ପାଖେଇ ଆସୁଛି ଉପନିର୍ବାଚନ : ବାଲେଶ୍ବର, ତିର୍ତ୍ତୋଲରେ ତୁମୁଳ ଲଢ଼େଇ
ଦମ୍ ଦେଖାଇବେ ତାରକା ପ୍ରଚାରକ

ଭୁବନେଶ୍ୱର : କୋଭିଡ଼ ମହାମାରୀ ଭିତରେ ଜୀବନ ଓ ଜୀବିକାକୁ ନେଇ ସଂଘର୍ଷ ଚାଲିଥିଲେ ବି ବାଲେଶ୍ବର ଓ ତିର୍ତ୍ତୋଲ ଉପର୍ବାଚନକୁ ନେଇ ଚର୍ଚ୍ଚା। ଏହି ଦୁଇଟି ଆସନରେ ଆଗକୁ ତୁମୁଳ ଲେଢ଼ଇର ଆଭାସ ମିଳିଲାଣି। ମଇଦାନ ପ୍ରସ୍ତୁତ ଥିବାବେଳେ ନେତା, ଅଭିନେତାଙ୍କ ଭିଡ଼ ଜମିଲାଣି। କେଉଁ ଦଳର ପ୍ରାର୍ଥୀ ଜିତିବେ ସେ ପ୍ରସଙ୍ଗ ଏବେ ରାଜନୈତିକ ମହଲକୁ ଆନ୍ଦୋଳିତ କରୁଛି। ପ୍ରାର୍ଥୀ ତାଲିକା ଘୋଷଣା ଓ ନାମାଙ୍କନପତ୍ର ଦାଖଲ ପରେ ଏବେ ତାରକା ପ୍ରଚାରକଙ୍କ ତାଲିକା ବି ଘୋଷଣା ହୋଇସାରିଛି। ତିନି ପ୍ରମୁଖ ଦଳର ତାରକା ପ୍ରଚାରକଙ୍କ ସମେତ ସେମାନଙ୍କ ଛାମୁଆ ସଙ୍ଗଠନ, ଜିଲା ସ୍ତରର ସାଙ୍ଗଠନିକ କର୍ମକର୍ତ୍ତା ଦୁଇ ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତରେ ଡ଼େରା ପକାଇଛନ୍ତି। କେବଳ ଡ଼େରା ପକାଇନାହାନ୍ତି, ଜନସଧାରଣଙ୍କ ସମର୍ଥନ ନିଜ ସପକ୍ଷରେ ନେବା ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ୨୦୧୯ ସାଧରଣ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଭିତରେ ପରସ୍ପରକୁ ମୁକାବିଲ କରିବା ନେଇ ଯେଉଁ ଢ଼ଙ୍ଗରେ ପ୍ରଚାର ଚାଲିଥିଲା ଏବେ ପ୍ରାୟ ସେହିପ୍ରକାର ପରିେବଶ। ଶାସକ ବିଜେଡ଼ିର ତାରକା ପ୍ରଚାରକ ତାଲିକାର ଅଗ୍ରଭାଗରେ ଦଳର ସଭାପତି ନବୀନ ପଟ୍ଟନାୟକ ଥିବାବେଳେ ସେ ହିଁ ଦଳ ପାଇଁ ସବୁଠୁ ଆକର୍ଷଣୀୟ ବ୍ୟକ୍ତିତ୍ବ। କାରଣ ନବୀନଙ୍କ ବିନା ଦଳୀୟ ପ୍ରଦର୍ଶନ ସେତେ ଜମିବ ନାହିଁ ବୋଲି ସମସ୍ତଙ୍କୁ ଜଣା। ଅତୀତରେ ନବୀନ ନିର୍ବାଚନ ପ୍ରଚାରକୁ ନଯିବା ଦ୍ବାରା ଦଳକୁ କିପରି କ୍ଷତି ସହିବାକୁ ପଡ଼ିଥିଲା ତାହାର ନଜିର ରହିଛି। ତେଣୁ ସେ ପ୍ରକାର ପରୀକ୍ଷାନିରୀକ୍ଷାକୁ ଦଳ ଆଉ ଦୋହରାଇବାକୁ ଚାହୁଁନି। ଏହାଛଡ଼ା ଦଳ ଭିତରେ ଅଭିନେତାଙ୍କୁ ନେଇ ଯେଉଁ ଆକର୍ଷଣ ଥିଲା ତାହା ଏବେ ନାହିଁ। ଏଥର ବି ଅଭିନେତା ତଥା ସାଂସଦ ଅନୁଭବ ତାରକା ପ୍ରଚାରକ ତାଲିକାରେ ନାହାନ୍ତି। ତଥାପି ଅରିନ୍ଦମ, ମୁନ୍ନା ଏବଂ କୁନା ତ୍ରିପାଠୀଙ୍କ ଭଳି ଅଭିନେତା ଅଛନ୍ତି। ସାଙ୍ଗଠନିକ ଦକ୍ଷତା ଥିବା