୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩ଟି ଲୋକସଭା ଏବଂ ୨୯ ବିଧାନସଭା ଆସନ ପାଇଁ ଉପନିର୍ବାଚନ: ଆଜି ଚାଲିଛି ଭୋଟଗ୍ରହଣ

ନୂଆଦିଲ୍ଲୀ: ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩ଟି ଲୋକସଭା ଏବଂ ୨୯ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ସେଥିମଧ୍ୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାଭେଳି ଓ ଡାମନ ଓ ଡିୟୁ ଅନ୍ତର୍ଭୁକ୍ତ । ଏହି ଉପନିର୍ବାଚନରେ ମୋଟ ୨୬,୫୦,୦୦୪ ଯୋଗ୍ୟ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଭୋଟଗ୍ରହଣ କେନ୍ଦ୍ରଗୁଡିକରେ କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରିବାକୁ ଭାରତର ନିର୍ବାଚନ ଆୟୋଗ ସମସ୍ତ ପୋଲିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି । ଅଧିକାଂଶ ସ୍ଥାନରେ ମୁଖ୍ୟତଃ ଭାରତୀୟ ଜନତା ପାଟିଂ ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ।
ଦାଦ୍ରା ଓ ନଗର ହାଭେଳି, ହିମାଚଳ ପ୍ରଦେଶର ମଣ୍ଡି ଏବଂ ମଧ୍ୟପ୍ରଦେଶର ଖଣ୍ଡୱା ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ଇଭିଏମ ଏବଂ ଭିଭିପାଟ୍‍ ବ୍ୟବହାର କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯନ୍ତ୍ରଗୁଡିକ ସହାୟତାରେ ଭୋଟଗ୍ରହଣ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଭୋଟ ଗଣତି ନଭେମ୍ବର ୨ ତାରିଖରେ ଆରମ୍ଭ ହେବ । ବିହାରର ଦରଭଙ୍ଗା ଜିଲାରେ ଥିବା କୁଶେଶ୍ୱର ଆସ୍ଥାନ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବାବେଳେ ପଶ୍ଚିମବଙ୍ଗର ଖରଦାହା, ଶାନ୍ତିପୁର, ଦିନହାଟା ଏବଂ ଗୋସାବା ଆଦି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଜଣାଯାଇଛି ଯେ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚିତ ସାଂସଦ ବିଜେପିର ରାମସ୍ୱରୁପ ଶର୍ମାଙ୍କର ଗତ ମାର୍ଚ୍ଚରେ ପରଲୋକ ଘଟିଥିଲା । ସେହିଭଳି ମଧ୍ୟପ୍ରଦେଶର ଖଣ୍ଡୱା ଲୋକସଭା ଆସନରୁ ନିର୍ବାଚିତ ବିଜେପି ସାଂସଦ ନନ୍ଦ କୁମାର ସିଂ ଚୌହାନଙ୍କର ପରଲୋକ କାରଣରୁ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଦାଦ୍ରା ଓ ନଗର ହାଭେଳିରୁ ନିର୍ବାଚିତ ସ୍ୱାଧୀନ ସାଂସଦ ମୋହନ ଡେଲକରଙ୍କ ବିୟୋଗରେ ସେଠାରେ ଉପନିର୍ବାଚନ କରାଯାଉଛି ।
ଇତିମଧ୍ୟରେ ନାଗାଲାଣ୍ଡର ସାମତୋର-ଚେସୋର ବିଧାନସଭା ଆସନରେ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟିର ପ୍ରାର୍ଥୀ ଏସ କେଓଶୁ ୟିମଚୁଙ୍ଗେରଙ୍କୁ ଅକ୍ଟୋବର ୧୩ ତାରିଖରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି । ଅନ୍ୟପକ୍ଷରେ କଂଗ୍ରେସର ଏକ ପ୍ରତିନିଧି ଦଳ ଶୁକ୍ରବାର ଦିନ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରି ତେଲେଙ୍ଗାନାର ହୁଜୁରାବାଦ ବିଧାନସଭା ଆସନରେ ଉପନିର୍ବାଚନ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଅର୍ଥ ବଳ ପ୍ରୟୋଗ କରାଯାଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Comments are closed.