ନିୟମିତ ହେବେ ୩୩୨୮ ବହୁଭାଷୀ ଶିକ୍ଷା ସହାୟକ

ଭୁବନେଶ୍ବର: ଆଦିବାସୀ ଅଧ୍ୟୁଷିତ ୧୭ଟି ଜିଲାରେ ବସବାସ କରୁଥିବା ଜନଜାତି ଛାତ୍ରଛାତ୍ରୀଙ୍କ ନିଜସ୍ବ ମାତୃଭାଷାରେ ଗୁଣାତ୍ମକ ଶିକ୍ଷାଦାନ ଲାଗି ସମଗ୍ର ଶିକ୍ଷା ଅଧୀନରେ ୩୩୨୮ଜଣ ବହୁଭାଷୀ ଶିକ୍ଷା ସହାୟକଙ୍କୁ ସରକାର ନିୟମିତ କରିବାକୁ ଯାଉଛନ୍ତି। ଯେଉଁମାନେ ୩ବର୍ଷ ନିରବଚ୍ଛିନ୍ନ ସେବା ପ୍ରଦାନ କରିଥିବେ ସେମାନେ କନିଷ୍ଠ ଶିକ୍ଷକ ଏବଂ ପରବର୍ତ୍ତୀ ୩ବର୍ଷ ନିରବଚ୍ଛିନ୍ନ ସେବା ପ୍ରଦାନ କରିଥିବା କନିଷ୍ଠ ଶିକ୍ଷକଙ୍କୁ ଶିକ୍ଷା ସହାୟକ ଭାବେ ନିଯୁକ୍ତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି।

ରାଜ୍ୟବାସୀଙ୍କୁ କିଭଳି ଗୁଣାତ୍ମକ ବିଦ୍ୟୁତ୍ ଅହରହ ମିଳିବ ଏବଂ ଚାଷୀଙ୍କ କ୍ଷେତ ମୁଣ୍ଡରେ ପାଣି ପହଞ୍ଚିବ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ବିଦ୍ୟୁତ୍ ସରବରାହ ପାଇଁ ସରକାର ପ୍ରାୟ ୨ହଜାର ୫୬କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ଜଳସେଚନ ଲାଗି ପ୍ରାୟ ୬୬୩କୋଟି ଟଙ୍କାର ପ୍ରକଳ୍ପକୁ ଶୁକ୍ରବାର ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି।

ରାଜ୍ୟ କ୍ୟାବିନେଟ ସମ୍ପର୍କରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ୍‌ର ଦୁତ୍ତା ଗ୍ରାମ ନିକଟରେ ସାନ୍ଦୁଲ ନଦୀ ଉପରେ ସେତୁ ନିର୍ମାଣ ହେବ। ଏହି ସେତୁ ନିର୍ମାଣ ହେଲେ ୨୯ଟି ଗାଁର ୫ ହଜାର ହେକ୍ଟର ଜମିକୁ ଜଳ ସେଚନ କରାଯାଇପାରିବ। ସେତୁର ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ ୧୨୬ କୋଟି ୪୬ ଲକ୍ଷ ୮୨ ହଜାର ୪୯୮ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପରବର୍ତ୍ତୀ ୫ ବର୍ଷ ପାଇଁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ୧ କୋଟି ୮୭ ଲକ୍ଷ ଟଙ୍କାର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି। ଏହି ସେତୁ ନିର୍ମାଣ ହେଲେ ଏକତର, କୁସୁର୍ଲା, ଜୋରଦୁବ୍ରା, ସାପଲହରା, ସିଲଟପରା, ସିଶାଖାଲ, ଲେଗେଡ଼ା, କନେରୀ, କର୍ଣ୍ଣିଖୁଣ୍ଟି, ଦଣ୍ଡିଭଞ୍ଜା, ଭୋଇରପଡ଼ା, ବିଜାପାଟି, ଯୋଗିବଡ଼ା, ବାବିଜୋର, ଖଜୁରୀପଡ଼ା, ତୁଣ୍ଡଲା, ତାଲଭଅଁରା, ହାତିଖୋଜ, କୁଲିହାରିଗୁମ୍ପା, ସିଲେଟପଡ଼ା, ବନ୍ଧାପଡ଼ା, ରାଜପଡ଼ା, ବାଦିପଡ଼ା, ଦିଗଶିରା, ବେଲଖଣ୍ଡି, ପିପଲପଦର, ଶର୍ଯାପଲି, ଖାଇରମାଲ ଓ କେନ୍ଦୁବାହାଲି ଗ୍ରାମବାସୀ ଉପକୃତ ହେବେ। ଏହି ସବୁ ଗାଁ ଗୁଡ଼ିକରେ ଥିବା ଜମିଗୁଡ଼ିକୁ ଜଳସେଚନ ସହିତ ଲୋକେ ପାନୀୟ ଜଳର ସୁବିଧା ପାଇବେ।

ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ସରକାର ଗୁରୁତ୍ବ ଦେଇଛନ୍ତି। ୨୫୯.୪୩ କୋଟି ଟଙ୍କା ବ୍ୟୟରେ ଆଠମଲ୍ଲିକ, ଏମ.ରାମପୁର, ଚିତ୍ତାଳୋ, ଆଗଲପୁରରେ ଗ୍ରୀଡ୍‌ ସବଷ୍ଟେସନ୍‌ ନିର୍ମାଣ ହେବ। ଏଥିରେ ରାଜ୍ୟସରକାରଙ୍କ ୩୦ପ୍ରତିଶତ ଅଂଶଧନ ରହିଛି। ସେହିପରି ବିଦ୍ୟୁତ୍ ସରବରାହର ସୁବଣ୍ଟନ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ୯୯ଟି ୩୩/୧୧କେଭି ଓ ୬୪ଟି ୩୩କେଭି ଲାଇନ କାର୍ଯ୍ୟ କରାଯିବ। ଏଥିପାଇଁ ୧୭୯୬ କୋଟି ଟଙ୍କା ଖର୍ଚ୍ଚ ହେବ। ୩ ବର୍ଷରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିରେ ୮୧୨ କିମି ଦୀର୍ଘ ବିଦ୍ୟୁତ୍ ଗତିପଥ ପ୍ରସ୍ତୁତ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଏସସିବି ଭେଷଜ ମହାବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ୮୮୮ କୋଟିର ଟେଣ୍ଡରକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଏହି କାର୍ଯ୍ୟ ଏମଏସ ଏନସିସି ଲି, ଆସନ୍ତା ୨ବର୍ଷ ମଧ୍ୟରେ ଶେଷ କରିବ। ଏଥିରେ ଡାକ୍ତର, କର୍ମଚାରୀଙ୍କ ଲାଗି ଆବାସ ନିର୍ମାଣ କରାଯିବ।

ଶ୍ରୀ ମହାପାତ୍ର କହିଥିଲେ, ରାଜ୍ୟ ସରକାରଙ୍କ ପୂର୍ବ ଚୁକ୍ତିନାମା ଅନୁଯାୟୀ ଭାରତୀୟ ତୈଳନିଗମର ପାରାଦୀପ ତୈଳ ବିଶୋଧନାଗାରକୁ ୫ବର୍ଷର ବିଦ୍ୟୁତ୍ ଶୁଳ୍କ ଛାଡ କରାଯିବ। ବାଲେଶ୍ବର ଜିଲା ଆନନ୍ଦପୁର ସେତୁ ପ୍ରକଳ୍ପର ସାଳନ୍ଦୀ ମୁଖ୍ୟ ବାମପାର୍ଶ୍ବ କେନାଲର ୧୬.୦୮କିମିଠାରୁ ୩୬.୫୪୭ କିମି ମଧ୍ୟରେ ଅବସ୍ଥିତ ୯୮୦୩ହେକ୍ଟର ଚାଷଜମିକୁ ଭୂତଳ ପାଇପ ଦ୍ବାରା ଜଳସେଚନ ପାଇଁ ସରକାର ୨୨୯.୮୭କୋଟି ଖର୍ଚ୍ଚ କରିବେ। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୧୮ମାସରେ ସମ୍ପୂର୍ଣ୍ଣ କରିବାକୁ ସକାର ଲକ୍ଷ୍ୟ ରଖିଥିବାବେଳେ ପ୍ରକଳ୍ପଜନିତ ଅର୍ଥ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରୁ ଖର୍ଚ୍ଚ ହେବ। ରେଙ୍ଗାଳି ଜଳସେଚନ ଅଧୀନସ୍ଥ ଭୂତଳ ପାଇପ ଦ୍ବାରା ପ୍ରାୟ ୨୪ହଜାର ୩୩୪ ହେକ୍ଟରଜମିକୁ ଜଳସେଚନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୪୪୩.୨୨କୋଟି ଟଙ୍କା ଖର୍ଚ୍ଚ ହେବାକୁ ରହିଥିବାବେଳେ ୨୦୨୩ ସୁଦ୍ଧା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସମୁଦାୟ ୨୬ହଜାର ୩୩୪ହେକ୍ଟର ସେଚାଞ୍ଚଳରେ ଉପରୁ ତଳମୁଣ୍ଡ ପର୍ଯ୍ୟନ୍ତ ସେଚଜଳକୁ ବଣ୍ଟନ କରିବାକୁ ପ୍ରକଳ୍ପର ଲକ୍ଷ୍ୟ ରହିଛି।

