ସରିଲା ପ୍ରଚାର ; ବଢ଼ିଲା ନେତାଙ୍କ ‘ହାର୍ଟ ବିଟ୍’

ଭୁବନେଶ୍ବର : ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି; ହେଲେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମନ ବୁଝୁନାହିଁ। ନିର୍ବାଚନର ଘଡ଼ି ଯେତିକି ଟିକ୍ ଟିକ୍ କରୁଛି, ନେତାଙ୍କ ହୃତ୍‌ସ୍ପନ୍ଦନ (ହାର୍ଟ ବିଟ୍) ସେତିକି ବଢ଼ି ଚାଲିଛି। ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ସୁଯୋଗ ଖୋଜିବା ଆରମ୍ଭ କରିଦେଇଛନ୍ତି ତେନା ଓ କର୍ମୀ। ସେମାନଙ୍କ ସପକ୍ଷରେ କିଭଳି ଅଧିକ ଭୋଟ ପଡିବ ସେଥିପାଇଁ ସେମାନେ ବିଭିନ୍ନ ଉପାୟରେ ଭୋଟରଙ୍କୁ ନିଜ ଆଡ଼କୁ ଢଳାଇବାକୁ ଚେଷ୍ଟା ଚଳାଇଛନ୍ତି। ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହେବା ପରେ ଏବେ ଗାଁରୁ ଗାଁକୁ ମୋଟରସାଇକଲ ଓ କାର୍‌ରେ ଦଳୀୟ କର୍ମୀଙ୍କ ଯିବାଆସିବା ଆରମ୍ଭ ହୋଇଯାଇଛି। ଆଦର୍ଶ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିଲେ ମଧ୍ୟ ଏହାକୁ ଖାତିର ନ କରି ପ୍ରତି ଗାଁରେ ଥିବା ଏଜେଣ୍ଟଙ୍କ ମାଧ୍ୟମରେ ଭୋଟରଙ୍କୁ ନିଜ ଆଡ଼କୁ ଆଣିବାପାଇଁ କି ପ୍ରକାର ବ୍ୟବସ୍ଥା କରାଯିବା ଦରକାର ସେନେଇ ସବୁଦଳୀୟ ପ୍ରାର୍ଥୀ ଲାଗି ପଡିଛନ୍ତି।
ଅନ୍ୟପକ୍ଷରେ ନେତା ଓ କର୍ମୀଙ୍କ ଦ୍ବାରା ହେବାକୁ ଥିବା ଅସାଧୁ ଉପାୟ ରୋକିବା ପାଇଁ ନିର୍ବାଚନ ଆ​‌େୟାଗଙ୍କ ନିର୍ଦେଶକ୍ରମେ ଏକ୍ସାଇଜ୍ ଓ ଫ୍ଲାଇଂ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ପଇନ୍ତରା ମାରୁଛନ୍ତି। ଇତିମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୧୭ଟି ଚଢ଼ଉ କରାଯାଇ ୯କୋଟିରୁ ଅଧିକ ଟଙ୍କା ଜବତ କରାଯାଇସାରିଲାଣି। ଆଜି କେତେକ ପ୍ରାର୍ଥୀ ସେମାନଙ୍କ ନିକଟ ସମ୍ପର୍କୀୟଙ୍କଠାରୁ ଟଙ୍କା ନେଣଦେଣ ବେଳେ ଧରିପଡିଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜଣାଯାଇଛି। ତେବେ ଏହି ଟଙ୍କା କାରବାର ବେଳେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଫ୍ଲାଇଂ ସ୍କ୍ବାଡ୍‌ ଚଢ଼ଉ କରି ୧କୋଟିରୁ ଅଧିକ ଟଙ୍କା ଜବତ କରିଥିବାବେଳେ କୃଷ୍ଣପ୍ରସାଦରୁ ୧୫ଲକ୍ଷ ଟଙ୍କା ଜବତ ହୋଇଛି। ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଶତାଧିକ ଟନ୍ ମଦ ଜବତ ହୋଇଛି। ତୃତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଲୋକସଭା ନିର୍ବାଚନମଣ୍ଡଳୀ କ୍ଷେତ୍ରଗୁଡିକରେ ଆଜିଠାରୁ ମଦ ଦୋକାନକୁ ବନ୍ଦ କରାଯାଇଛି।
ସୂଚନା ଅନୁଯାୟୀ ରାଜ୍ୟରେ ଚଳିତ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ କେନ୍ଦ୍ରରୁ ୬ଜଣ ପ୍ରଶାସନିକ ଅଧିକାରୀ ପର୍ଯ୍ୟବେକ୍ଷକ ଭାବେ ଆସିଥିବାବେଳେ ୬ଜଣ ଆଇଏଏସ୍ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ଆଇନଶୃଙ୍ଖଳା କ୍ଷେତ୍ରରେ ସହଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୬ଜଣ ଆଇପିଏସ ଅଧିକାରୀଙ୍କ ଜରିଆରେ ସ୍କ୍ବାଡ୍‌ ଟିମ୍ ଗଠନ କରାଯାଇ ସହାୟତା ଯୋଗାଇ ଦିଆଯିବ। ଅସାଧୁ ନେତାଙ୍କ ଅର୍ଥ କାରବାର ଉପରେ ଫ୍ଲାଇଂ ସ୍କ୍ବାଡ୍‌ ତୀକ୍ଷ୍‌ଣ ନଜର ରଖିଛି।

Comments are closed.