ଦଳର ଉପସଭାପତି ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ-ଅରୁଣ-ସଞ୍ଜୟଙ୍କ ଭଳି ନେତା ବି ଅଛନ୍ତି। ସେହିପରି ବିଜେପିରେ ଆକର୍ଷଣୀୟ ବ୍ୟକ୍ତିତ୍ବ ମଧ୍ୟରେ ଅଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ କେନ୍ଦ୍ରୀୟ ପ୍ରଭାରୀ ଅରୁଣ ସିଂହ, ଦଳ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ବିଜୟ ମହାପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜୁଏଲ ଓରାମ ଏବଂ ସମ୍ବିତ ପାତ୍ର, ଖାରବେଳ ସ୍ବାଇଁଙ୍କ ଭଳି ନେତା।
ଅନୁରୂପ ଭାବେ କଂଗ୍ରେସ ତାରକା ପ୍ରଚାରକ ତାଲିକାରେ ଥିବା ନେତାଙ୍କ ଭିତରେ ଭୋଟରଙ୍କୁ ଆକର୍ଷିତ କରିବା ଭଳି ବ୍ୟକ୍ତିତ୍ବ ମଧ୍ୟରେ ଅଛନ୍ତି ସଦସ୍ୟ କଂଗ୍ରେସର ରାଜ୍ୟ ପ୍ରଭାରୀ ନିଯୁକ୍ତି ପାଇଥିବା ଚେଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜିତେନ୍ଦ୍ର ସିଂହ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ବାଳ, ରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝି, ଶରତ ରାଉତ ପ୍ରମୁଖ। ଏହାଛଡ଼ା ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତିଙ୍କ ଭଳି ଲୋକଙ୍କୁ ଭାଷଣରେ ଟାଣିପାରୁଥିବା ଚେହେରା ବି ସ୍ଥାନ ପାଇଛନ୍ତି। ୨୦୧୯ ନିର୍ବାଚନରେ ବିଜେପି ଓ ବିଜେଡ଼ି ଯେପରି ମୁହଁାମୁହିଁ ସ୍ଥିତିକୁ ଆସିଥିଲେ ଉପନିର୍ବାଚନରେ ପ୍ରାୟ ସେ ପ୍ରକାର ପରିସ୍ଥିତି ଉପୁଜିଲାଣି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବାେଲଶ୍ବର ଆସନଟି ପୂର୍ବରୁ ବିଜେପି ହାତରେ ଥିବାବେଳେ ତିର୍ତ୍ତୋଲ ଆସନଟି ବିଜେଡ଼ି ହାତରେ ଥିଲା। ଉପନିର୍ବାଚନରେ ଏହି ଦଳଗୁଡ଼ିକ ସେ ଆସନ ଧରି ରଖିବେ କିମ୍ବା ହାତରୁ ଖସିଯିବ ତାହା ଫଳାଫଳରୁ ସ୍ପଷ୍ଟ ହୋଇଯିବ। ଯାହା ଜଣାପଡ଼ୁଛି ଏବେ ବାେଲଶ୍ବରର ରାଜନୈତିକ ତାତି ତିର୍ତ୍ତୋଲ ଅପେକ୍ଷା ଅଧିକ ଅଛି। କାରଣ ତିର୍ତ୍ତୋଲ ଆସନଟି ପୂର୍ବରୁ ଶାସକ ଦଳ ହାତରେ ଥିବାରୁ ଏବଂ ଏଠାରେ ଦିବଙ୍ଗତ ନେତା ବିଷ୍ଣୁଙ୍କ ପୁତ୍ର ପ୍ରାର୍ଥୀ ହୋଇଥିବାରୁ ଏଠାରେ ଦଳ ଉଭୟ ଅନୁକମ୍ପା ଓ ଦଳୀୟ ସଙ୍ଗଠନ ଉପରେ ଭରସା ରଖିଛି। ସେହିପରି