ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତ୍ବ ସଂଶୋଧନ ବିଧେୟକ

ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ବିଧେୟକ (ସିଏବି) ସୋମବାର ରାତିରେ ଲୋକସଭାରେ ୩୧୧-୮୦ ବହୁମତରେ ଗୃହୀତ ହେବା ପରେ ବୁଧବାର ରାଜ୍ୟସଭାରେ ଆଗତ ହେବାକୁ ଯାଉଛି। ୨୪୫ ସଦସ୍ୟ ବିଶିଷ୍ଟ ଉଚ୍ଚ ସଦନରେ ବିଧେୟକ ଗୃହୀତ କରାଇବା ପାଇଁ ସରକାରଙ୍କୁ ୧୨୩ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି। ସରକାରଙ୍କ ପକ୍ଷରେ ଆବଶ୍ୟକ ସମର୍ଥନ ରହିଥିବାରୁ ଏହା ସୁରୁଖୁରୁରେ ଗୃହୀତ ହେବାର ଆଶା ରହିଛି। ସମ୍ପ୍ରତି ରାଜ୍ୟସଭାର ସଦସ୍ୟ ସଂଖ୍ୟା ୨୩୮ ରହିଛି। ଏଥିରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ସଦସ୍ୟ ସଂଖ୍ୟା ୧୦୫ ରହିଛି। ବିଜେପିର ୮୩ ସଦସ୍ୟ ଥିବାବେଳେ ଏନ୍‌ଡିଏ ଅଂଶୀଦାର ଜେଡି(ୟୁ)ର ୬, ଶିରୋମଣି ଅକାଳି ଦଳର ୩ ଏବଂ ଏଲଜେପି ଓ ଆରପିଆଇ(ଏ)ର ଜଣେ ଲେଖାଏଁ ସଦସ୍ୟ ଅଛନ୍ତି। ଏତଦ୍‌ବ୍ୟତୀତ ୧୧ ମନୋନୀତ ସଦସ୍ୟଙ୍କ ସମର୍ଥନ ସରକାରଙ୍କ ପ୍ରତି ରହିଛି। ବିଜେପି ପକ୍ଷରୁ ୧୧ ସଦସ୍ୟ ବିଶିଷ୍ଟ ଏଆଇଏଡିଏମ୍‌କେ, ଦୁଇ ସଦସ୍ୟ ଥିବା ୱାଇଏସ୍‌ଆର କଂଗ୍ରେସ, ତେଲୁଗୁଦେଶମ୍‌ର ୨ ସଦସ୍ୟଙ୍କ ସମର୍ଥନ ପାଇଁ ଆଲୋଚନା ଚଳାଇଛି। ଏହି ଦଳର ସଦସ୍ୟମାନେ ଲୋକସଭାରେ ସରକାରଙ୍କୁ ସମର୍ଥନ କରିଛନ୍ତି। ଅପରପକ୍ଷରେ ଲୋକସଭାରେ ବିଧେୟକକୁ ସମର୍ଥନ କରିଥିବା ବିଜେଡିର ୭ ସଦସ୍ୟଙ୍କ ସମର୍ଥନ ରାଜ୍ୟସଭାରେ ମିଳିବା ଏକପ୍ରକାର ନିଶ୍ଚିତ ରହିଛି। ଏହି ୨୨ଙ୍କୁ ମିଶାଇଲେ ସରକାରଙ୍କ ପକ୍ଷରେ ମୋଟ ସଦସ୍ୟ ସଂଖ୍ୟା ୧୨୭ ହେଉଛି। ସଂଖ୍ୟାଗରିଷ୍ଠତା ପାଇଁ ୧୨୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବାରୁ ଏହି ଖେଳରେ ସରକାର ସହଜରେ ବିଜୟ ହାସଲ କରିବେ ଓ ବିଧେୟକ ଗୃହୀତ ହେବାର ଆଶା ରହିଛି।
ମତ ବଦଳାଇଲା ଶିବସେନା
ମୁମ୍ବଇ : ଲୋକସଭାରେ ସିଏବିକୁ ସମର୍ଥନ ଦେଇଥିବା ଶିବସେନା ରାଜ୍ୟସଭାରେ ଏହା ଆଗତ ହେବା ପୂର୍ବରୁ ସମର୍ଥନ ନେଇ ସର୍ତ୍ତାରୋପ କରିଛି। ଦଳର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ ଲୋକସଭାରେ ସୋମବାର ଦଳ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ନ ମିଳିବା ଯାଏ ଏହା ବିଧେୟକକୁ ବିରୋଧ କରିବ। ବିଧେୟକକୁ ସମର୍ଥନ କରୁଥିବା ଦଳ (ବିଜେପି) କେବଳ ଦେଶଭକ୍ତ ଏବଂ ଏହାକୁ ବିରୋଧ କରୁଥିବା ଦଳ ଓ ନେତା ଦେଶଦ୍ରୋହୀ ବା ଜାତୀୟତା ବିରୋଧୀ ବୋଲି ସରକାରଙ୍କ ପକ୍ଷରୁ ଯେଉଁ ଧାରଣା ସୃଷ୍ଟି କରାଯାଉଛି ତାହା ଉପରେ ସ୍ପଷ୍ଟୀକରଣ ନ ମିଳିବା ପର୍ଯ୍ୟନ୍ତ ବିଧେୟକକୁ ସମର୍ଥନ କରାଯିବ ନାହିଁ ବୋଲି ଉଦ୍ଧବ କହିଛନ୍ତି। ସେହିଭଳି ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଲୋକସଭାରେ ବିଧେୟକକୁ ସମର୍ଥନବେଳେ ଏହା ଉପରେ କେତେକ ପ୍ରଶ୍ନ କରାଯାଇଥିଲା; ଯାହାର ଉତ୍ତର ସରକାର ଦେଇ ନାହାନ୍ତି; ଅତଏବ ରାଜ୍ୟସଭାରେ ଦଳ ଭିନ୍ନ ଭୂମିକା ଗ୍ରହଣ କରିବ। ରାଜ୍ୟସଭାରେ ଶିବସେନାର ତିନି ସାଂସଦ ଅଛନ୍ତି।
ଜେଡି(ୟୁ)ରେ ବିବାଦ
ପାଟନା : ସିଏବିକୁ ସମର୍ଥନ କରି ସଂକଟକୁ ଡାକି ଆଣିଛି ନୀତୀଶ କୁମାରଙ୍କ ଜେଡି(ୟୁ)। ଏହି ପ୍ରସଙ୍ଗ ନେଇ ଦଳରେ ଭିନ୍ନ ମତ ପ୍ରକାଶ ପାଇଛି। ନୀତୀଶଙ୍କ ପରାମର୍ଶଦାତା ପ୍ରଶାନ୍ତ କିଶୋର ଓ ଦଳର ବରିଷ୍ଠ ନେତା ପବନ ବର୍ମା ଏଥିନେଇ ପ୍ରକାଶ୍ୟରେ ଦଳୀୟ ଭୂମିକାକୁ ସମାଲୋଚନା କରିଛନ୍ତି। ନୀତୀଶ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟର ପୁନର୍ବିଚାର କରିବାକୁ ବର୍ମା ନିବେଦନ କରିଥିଲାବେଳେ ପ୍ରଶାନ୍ତ କହିଛନ୍ତି ଯେ ସିଏବିକୁ ସମର୍ଥନ କରିବା ଦଳୀୟ ସମ୍ବିଧାନର ପରିପନ୍ଥୀ। ଜେଡି(ୟୁ) ସମ୍ବିଧାନର ପ୍ରଥମ ପୃଷ୍ଠାରେ ତିନି ଥର ‘ଧର୍ମ-ନିରପେକ୍ଷ’ ଶବ୍ଦ ଉ​‌େ​‌ଲ୍ଲଖ ଥିବାବେଳେ ଓ ଦଳର ନେତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବାବେଳେ ଏହି ଧର୍ମ ଆଧାରିତ ବିଧେୟକକୁ ସମର୍ଥନ କରିବା ନୀତି-ଆଦର୍ଶର ପରିପନ୍ଥୀ ବୋଲି ପ୍ରଶାନ୍ତ ଟ୍ବିଟ୍‌ କରିଛନ୍ତି। ଏଥିନେଇ ସେ ‘ଅସନ୍ତୁଷ୍ଟ’ ବୋଲି ଲେଖିଛନ୍ତି। ସେହିଭଳି ବରିଷ୍ଠ ନେତା ତଥା ପୂର୍ବତନ କୂଟନୀତିଜ୍ଞ ବର୍ମା କହିଛନ୍ତି ଯେ ଏହି ବିଧେୟକ ଅସାମ୍ବିଧାନିକ, ପକ୍ଷପାତମୂଳକ ଏବଂ ଦେଶର ସଂହତି ତଥା ଧର୍ମ-ନିରପେକ୍ଷ ଆଦର୍ଶ ପ୍ରତି କଟାକ୍ଷ। ମହାତ୍ମା ଜୀବିତ ଥିଲେ ଘୋର ଅସ​ନ୍ତୋ‌ଷ ବ୍ୟକ୍ତ କରିଥାଆ​ନ୍ତେ‌ କହି ରାଜ୍ୟସଭାରେ ନୀତୀଶ ବିଧେୟକକୁ ସମର୍ଥନ ଦେବେ ନାହିଁ ବୋଲି ବର୍ମା ଆଶା ପ୍ରକଟ କରିଛନ୍ତି।

Comments are closed.