କ୍ୟାଲେଣ୍ଡର କାହାଣୀ

ନୂଆବର୍ଷ ଆସିଲେ କ୍ୟାଲେଣ୍ଡର ଆଗ ଲୋଡା ହୁଏ। ନୂଆ କ୍ୟାଲେଣ୍ଡରର ସୁଗନ୍ଧ ନୂଆବର୍ଷକୁ ଅଧିକ ସତେଜ କରିଦେଇଛି। କ୍ୟାଲେଣ୍ଡରରେ ବର୍ଷର ବୟସ ବଢିବା ସହ ସାମ୍‍ନାକୁ ଆସିଛି ନୂଆ ସମୟର ଆହ୍ୱାନ। ମଣିଷର ଜୀବନଯାତ୍ରାରେ ଯୋଡି ହୋଇଯାଇଛି ଆଉ ଏକ ନୂଆଫର୍ଦ। ତେବେ କ୍ୟାଲେଣ୍ଡର ନିଜ କାହାଣୀ ସମ୍ପର୍କରେ କ’ଣ କହେ-

ନୂଆବର୍ଷ ପାଳନର ପରମ୍ପରା ପ୍ରାୟ ଚାରିହଜାର ବର୍ଷ ପୁରୁଣା ବୋଲି କୁହାଯାଏ। ଐତିହାସିକଙ୍କ ମତରେ, ମାର୍ଚ୍ଚ ୨୧ତାରିଖ ଦିନ ବେବିଲୋନଠାରେ ନୂଆବର୍ଷ ପାଳନର ପରମ୍ପରା ଆରମ୍ଭ ହୋଇଥିଲା। ରୋମ୍‍ର ପ୍ରସିଦ୍ଧ ସମ୍ରାଟ ଜୁଲିୟସ ସିଜର ଖ୍ରୀ.ପୂ. ୪୫ରେ ଜୁଲିଆନ୍‌ କ୍ୟାଲେଣ୍ଡର ପ୍ରତିଷ୍ଠା କଲେ। ଏହି କ୍ୟାଲେଣ୍ଡର ଅନୁସାରେ ସେ ଜାନୁଆରୀ ପହିଲା ଦିନ ନୂଆବର୍ଷ ପାଳନ କରିବାକୁ ନିର୍ଦେଶ ଦେଇଥିଲେ। ଅବଶ୍ୟ ଏହି କ୍ୟାଲେଣ୍ଡରରେ କିଛି ତ୍ରୁଟି ଯୋଗୁ ପୋପ୍‌ ଗ୍ରେଗୋରୀ ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ। ବିଶ୍ୱରେ ଏବେ ଯେଉଁ କ୍ୟାଲେଣ୍ଡର ଅନୁସରଣ କରାଯାଉଛି, ତାକୁ ପୋପ୍‍ ଗ୍ରେଗୋରୀ ଅଷ୍ଟମ ୧୫୮୨ରେ ପ୍ରସ୍ତୁତ କରିଥିଲେ। ଏଥିରେ ସେ ଅଧିବର୍ଷ ବା ଲିପ୍‍ ଇୟର ମଧ୍ୟ ରଖିଲେ। ଏହା ଜୁଲିଆନ୍‌ କ୍ୟାଲେଣ୍ଡରର ରୂପାନ୍ତରଣ ବୋଲି କୁହାଯାଏ। ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର ଗ୍ରହଣ କରାଯିବା ସମୟରେ ବ୍ରିଟିଶମାନଙ୍କର ରାଜୁତି ଚାଲିଥିଲା। ୧୭୫୨ରେ ବ୍ରିଟେନ୍‌ ଏହି କ୍ୟାଲେଣ୍ଡର ସ୍ବୀକାର କରିଥିଲା ଏବଂ ଯେଉଁଠାରେ ବ୍ରିଟିଶ ଉପନିବେଶ ଥିଲା, ସେଠାରେ ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର ପ୍ରଚଳନ କରାଇଲା। ଏହି ଅନୁସାରେ ଭାରତ ବାଧ୍ୟତାମୂଳକ ଭାବେ ଗ୍ରେଗୋରିଆନ କ୍ୟାଲେଣ୍ଡର ଗ୍ରହଣ କରିଥିଲା ବୋଲି ଐତିହାସିକମାନେ କହନ୍ତି। ୧୫୮୨ରେ ଫ୍ରାନ୍ସ, ଇଟାଲୀ, ପର୍ତ୍ତୁଗାଲ, ସ୍ପେନ୍‌, ପୋଲାଣ୍ଡ, ୧୫୮୩ରେ ଅଷ୍ଟ୍ରିଆ ଏବଂ କ୍ୟାଥୋଲିକ ଦେଶ, ୧୭୫୨ରେ ଆମେରିକା, କାନାଡା, ବ୍ରିଟେନ୍‌ ଏବଂ ଏହାର ଉପନିବେଶ ଦେଶଗୁଡିକ, ୧୮୭୩ରେ ଜାପାନ, ୧୯୧୨ରେ ଚୀନ୍‌, ୧୯୧୮ରେ ରୁଷ୍, ଏସ୍ତୋନିଆ, ୧୯୨୩ରେ ଗ୍ରୀସ୍‌, ୧୯୨୭ରେ ତୁର୍କୀ ଏହି କ୍ୟାଲେଣ୍ଡର ବ୍ୟବସ୍ଥା ଗ୍ରହଣ କରିଥିବା କୁହାଯାଇଛି। ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କର ଆଉ ଏକ ପନ୍ଥୀ ‘ଇଷ୍ଟର୍ଣ୍ଣ ଅର୍ଥୋଡକ୍ସ ଚର୍ଚ୍ଚ’ର ଅନୁଗାମୀମାନେ ଗ୍ରେଗୋରିଆନ୍‍ କ୍ୟାଲେଣ୍ଡର ବଦଳରେ ପାରମ୍ପରିକ ରୋମାନ୍‍ କ୍ୟାଲେଣ୍ଡରକୁ ମାନିଥାନ୍ତି। ଏହି କ୍ୟାଲେଣ୍ଡର ଅନୁସାରେ ସେମାନେ ଜାନୁଆରୀ ୧୪ତାରିଖ ଦିନ ନୂଆବର୍ଷ ପାଳନ କରନ୍ତି। ଜର୍ଜିଆ, ରୁଷ୍‍, ଜେରୁଜେଲମ, ସର୍ବିୟା ଆଦି ସ୍ଥାନରେ ଜାନୁଆରୀ ୧୪ ତାରିଖରେ ନୂଆବର୍ଷ ପାଳନ କରାଯାଇଥାଏ।

