ଜାମିଆ ହିଂସା ଆବେଦନ ଶୁଣାଣି ପ୍ରସଙ୍ଗ – କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସ୍‍ଲାମିଆ ବିଶ୍ୱବିଦ୍ୟାଳୟରେ ଘଟିଥିବା ହିଂସାକୁ ନେଇ ଦାଖଲ କରାଯାଇଥିବା ଆବେଦନର ଶୁଣାଣି ସମୟରେ ଯେଉଁ ଆଇନଜୀବୀମାନେ ବିଚାରପତିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଛନ୍ତି, ସେମାନଙ୍କ କ୍ଷେତ୍ରରେ ଅଦାଲତ ଅବମାନନା ଲାଗୁ କରିବାକୁ ଅନେକ ଆଇନଜୀବୀ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ବରିଷ୍ଠ ଆଇନଜୀବଗଣ, ବାର୍‍ ଆସୋସିଏସନ୍‍ ମୁଖ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀମାନେ ମୁଖ୍ୟ ବିଚାରପତି ଡି.ଏନ୍‍. ପଟେଲ୍‍ ଏବଂ ବିଚାରପତି ସି. ହରିଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ଅନୁରୋଧ କରିଛନ୍ତି।

ସେମାନେ କହିଛନ୍ତି, ଅଦାଲତ ବ୍ୟବସ୍ଥାର ଅପମାନ କରିଥିବା ସମ୍ପୃକ୍ତ ଆଇନଜୀବୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି। ଇତିମଧ୍ୟରେ ଖଣ୍ଡପୀଠ ଏହି ମାମଲାର ବିଚାର ପାଇଁ ଅନ୍ୟ ଏକ କମିଟିକୁ ଦାୟିତ୍ୱ ଦେବେ ବୋଲି ଜଣାପଡ଼ିଛି। ଗତକାଲି ଜାମିଆ ବିଶ୍ୱବିଦ୍ୟାଳୟରେ ନାଗରିକତା ଆଇନକୁ ନେଇ ସୃଷ୍ଟି ହୋଇଥିବା ହିଂସା ସମ୍ପର୍କିତ ଆବେଦନର ଶୁଣାଣି ସମୟରେ କେତେକ ଆଇନଜୀବୀ ବିଚାରପତିଙ୍କ ବିରୋଧରେ ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ।

Comments are closed.