିନ୍ନ ନିର୍ବାଚନ ସଭାରେ ଉଦବୋଧନ ଦେଇଛନ୍ତି।

Comments are closed.