କ୍ୟାଲେଣ୍ଡରର ସମଗ୍ର ଇତିହାସ ପାଣିପାଗ ଚକ୍ର ସହ ଜଡିତ ରହିଛି। ୨୦୦୦ବର୍ଷରୁ ଅଧିକ ସମୟର ଇତିହାସରେ କ୍ୟାଲେଣ୍ଡରରେ ବହୁବିଧ ସଂଶୋଧନ କରିବାକୁ ପଡିଛି। କାରଣ, ପୃଥିବୀର ସ୍ଥିତି ଓ ଗତି ସମ୍ପର୍କରେ ସେତେବେଳେ ସବିଶେଷ ତଥ୍ୟ ମିଳିପାରିନଥିଲା। ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ବୁଲିବା ଲାଗି ସଠିକ୍‌ ଭାବେ କେତେ ସମୟ ଲାଗୁଛି ତାହା ଧୀରେଧୀରେ ଜଣାପଡିଲା। ଦିନ, ବର୍ଷର ହିସାବ କରିବା ଲାଗି ଚନ୍ଦ୍ରର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କେତେକ ଦେଶ ଚନ୍ଦ୍ରଗଣନା ଅନୁସାରେ ମଧ୍ୟ କ୍ୟାଲେଣ୍ଡର ପ୍ରଚଳନ କରିଛନ୍ତି। ସାରା ବିଶ୍ବରେ ଶତାଧିକ କ୍ୟାଲେଣ୍ଡର ପ୍ରଚଳିତ ଥିବା ବେଳେ ଏଥିରେ ଭାରତୀୟ ପଞ୍ଜିକା ଅନ୍ତର୍ଭୁକ୍ତ।

