କ୍ୟାବିନେଟ ନିଷ୍ପତ୍ତି – ଫାଷ୍ଟଟ୍ରାକ ସ୍ବତନ୍ତ୍ର ନ୍ୟାୟାଳୟ ପାଇଁ କେନ୍ଦ୍ର ପ୍ରାୟୋଜିତ ଯୋଜନା ଅବଧି ଦୁଇ ବର୍ଷ ବୃଦ୍ଧି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୩୮୯ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ସମେତ ୧୦୨୩ଟି ଫାଷ୍ଟଟ୍ରାକ ସ୍ବତନ୍ତ୍ର ନ୍ୟାୟାଳୟ ପରିଚାଳନା ଲାଗି କେନ୍ଦ୍ର ପ୍ରାୟୋଜିତ ଯୋଜନାକୁ ଜାରି ରଖିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ଯୋଜନା ୨୦୧୧ ଏପ୍ରିଲ ପହିଲା ଠାରୁ ୨୦୧୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ମୋଟ ୧୫୭୨.୮୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ସରକାର ୯୭୧.୭୦ କୋଟି ଟଙ୍କା ଏବଂ ରାଜ୍ୟ ସରକାର ୬୦୧.୧୬ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ନିର୍ଦ୍ଧାରଣ କରାଯାଇଛି। କେନ୍ଦ୍ରୀୟ ଅଂଶବିଶେଷ ସ୍ବରୂପ ଅର୍ଥରାଶି ନିର୍ଭୟା ପାଣ୍ଠିରୁ ଉପଲବ୍ଧ କରାଯିବ। ଏହି ଯୋଜନା ୨୦୧୯ ଅକ୍ଟୋବର ୨ରେ ଆରମ୍ଭ କରାଯାଇଥିଲା।

ସରକାର ମହିଳା ଓ ଶିଶୁମାନଙ୍କ ସୁରକ୍ଷାକୁ ସବୁବେଳେ ସର୍ବାଧିକ ଗୁରୁତ୍ବ ଦେଇ ଆସିଛନ୍ତି। ବାଳିକାମାନଙ୍କୁ ସଶକ୍ତ କରିବା ଲାଗି ସରକାର ପୂର୍ବରୁ ‘ବେଟୀ ବଚାଓ, ବେଟୀ ପଢ଼ାଓ’ ଅଭିଯାନ ଭଳି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। 12 ବର୍ଷରୁ କମ ଆୟୁର ନାବାଳିକା ଓ 16 ବର୍ଷରୁ କମ ବୟସ୍କ କିଶୋରୀଙ୍କ ସହିତ ଦୁଷ୍କର୍ମ ଭଳି ଘଟଣା ସାରା ଦେଶର ଅନ୍ତରାତ୍ମାକୁ ନର୍କ ଯନ୍ତ୍ରଣା ଦେଇଥିଲା। ଏପରି ଘଟଣା ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲୁଥିବା ନ୍ୟାୟିକ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡବିଧାନ ଲାଗି ଏକ ସମର୍ପିତ ନ୍ୟାୟାଳୟ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଥିଲା, ଯାହା ମାମଲାଗୁଡ଼ିକର ଶୁଣାଣୀକୁ ତ୍ବରାନ୍ବିତ କରିପାରିବ ଏବଂ ଯୌନ ଅପରାଧ ପୀଡ଼ିତାମାନଙ୍କୁ ତତ୍କାଳ ନ୍ୟାୟ ପ୍ରଦାନ କରିପାରିବ।

