ଗାନ୍ଧିଜୀଙ୍କ ଇଚ୍ଛା ପୂରଣ କରିବା ଲାଗି ଅଣାଯାଇଛି ସିଏଏ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶ ବିଭାଜନ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ‘ପାକିସ୍ତାନର ହିନ୍ଦୁ ଏବଂ ସିଖ, ଯେଉଁମାନେ ସେଠାରେ ରହିବାକୁ ଚାହୁଁନାହାନ୍ତି, ସେମାନେ ଭାରତ ଆସିପାରିବେ। ସେମାନଙ୍କୁ ସାଧାରଣ ଜୀବନଯାପନ କରିବାର ସୁବିଧା ଉପଲବ୍ଧ କରାଇବା ଭାରତ ସରକାରର କର୍ତ୍ତବ୍ୟ। ପୂଜ୍ୟ ଗାନ୍ଧିଜୀଙ୍କ ଏହି ବିଚାରଧାରାକୁ ସମର୍ଥନ କରି ରାଷ୍ଟ୍ରର ନେତାମାନେ ଏବଂ ରାଜନୈତିକ ଦଳଗୁଡ଼ିକ ଏହାକୁ ଆଗକୁ ନେଇଛନ୍ତି। ଆମ ରାଷ୍ଟ୍ର ନିର୍ମାତାମାନଙ୍କ ଇଚ୍ଛାକୁ ସମ୍ମାନ କରିବା ଆମ ଦାୟିତ୍ଵ। ଏହାକୁ ଦୃଷ୍ଟିରେ ରଖି ଆମ ସଂସଦର ଉଭୟ ଗୃହ ନାଗରିକତା ସଂଶୋଧନ ଆଇନ(ସିଏଏ) ଆଣି ଗାନ୍ଧିଜୀଙ୍କ ଇଚ୍ଛା ପୂରଣ କରିଛନ୍ତି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେଇ ରାଷ୍ଟ୍ରପତି ଏହା କହିଥିଲେ।

ବୋଡୋ ସଂଗଠନ ସହିତ ଐତିହାସିକ ରାଜିନାମା

୫ ଦଶନ୍ଧି ଧରି ଚାଲିଆସିଥିବା ବୋଡୋ ସମସ୍ୟା ଶେଷ କରିବା ଲାଗି କେନ୍ଦ୍ର ଏବଂ ଆସାମ ସରକାର ନିକଟରେ ବୋଡୋ ସଂଗଠନଗୁଡ଼ିକ ସହିତ ଐତିହାସିକ ରାଜିନାମା କରିଛନ୍ତି। ଏହି ରାଜିନାମା ଫଳରେ ଏକ ଜଟିଳ ସମସ୍ୟା, ଯେଉଁଥିରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ତାହା ସମାଧାନର ରାସ୍ତା ବାହାରିଛି। ତ୍ରିପୁରା, ମିଜୋରମ, କେନ୍ଦ୍ର ସରକାର ଏବଂ ବ୍ରୁ ଜନଜାତିଙ୍କ ମଧ୍ୟରେ ହୋଇଥିବା ଏହି ରାଜିନାମା ଦ୍ବାରା କେବଳ ଦଶନ୍ଧି ପୁରୁଣା ସମସ୍ୟାର ସମାଧାନ ହୋଇନି, ବରଂ ହଜାର ହଜାର ଜନଜାତିଙ୍କ ସୁରକ୍ଷିତ ଜୀବନ ସୁନିଶ୍ଚିତ ହୋଇଛି। ରାଜିନାମା ପରେ ବୋଡୋ ସମ୍ପ୍ରଦାୟଙ୍କ ବିକାଶ ପାଇଁ ସରକାରଙ୍କ ଦ୍ବାରା ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି।

ଜଳ ଜୀବନ ମିଶନ

ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ, ଗ୍ରାମୀଣ ଅଞ୍ଚଳରେ ପ୍ରାୟ ୧୫ କୋଟି ଘର ରହିଛି, ଯେଉଁଠି ପାଣି ଯୋଗାଣ ହୋଇନାହିଁ। ଦେଶର ଗ୍ରାମାଞ୍ଚଳରେ, ସବୁ ଘରକୁ ପର୍ଯ୍ୟାପ୍ତ ମାତ୍ରାରେ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଲାଗି ମୋ ସରକାର ଜଳ ଜୀବନ ମିଶନ ଆରମ୍ଭ କରିଛି। ଦେଶର ୧୧୨ ଜିଲାକୁ ଆକାଂକ୍ଷୀ ଜିଲାର ମାନ୍ୟତା ଦେଇ ଗରିବମାନଙ୍କ ବିକାଶ ସହିତ ଜଡ଼ିତ ପ୍ରତ୍ୟେକ ଯୋଜନା ଉପରେ ସରକାର ସ୍ବତନ୍ତ୍ର ଧ୍ୟାନ ଦେଉଛି। ସରକାରଙ୍କ ପ୍ରୟାସ ଯୋଗୁ ୨୦୨୨ ପର୍ଯ୍ୟନ୍ତ ସିକ୍କିମ, ମିଜୋରମ, ମଣିପୁର ଏବଂ ନାଗାଲାଣ୍ଡର ରାଜଧାନୀକୁ ରେଳ ସହିତ ଯୋଡ଼ାଯିବ।

ଧାରା ୩୭୦ ଉଚ୍ଛେଦ ଐତିହାସିକ ନିଷ୍ପତ୍ତି

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ଐତିହାସିକ ନିଷ୍ପତ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ସଂସଦର ୨ଟି ଯାକ ସଦନରେ ଦୁଇ ତୃତୀୟାଂଶ ବହୁମତ ବଳରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫-‘ଏ’କୁ ଉଚ୍ଛେଦ କରାଯିବା କେବଳ ଐତିହାସିକ ନୁହେଁ, ବରଂ ଏହାଦ୍ବାରା ଜାମ୍ମୁ-କାଶ୍ମୀର ଏବଂ ଲଦାଖର ସମାନ ବିକାଶର ଦ୍ବାର ପ୍ରଶସ୍ତ ହୋଇଛି। ଜାମ୍ମୁ-କାଶ୍ମୀର ଏବଂ ଲଦାଖର ଦ୍ରୁତ ବିକାଶ, ସେଠାକାର ସଂସ୍କୃତି ଏବଂ ପରମ୍ପରାଗୁଡ଼ିକର ସୁରକ୍ଷା, ପାରଦର୍ଶୀ ଏବଂ ସଚ୍ଚୋଟ ପ୍ରଶାସନ, ଗଣତନ୍ତ୍ରର ସଶକ୍ତୀକରଣକୁ ମୋ ସରକାର ପ୍ରାଥମିକତା ଦେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଯେଉଁଠି ୨୦୧୮ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ୩୫୦୦ ଘର ନିର୍ମାଣ ହୋଇଥିଲା, ସେଠାରେ ଗତ ୨ବର୍ଷ ମଧ୍ୟରେ ୨୪ ହଜାରରୁ ଅଧିକ ଘର ନିର୍ମାଣ ଶେଷ ହୋଇଛି ବୋଲି ରାଷ୍ଟ୍ରପତି କହିଥିଲେ।

Comments are closed.