ଭାରତରେ ମଧ୍ୟ ଏକାଧିକ କ୍ୟାଲେଣ୍ଡର ରହିଛି। ଏବେ ଦେଶରେ ବିକ୍ରମ ସମ୍ବତ, ଶାକ ସମ୍ବତ, ହିଜରୀ ସମ୍ବତ, ଫସଲି ସମ୍ବତ, ବାଂଲା ସମ୍ବତ, ବୌଦ୍ଧ ସମ୍ବତ, ଜୈନ ସମ୍ବତ, ଖାଲ୍‍ସା ସମ୍ବତ, ତାମିଲ ସମ୍ବତ, ମାଲୟାଲମ ସମ୍ବତ, ତେଲଗୁ ସମ୍ବତ ଆଦି ପ୍ରଚଳିତ। ଏକ ଆକଳନ ଅନୁସାରେ କେବଳ ଭାରତରେ ୫୦ରୁ ଊର୍ଦ୍ଧ୍ବ କ୍ୟାଲେଣ୍ଡର ରହିଛି ଏବଂ ଏସବୁରେ ନୂଆବର୍ଷ ପାଳନର ତିଥି ଅଲଗା। ତେବେ ଦେଶରେ ବିକ୍ରମ ସମ୍ବତ ଏବଂ ଶାକ ସମ୍ବତ ବେଶୀ ପ୍ରଚଳିତ। ସମ୍ରାଟ ବିକ୍ରମାଦିତ୍ୟ ଶାକମାନଙ୍କୁ ପରାଜିତ କରିବା ପରେ ଖ୍ରୀ.ପୂ. ୫୭ରୁ ବିକ୍ରମ ସମ୍ବତ ଆରମ୍ଭ କରିଥିଲେ ଏବଂ ଶାକ ସମ୍ରାଟ କନିଷ୍କ ୭୮ଖ୍ରୀ.ରେ ଶାକ ସମ୍ବତ ବା ଶାଳିବାହନ ଶାକ ସମ୍ବତ ଆରମ୍ଭ କରିଥିଲେ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ଚୈତ୍ରମାସ ଶୁକ୍ଳ ପ୍ରତିପଦା ତିଥିକୁ ନୂଆବର୍ଷ ଭାବେ ଗ୍ରହଣ କରାଯାଇଛି। ବିକ୍ରମ ସମ୍ବତ ଏହି ଦିନରୁ ଆରମ୍ଭ ହୁଏ। ହିନ୍ଦୁ ଧର୍ମର ମତ ଅନୁସାରେ, ଏହି ଦିନ ଭଗବାନ ବ୍ରହ୍ମା ସୃଷ୍ଟି ରଚନା ପ୍ରାରମ୍ଭ କରିଥିଲେ। ଚୈତ୍ର ନବରାତ୍ର ମଧ୍ୟ ଏହି ତିଥିରୁ ଆରମ୍ଭ ହୋଇଥାଏ। ମହାରାଷ୍ଟ୍ରର ଗୁଡି ପଡୱା, କର୍ଣ୍ଣାଟକର ନୂଆବର୍ଷ ଉଗାଦି ଆଦି ଏହି ଦିନ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି। ସିନ୍ଧ୍‍ମାନେ ଏହି ତିଥିରେ ଚେଟି ଚନ୍ଦ ଭାବେ ନୂଆବର୍ଷ ପାଳନ କରିଥାନ୍ତି। ସେମାନଙ୍କର ବିଶ୍ୱାସ ଯେ ଏହିଦିନ ବରୁଣଦେବଙ୍କ ଅବତାର ଭଗବାନ ଝୁଲେଲାଲ୍‍ଙ୍କ ଜନ୍ମ ହୋଇଥିଲା। ପଞ୍ଜାବରେ ଏପ୍ରିଲ ୧୩ତାରିଖ ନୂଆବର୍ଷ ଭାବେ ପାଳିତ ହୁଏ। ଏହା ବୈଶାଖୀ ନାମରେ ପରିଚିତ। ଶିଖ୍‍ ନାନକଶାହୀ କ୍ୟାଲେଣ୍ଡର ଅନୁସାରେ ମାର୍ଚ୍ଚ ମାସରେ ହୋଲି ପରଦିନ ହୋଲା ମହଲ୍ଲାରେ ନୂଆବର୍ଷ ପାଳିଥାନ୍ତି ସେମାନେ।