ଏହି ଅବସରରେ ରାଜ୍ୟ କ୍ୟାବିନେଟ ଓଡ଼ିଶା ବୈଦ୍ୟୁତିକ ଯାନ୍ତ୍ରିକ ସେବା ସଂବର୍ଗର ପୁନର୍ଗଠନ କରିଛନ୍ତି। ଏହି ସେବାରେ ୩୪୬ ପଦ ଅପରିବର୍ତ୍ତିତ ରହିଥିବାବେଳେ ଉପନିର୍ବାହୀ ଯନ୍ତ୍ରୀ ପଦକୁ ଉଚ୍ଛେଦ ସହ ଅଧୀକ୍ଷଣ ଓ ମୁଖ୍ୟଯନ୍ତ୍ରୀ ମଧ୍ୟରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନାମରେ ଏକ ନୂତନ ପଦ ସୃ‌ଷ୍ଟି କରାଯାଇଛି। ଓଡ଼ିଶା ପ୍ରାଣୀ ଚିକିତ୍ସା ସେବାବର୍ଗର ନିୟମାବଳୀ-୨୦୨୧କୁ ରାଜ୍ୟ କ୍ୟାବିନେଟ ମୋହର ଦେଇଛି। ଏହାଦ୍ବାରା ପୁନର୍ଗଠିତ ପ୍ରାଣୀ ଚିକିତ୍ସା ସେବା ବର୍ଗରେ ମୂଳ ପଦରେ ନିଯୁକ୍ତି କରାଯିବା ସହିତ ପଦୋନ୍ନତିଭିତ୍ତିକ ପଦଗୁଡ଼ିକ ପୂରଣ କରାଯାଇପାରିବ। ଏହାବାଦ୍ ଓଡ଼ିଶା ସୁପରିୟର ନ୍ୟାୟିକ ସେବା ଏବଂ ଓଡ଼ିଶା ନ୍ୟାୟିକ ସେବା-୨୦୦୭କୁ ଅଧିକ ଅର୍ଥପୂର୍ଣ୍ଣ କରିବାପାଇଁ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଶ୍ରୀ ମହାପାତ୍ର କହିଥିଲେ, ପୌରାଞ୍ଚଳରେ ଆସନ ସଂରକ୍ଷଣ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ପୌରପାଳିକା ଆଇନ-୧୯୫୦ ଏବଂ ଓଡ଼ିଶା ପୌରନିଗମ ଆଇନ ୨୦୦୩ ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଏକ ଅଧ୍ୟାଦେଶ ସରକାର ଆଣିଛନ୍ତି। ଏହାଦ୍ବାରା ମହାନଗର ନିଗମ ମେୟର ତଥା ଅଧ୍ୟକ୍ଷ ନେଇ ଆସିଥିବା ସଂଶୋଧନ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଛନ୍ତି। ଏହାବାଦ୍ ଷୋଡ଼ଶ ବିଧାନସଭାର ଅଷ୍ଟମ ଅଧିବେଶନର ସତ୍ରାବସନା ପ୍ରସ୍ତାବକୁ କ୍ୟାବିନେଟ ଅନୁ‌େମାଦନ ମିଳିଥିବା ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.