ଏପରି ମାମଲାରେ ଅଧିକ କଠୋର ଦଣ୍ଡବ୍ୟବସ୍ଥା, ତ୍ବରିତ ଶୁଣାଣି ଏବଂ ମାମଲାଗୁଡ଼ିକର ସମାଧାନ ଲାଗି କେନ୍ଦ୍ର ସରକାର “ଅପରାଧିକ ଆଇନ (ସଂଶୋଧନ) ଅଧିନିୟମ, 2018” ଲାଗୁ କରିଥିଲେ ଏବଂ ଦୁଷ୍କର୍ମ ଅପରାଧିଙ୍କ ପାଇଁ ମୃତ୍ୟୁଦଣ୍ଡ ସମେତ କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିଥିଲେ। ଏହାଫଳରେ ଫାଷ୍ଟଟ୍ରାକ ସ୍ବତନ୍ତ୍ର ନ୍ୟାୟାଳୟ (ଏଫଟିଏସସି) ପ୍ରତିଷ୍ଠା ହୋଇଥିଲା।

ଫାଷ୍ଟ ଟ୍ରାକ ସ୍ବତନ୍ତ୍ର ନ୍ୟାୟାଳୟଗୁଡ଼ିକ ଏପରି ନିର୍ଦ୍ଦିଷ୍ଟ ମାମଲାର ଶୁଣାଣି ପାଇଁ ସମର୍ପିତ ଅଦାଲତ, ଏଥିରେ ଅଦାଲତୀ ପ୍ରକ୍ରିୟା ଦ୍ରୁତ ଗତିରେ ସମ୍ପାଦନ କରାଯାଇଥାଏ। ଏହି ନ୍ୟାୟାଳୟଗୁଡ଼ିକର ନ୍ୟାୟ ପ୍ରଦାନ କରିବା ହାର ନିୟମିତ ଅଦାଲତଗୁଡ଼ିକ ତୁଳନାରେ ଅଧିକ ଉନ୍ନତ। ଏସବୁ ନ୍ୟାୟାଳୟରେ ମାମଲାର ବିଚାର ପ୍ରକ୍ରିୟା ଦ୍ରୁତଗତିରେ ସମ୍ପୂର୍ଣ୍ଣ ହୋଇଥାଏ। ଅସହାୟ ପୀଡ଼ିତାମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ବ୍ୟତୀତ ଏହି ବ୍ୟବସ୍ଥା ଯୌନ ଅପରାଧୀଙ୍କ ବିରୋଧରେ ନିବାରଣଯୋଗ୍ୟ ଢାଞ୍ଚାକୁ ମଜବୁତ କରିଥାଏ।

ବର୍ତ୍ତମାନ ୨୮ଟି ରାଜ୍ୟରେ ଏପରି ନ୍ୟାୟାଳୟ କାର୍ଯ୍ୟକ୍ଷମ ରହିଛି ଏବଂ ଏହି ଯୋଜନା ପାଇଁ ଯୋଗ ସମସ୍ତ 31ଟି ରାଜ୍ୟରେ ଏହାର ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ରହିଛି। ଏହା ଦେଶର ଦୂରବର୍ତ୍ତୀ କ୍ଷେତ୍ର ସମେତ ସାରା ଦେଶରେ ଯୌନ ଅପରାଧରେ ପୀଡ଼ିତ ଅସହାୟାମାନଙ୍କୁ କମ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ ଲାଗି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସକୁ ସମର୍ଥନ କରୁଛି। ଏହି ଯୋଜନାରେ ମହିଳା ଓ ବାଳିକାମାନଙ୍କ ସୁରକ୍ଷା ଲାଗି ରାଷ୍ଟ୍ରର ପୁନଃପ୍ରତିବଦ୍ଧତା, ଦୁଷ୍କର୍ମ ଓ ପୋକ୍ସୋ ଆଇନର ବିଳମ୍ବିତ ମାମଲାଗୁଡ଼ିକର ସଂଖ୍ୟା ହ୍ରାସ କରିବା, ଯୌନ ଅପରାଧ ପୀଡ଼ିତମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଏବଂ ଯୌନ ଅପରାଧୀଙ୍କ ବିରୋଧରେ ଏକ ନିବାରକ ଭାବେ କାର୍ଯ୍ୟ କରିବା ବ୍ୟବସ୍ତା ରହିଛି।

Comments are closed.