ତେଲଗୁ ନୂଆବର୍ଷ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ପଡେ। ଆନ୍ଧ୍ରପ୍ରଦେଶରେ ଏହା ଉଗାଦି ନାମରେ ପରିଚିତ। ଚୈତ୍ରମାସର ପ୍ରଥମ ଦିନରେ ଏହା ପାଳିତ ହୁଏ। ତାମିଲ ନୂଆବର୍ଷ ବିଶୁ ଏପ୍ରିଲ ୧୩ କିମ୍ବା ୧୪ ତାରିଖରେ ତାମିଲନାଡୁ ଓ କେରଳରେ ପାଳନ କରାଯାଏ। ତେବେ ଜାନୁଆରୀ ୧୪ତାରିଖରେ ପୋଙ୍ଗଲ ତାମିଲନାଡୁର ନୂଆବର୍ଷ ଭାବେ ଗ୍ରହଣ କରାଯାଇଛି। କେତେକ ସ୍ଥାନରେ ତାମିଲମାନେ ଏପ୍ରିଲ ୧୪ ତାରିଖରେ ନୂଆବର୍ଷ ଭାବେ ପୁଥୁଣ୍ଡୁ ପର୍ବ ପାଳନ କରନ୍ତି। କାଶ୍ମୀରୀ କ୍ୟାଲେଣ୍ଡରରେ ନବରେହ ମଧ୍ୟ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ପାଳିତ ହୁଏ।

ମାନ୍ୟତା ଅନୁସାରେ, ଦୀପାବଳି ଦିନ ଭଗବାନ ମହାବୀର ସ୍ୱାମୀ ମୋକ୍ଷପ୍ରାପ୍ତି ହୋଇଥିଲେ। ଜୈନ ଧର୍ମାବଲମ୍ବୀମାନେ ଦୀପାବଳି ପରଦିନ ନୂଆବର୍ଷ ପାଳନ କରନ୍ତି। ସେମାନଙ୍କ କ୍ୟାଲେଣ୍ଡର ବୀର ନିର୍ବାଣ ସମ୍ବତ ନାମରେ ପରିଚିତ। ଗୁଜରାଟୀ ନୂଆବର୍ଷ ମଧ୍ୟ ଏହି ତିଥିରେ ପାଳିତ ହୋଇଥାଏ। ମାରୱାଡିମାନଙ୍କ ପାଇଁ ଦୀପାବଳି ଦିନ ହିଁ ନୂଆବର୍ଷ ଆରମ୍ଭ।

ବଙ୍ଗାଳୀମାନେ ନୂଆବର୍ଷ ପୋଇଲା ବୈଶାଖ ଏପ୍ରିଲ ୧୪ କିମ୍ବା ୧୫ତାରିଖରେ ପାଳନ କରନ୍ତି। ପଶ୍ଚିମବଙ୍ଗ ସହ ବାଂଲାଦେଶରେ ବି ଏହି ଦିନ ନୂଆବର୍ଷ ପାଳିତ ହୁଏ। ଓଡିଶାରେ ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ନୂଆବର୍ଷ ଆରମ୍ଭ ଦିନ। ଏପ୍ରିଲ ୧୪ କିମ୍ବା ୧୫ତାରିଖରେ ପଡୁଥିବା ଏହି ପର୍ବ ରାଜ୍ୟସାରା ବେଶ୍‍ ଧୁମ୍‍ଧାମରେ ପାଳିତ ହୋଇଥାଏ।

