କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି: ୩ହଜାର ୫କୋଟି ମଞ୍ଜୁର, ପାରାଦ୍ୱୀପ ବନ୍ଦର ହେବ ବିଶ୍ବସ୍ତରୀୟ

ନୂଆଦିଲ୍ଲୀ : ପାରାଦ୍ୱୀପ ବନ୍ଦର ହେବ ବିଶ୍ବସ୍ତରୀୟ। ପାରାଦ୍ବୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍‍ ବିକାଶ ସମେତ ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା ସଂପର୍କିତ ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟି ମଞ୍ଜୁର ପ୍ରଦାନ କରିଛି। ୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ଏହି ପ୍ରକଳ୍ପ ଲାଗି ବିନିଯୋଗ କରାଯିବ। ଦୁଇଟି ପର୍ଯ୍ୟାୟରେ ୫ ବର୍ଷରେ ସରିବ ସମୁଦାୟ ନିର୍ମାଣ କାର୍ଯ୍ୟ। ଏଥିରେ ପ୍ରତ୍ୟକ୍ଷ ଭାବେ ୧ ହଜାର ଲୋକ ନିଯୁକ୍ତି ପାଇବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟି ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ନୂତନ ପ୍ରକଳ୍ପ ନିର୍ମାଣ ଦ୍ୱାରା ଆଗମୀ ଦିନରେ କେପ୍‌ ସାଇଜ ବୃହତ ଜାହାଜ ପାରାଦ୍ୱୀପ ବନ୍ଦର ଭିତରକୁ ଆସିପାରିବ। ନିର୍ମାଣ, ପରିଚାଳନା ଓ ହସ୍ତାନ୍ତର (ବିଓଟି) ପଦ୍ଧତିରେ ପବ୍ଲିକ-ଘରୋଇ ସହଭାଗିତା (ପିପିପି)ରେ ୱେଷ୍ଟର୍ଣ୍ଣ ଡକ୍‍ ଆଭ୍ୟନ୍ତରୀଣ ବନ୍ଦର ସୁବିଧାର ଉନ୍ନତିକରଣ ଓ ଖନନ ପ୍ରସ୍ତାବ ରହିଛି। ବାର୍ଷିକ ୨୫ ମିଲିଅନ
ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ୱେଷ୍ଟର୍ଣ୍ଣ ଡକ୍‍ ନିର୍ମାଣ ବାବଦରେ ସମୁଦାୟ ୩୦୦୪.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ପାରାଦ୍ୱୀପ ବନ୍ଦର ତରଫରୁ ୬୧୨.୫୦ କୋଟି ଟଙ୍କା ବ୍ୟୟ ହେବ। ଦୁଇଟି ପର୍ଯ୍ୟାୟରେ ପାଞ୍ଚ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଲାଗି ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩ ବର୍ଷ ମଧ୍ୟରେ ୧୨.୫୦ ଏମଟିପିଏ ଏବଂ ପରବର୍ତ୍ତୀ ଦୁଇବର୍ଷରେ ବଳକା ୧୨.୫୦ ଏମପିଟିଏ ନିର୍ମାଣ କାର୍ଯ୍ୟ ସରିବ। ପାରାଦ୍ୱିପ ବନ୍ଦର ତରଫରୁ ଭିତ୍ତିଭୂମି ନିର୍ମାଣ ବାବଦରେ ସମସ୍ତ ସହାୟତା ଯୋଗାଇ ଦିଆଯିବ। ପିପିପି ପଦ୍ଧତିରେ ୩୦ ବର୍ଷ ପର୍ଯ୍ୟନ୍ତ ୱେଷ୍ଟର୍ଣ୍ଣ ଡକ୍‍ ଚଳାଇବା ଲାଗି ଅନୁମତି ଦିଆଯାଇଛି।
ପାରାଦ୍ୱୀପ ବନ୍ଦର ବିକାଶ ଲାଗି କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟି ନିଷ୍ପତି ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ପେଟ୍ରାଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ପାରାଦ୍ୱୀପ ପୂର୍ବଭାରତର ପ୍ରବେଶପଥ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ଏହା ଏକ ବଡ଼ ପଦକ୍ଷେପ। ପୂର୍ବ ଭାରତର ବିକାଶ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପାରାଦ୍ୱୀପ ବନ୍ଦର କାର୍ଯ୍ୟକ୍ଷମ ହେବା ଦିନ ଠାରୁ ୨୦୧୪ ମଧ୍ୟରେ ପଣ୍ୟ କାରବାର ବାର୍ଷିକ ୬୦ ମିଲିଅନ ମେଟ୍ରିକ ଟନ୍‌ ରହିଥିଲା। କେନ୍ଦ୍ରରେ ମୋଦୀ ସରକାର କ୍ଷମତାସୀନ ହେବା ପରେ ଏବେ ବାର୍ଷିକ ପଣ୍ୟ କାରବାର ପ୍ରାୟ ଦୁଇ ଗୁଣ ବଢ଼ି ପାଖାପାଖି ୧୧୨ ମିଲିଅନ ମେଟ୍ରିକ ଟନରେ ପହଞ୍ଚିଛି। ଭବିଷ୍ୟତରେ ପାରାଦ୍ୱୀପ ବନ୍ଦର ପଣ୍ୟ ପରିବହନ କ୍ଷମତା ବାର୍ଷିକ ୪ଶହ ମିଲିଅନ ମେଟ୍ରିକ ଟନକୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ପାରାଦ୍ୱୀପକୁ ଏକ ଗଭୀର ଡ୍ରାଫଟ ବନ୍ଦରରେ ପରିଣତ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।
ପାରାଦ୍ୱୀପ ବନ୍ଦରରେ ବୃହତ ଜାହଜ ପାଇଁ ସୁବିଧା ନଥିବାରୁ ବନ୍ଦର ଭିତରକୁ ବୃହତ ଜାହାଜ ଆସି ପାରୁ ନ ଥିଲା। ନୂତନ ନିର୍ମାଣ ଦ୍ୱାରା ଆଗାମୀ ଦିନରେ ପାରାଦ୍ୱୀପ ବନ୍ଦରକୁ ସହଜରେ ବଡ଼ ଜାହଜ ଆସିପାରିବ। ଫଳରେ ଜାହାଜ ଦ୍ୱାରା ମାଲ ପରିବହନ ଖର୍ଚ୍ଚ ଶସ୍ତା ହେବା ସହ ବନ୍ଦରଭିତ୍ତିକ ଆର୍ଥିକ ଅଭିବୃଦ୍ଧି ଘଟିବ। ପାରାଦ୍ୱୀପ ବନ୍ଦରର ଆଧୁନିକରଣ ଓ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରିବା ଲାଗି ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନ୍‌ସୁଖ ଭାଇ ମାଣ୍ଡଭିଆଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଗଣମାଧ୍ୟମକୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ଭାଇ ମାଣ୍ଡଭିଆ କହିଥିଲେ ଯେ, ପାରାଦ୍ୱୀପ ବନ୍ଦର ମାଲ ପରିବହନ ଖର୍ଚ୍ଚ କମାଇବା ଲକ୍ଷ୍ୟରେ ୱେଷ୍ଟର୍ଣ୍ଣ ଡକ୍‌ ଅଞ୍ଚଳରେ ବିକାଶ ଓ ବର୍ଥ ନିର୍ମାଣ ଲାଗି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି।

Comments are closed.