କଟକରେ ସିଏଏ ସମ୍ପର୍କିତ ଜନଜାଗରଣ ଶୋଭାଯାତ୍ରା: ବିରୋଧୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

କଟକ: ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରବିବାରଠାରୁ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ଜନଜାଗରଣ ଯାତ୍ରା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ସୋମାବାର କଟକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ସିଏଏ ସମ୍ପର୍କିତ ଏକ ବିରାଟ ଜନଜାଗରଣ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରା କଲେଜ ଛକରୁ ଆରମ୍ଭ ହୋଇ ଖାନନଗର ପର୍ୟ୍ୟନ୍ତ ଚାଲିବ। ଏହି ଅବସରରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର। ମୁସଲମାନ ସିଏଏକୁ ବିରୋଧ କରୁନାହାନ୍ତି ବରଂ କଂଗ୍ରେସ ସେମାନଙ୍କୁ ପ୍ରବର୍ତ୍ତାଇବା ସହ ଅପପ୍ରଚାର କରୁଛି ବୋଲି ସେ କହିଛନ୍ତି। ଜନସାଧାରଣଙ୍କ ମଙ୍ଗଳ ପାଇଁ ମୋଦୀ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ କୌଣସି ନାଗରିକକୁ କିଛି କ୍ଷତି ପହଞ୍ଚିବ ନାହିଁ। ତେଣୁ ଏହାକୁ ସମର୍ଥନ କରିବାକୁ ସମସ୍ତଙ୍କୁ ନିବେଦନ।
ସୂଚନାଯୋଗ୍ୟ, ଏହି ଶୋଭାଯାତ୍ରାରେ ବିଜେପି ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତିଙ୍କ ସହ ଅନେକ ବରିଷ୍ଠ ବିଜେପି କର୍ମୀ ଓ ନେତା ମଧ୍ୟ ସାମିଲ ହୋଇଛନ୍ତି। ଏହି ଜନଜାଗରଣ ଯାତ୍ରା ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ। ଦଳ ପକ୍ଷରୁ ସାଧାରଣ ସଭା ଏବଂ ଶୋଭାଯାତ୍ରା ଆଦିର ଆୟୋଜନ କରାଯାଉଛି। ରାଜ୍ୟର ପ୍ରତ୍ୟେକ ଜିଲାରେ ଏହି ଆଇନ୍ ନେଇ ସଚେତନତା ରାଲିମାନ ଆୟୋଜନ କରାଯାଉଛି।

Comments are closed.