ଇସଲାମ ଧର୍ମର କ୍ୟାଲେଣ୍ଡର ଅନୁସାରେ ମହରମ୍‍ ମାସର ପ୍ରଥମ ଦିନରେ ନୂଆବର୍ଷ ବା ହିଜରୀ ଆରମ୍ଭ ହୁଏ। ଏହି କ୍ୟାଲେଣ୍ଡରକୁ ମୁସଲିମ ଦେଶମାନଙ୍କ ସହ ସମଗ୍ର ବିଶ୍ୱରେ ବାସ କରୁଥିବା ଇସଲାମ ଧର୍ମାବଲମ୍ବୀମାନେ ବ୍ୟବହାର କରିଥାନ୍ତି। ଚନ୍ଦ୍ରଗଣନା ଅନୁସାରେ ହିଜରୀ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି।

ଭାରତରେ ପାର୍ସୀମାନେ ସାଧାରଣତଃ ଅଗଷ୍ଟ ୧୯ତାରିଖରେ ସେମାନଙ୍କ ନୂଆବର୍ଷକୁ ନବରୋଜ୍‍ ଭାବେ ପାଳନ କରନ୍ତି। ନବ ଅର୍ଥ ନୂଆ ଏବଂ ରୋଜ୍‍ ଅର୍ଥ ଦିନ। ଅବଶ୍ୟ ବିଶ୍ୱର ଅନ୍ୟଭାଗରେ ପାର୍ସୀମାନେ ମାର୍ଚ୍ଚ ୨୧ତାରିଖ ଦିନ ନବରୋଜ୍‍ ଉତ୍ସବ ପାଳନ କରୁଥିବା ଜଣାଯାଏ। ପାରସ୍ୟର ରାଜା ଜାମସେଦ ପାର୍ସୀ କ୍ୟାଲେଣ୍ଡର ପ୍ରଚଳନ କରିଥିବାରୁ ତାଙ୍କ ସ୍ମୃତିରେ ଏହି ନୂଆବର୍ଷ ଉତ୍ସବ ପାଳନ କରାଯାଏ। ସପ୍ତମ ଶତାବ୍ଦୀରେ ଇରାନ୍‍ରେ ଧର୍ମ ପରିବର୍ତ୍ତନ ଜୋର୍‍ ଧରିବାରୁ ଏଥିରୁ ମୁକୁଳିବା ଲାଗି କେତେକ ପାର୍ସୀ ଇରାନ୍‍ ଛାଡି ଭାରତ ଚାଲିଆସିଥିଲେ। ତେଣୁ ଭାରତ ଏବଂ ପାକିସ୍ତାନରେ ରହୁଥିବା ପାର୍ସୀମାନେ ଅଗଷ୍ଟ ମାସରେ ନୂଆବର୍ଷ ପାଳନ କରନ୍ତି। ସେମାନଙ୍କ ଧର୍ମରେ ଏହା ଖୌରଦାଦ୍‍ ବର୍ଷ ଭାବେ ପରିଚିତ। ଏଥିରେ ବର୍ଷଟିଏ ୩୬୦ଦିନ ହୋଇଥିବା ବେଳେ ବଳକା ୫ଦିନ ଗାଥା ଭାବେ ସେମାନେ ପୂର୍ବପୁରୁଷଙ୍କୁ ସ୍ମରଣ କରିଥାନ୍ତି। ଏହା ଠିକ୍‍ ବର୍ଷ ଶେଷ ହେବାର ୫ଦିନ ପୂର୍ବରୁ ପାଳିତ ହୁଏ।
ହିବ୍ରୁ ମାନ୍ୟତା ଅନୁସାରେ ଭଗବାନ ବିଶ୍ୱକୁ ନିର୍ମାଣ କରିବା ଲାଗି ସାତଦିନ ସମୟ ନେଇଥିଲେ। ଏହି ସାତଦିନକୁ ଠାବ କରିବା ପରେ ସେମାନେ ନୂଆବର୍ଷ ପାଳନ କରନ୍ତି। ଗ୍ରେଗୋରୀ କ୍ୟାଲେଣ୍ଡର ଅନୁସାରେ ଏହି ଦିନଟି ସେପ୍ଟେମ୍ବର ୫ରୁ ଅକ୍ଟୋବର ୫ ମଧ୍ୟରେ ପଡିଥାଏ।

Comments are closed.