ଶିବସେନା ବିଦ୍ରୋହୀ ବିଧାୟକ ପ୍ରସଙ୍ଗ ; ଜରୁରୀ ଶୁଣାଣିକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ଶିବସେନାର ବିଦ୍ରୋହୀ ବିଧାୟକ ମାନଙ୍କ ବିରୁଦ୍ଧରେ କରାଯାଇଥିବା ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜେ.ବି. ପଡ଼ିୱାଲାଙ୍କ ଖଣ୍ଡପୀଠ ଆସନ୍ତା ୧୧ ତାରିଖରେ ଏହି ଆବେଦନ ଉପରେ ବିଚାର କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ତାହାକୁ ମୁଖ୍ୟ ପିଟିସନ ଗୁଡ଼ିକ ସହ ବିଚାର କରାଯିବ । ଏକନାଥ ସିନ୍ଦେ ଓ ଅନ୍ୟ ୧୫ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଉପରେ
ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ସେମାନଙ୍କୁ ନିଲମ୍ବନ  କରିବାକୁ ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ଦାଖଲ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ।

ଗତ ସୋମବାର ଦିନ ସୁପ୍ରିମକୋର୍ଟ ଏକନାଥ ସିନ୍ଦେ ଓ ୧୫ ଜଣ  ବିଧାୟକଙ୍କୁ  ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ
ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଥିଲେ । ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରି ଜିରୱାଲ ଜାରି କରିଥିବା ଅଯୋଗ୍ୟ ଘୋଷଣା ବିଜ୍ଞପ୍ତି ଉପରେ ଜବାବ ଦେବାକୁ ସେମାନଙ୍କୁ ୧୨ ତାରିଖ ପର୍ଯ୍ୟନ୍ତ ମହଲତ
ଦିଆଯାଇଥିଲା ।
ଏହାର ଦୁଇଦିନ ପରେ ରାଜ୍ୟପାଳ ବିଧାନସଭାରେ ମହାବିକାଶ ଅଘାଡ଼ି ସରକାରଙ୍କୁ ଆସ୍ଥାସୂଚକ ଭୋଟ ଲୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଶିବସେନା ଚ୍ୟାଲେଞ୍ଜ କରିଥିବା ସତ୍ତ୍ବେ ସୁପ୍ରିମକୋର୍ଟ ଏହା ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ ଗତ ମାସ ୨୯ ତାରିଖରେ ମନା କରିଥିଲେ । ଏହା ପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ
ପଦରୁ ଇସ୍ତଫା ଦେଇଥିଲେ ଓ ଗତ ସନ୍ଧ୍ୟାରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ ଗ୍ରହଣ କରିଥିଲେ ।

Comments are closed.