ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ କ୍ୟାବିନେଟ ସେକ୍ରେଟାରୀଙ୍କ ଅଧ୍ୟକ୍ଷତାରେ ଏନସିଏମସି ବୈଠକ

ଉଦ୍ଧାର ଓ ରିଲିଫ କାର୍ଯ୍ୟ ଏବଂ ଆବଶ୍ୟକ ସ୍ଥଳେ ଜରୁରିକାଳୀନ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟାର ପ୍ରସ୍ତୁତି ନେଇ ଜାତୀୟ ବିପର୍ୟୟ ପରିଚାଳନା କମିଟିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାରରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡର ରୂପ ନେଉଛି। ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଆସନ୍ତା ୨୦ ତାରିଖ ସୁଦ୍ଧା ଅତିକ୍ରମ କରିବ । ସେ ଦୃଷ୍ଟିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଖୁବ ଜୋରରେ ପବନ ବହିବା ସହ ସାମୁଦ୍ରିକ ଜୁଆର ଆସିବାର ସମ୍ଭାବନା ରହିଛି ।
ପ୍ରଭାବିତ ହେବାକୁ ଥିବା ରାଜ୍ୟ ସରକାରଙ୍କ ପ୍ରତିନିଧୀମାନେ ଏଭଳି ସମ୍ଭାବ୍ୟ ସାମୁଦ୍ରିକ ଝଡର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ । ଏହାବ୍ୟତୀତ ରାଜ୍ୟ ସରକାରମାନେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଇଦେଇଛନ୍ତି । ଚିହ୍ନଟ ବ୍ୟକ୍ତିମାନଙ୍କୁ ଆବଶ୍ୟକ ସ୍ଥଳେ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ଏନଡିଆରଏଫ, ସଶସ୍ତ୍ର ସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ସତର୍କ ରହିବା ସହ ଏଦି ଗରେ ରାଜ୍ୟ କର୍ତ୍ତୃପକ୍ଷକଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେମାନେ ନିଜକୁ ଠିକଣା ସ୍ଥାନରେ ଅବସ୍ଥାପିତ କରୁଛନ୍ତି । କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏଦିଗରେ ରାଜ୍ୟ ସରକାର ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ନିରବଚ୍ଛିନ୍ନ ଯୋଗସୂତ୍ର ରକ୍ଷା କରୁଛନ୍ତି ।
କ୍ୟାବିନେଟ ସଚିବ ବର୍ତ୍ତମାନର ପରିସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଓ ଆବଶ୍ୟକସ୍ଥଳେ ଜରୁରିକାଳୀନ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ସ୍ଵରାଷ୍ଟ୍ର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ, ପାଣିପାଗ ବିଭାଗ, ଏନଡିଏମଏ ଏବଂ ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ । କେତେକ ରାଜ୍ୟ ସରକାରଙ୍କ ମୁଖ୍ୟାଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଭିଡିଓ କନଫରେନ୍ସ ଜରିଆରେ ମଧ୍ୟ ବୈଠକରେ ଭାଗ ନେଇଥିଲେ ।

Comments are closed.