ବାଲେଶ୍ବର ଆସନରେ ମଧ୍ୟ ବିଜେପିର ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ପ୍ରାର୍ଥୀ ହୋଇଥିବାରୁ ଜନମତ ପୂର୍ବ ପରି ଅପରିବତ୍ତିତ ରହିବ ବୋଲି ଦଳୀୟ ନେତା ଆଶା ବାନ୍ଧିଛନ୍ତି। ଏସବୁ ଭିତରେ ବାଲେଶ୍ବରରେ ପ୍ରାର୍ଥୀ ମନୋନୟନକୁ ନେଇ ବିଜେଡ଼ିରେ ଥିବା ଅସନ୍ତୋଷକୁ ବିଜେପି ହାତେଇବାର ମଉକା ଖୋଜୁଥିବାବେଳେ ଏବେ ବିଜେଡ଼ିର କିଛି ବରିଷ୍ଠ ନେତା ସୁପ୍ରିମୋଙ୍କ ମନ୍ତ୍ର ପ୍ରୟୋଗ କରି ସବୁ ଅସନ୍ତୋଷକୁ ଦୂରେଇ ଦେଲେଣି ବୋଲି ଦାବି କରୁଛନ୍ତି। କେବଳ ବାଲେଶ୍ବର ନୁହେଁ ତିର୍ତ୍ତୋଲରେ ମଧ୍ୟ ବିଜଡ଼ିରେ ଅନୁରୂପ ସ୍ଥିତି ଦେଖାଦେଇଥିଲା। ସେଠାରେ ଦିବଙ୍ଗତ ନେତା ବିଷ୍ଣୁ ଦାସଙ୍କ ପୁଅ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ତଥାକଥିତ ବିରୋଧୀ କୁହାଯାଉଥିବା ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଗୋଷ୍ଠୀ ଭିତରେ ମନୋମାଳିନ୍ୟକୁ ଦୂର କରାଯାଇଥିବା ଦଳୀୟ ନେତା ଦାବି କରୁଛନ୍ତି। ଏଥିପାଇଁ ଘନ ଘନ ବୈଠକ ବି ଅନୁଷ୍ଠିତ ହୋଇସାରିଲଣି। ଉପନିର୍ବାଚନ ପାଇଁ ବାଲେଶ୍ବରଠୁ ଆରମ୍ଭ କରି ତିର୍ତ୍ତୋଲ ପର୍ଯ୍ୟନ୍ତ କେବଳ ବିଜେଡ଼ି ନୁହେଁ ବିଜେପି ଓ କଂଗ୍ରେସ କର୍ମୀ ମହଲରେ ବି ଅସନ୍ତୋଷ ରହିଛି, କିନ୍ତୁ ଭୋଟ ସମୟରେ ଏହା ଯେପରି ପଦାକୁ ନଆସିବ ସେଥିପାଇଁ ଦଳୀୟ ନେତା ସତର୍କତାର ସହ ଗୋଟି ଚାଳନା କରୁଛନ୍ତି। ବଡ଼ କଥା ହେଲା ଦଳ ଡ଼ିଅଁା ନେତାମାନେ ଏବେ ନୂଆ ଦଳକୁ ଆସି ବେଶ ସକ୍ରିୟ ଅଛନ୍ତି। ବାେଲଶ୍ବରରେ ବିଜେପି ନେତା ରଘୁନାଥ ମହାନ୍ତି ତାଙ୍କର ସାଙ୍ଗଠନିକ ଦକ୍ଷତା ପ୍ରୟୋଗରେ ବ୍ୟସ୍ତ ଥିବାବେଳେ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିବା ଅନେକ ନେତା ତିର୍ତ୍ତୋଲରେ ଅନୁରୂପ କୌଶଳ ଆପଣାଇବାରେ ଲାଗିଛନ୍ତି। ଉଭୟ ବାଲେଶ୍ବର ଓ ତିର୍ତ୍ତୋଲେର କଂଗ୍ରେସ ନୂଆ ପ୍ରାର୍ଥୀ ଦେଇଥିବାବେଳେ ଏବେ କଂଗ୍ରେସର ରାଜ୍ୟ ପ୍ରଭାରୀ ମଧ୍ୟ ନୂଆ। ଇତିମଧ୍ୟରେ କଂଗ୍ରେସର ଜିଲା ସଭାପତି ମଧ୍ୟ ନିଯୁକ୍ତି ପାଇସାରିଛନ୍ତି। ତେଣୁ ଦଳ ନୂଆ ଜୋସରେ ଲଢ଼ିବା ପାଇଁ ଯୋଜନା କରୁଛି। ଶାସକ ଦଳ ବାେଲଶ୍ବର ଓ ତିର୍ତ୍ତୋଲରେ ବିଜେପୁର ମଡ଼େଲ ପ୍ରୟୋଗ କରି ସଫଳତା ହାସଲ ଲକ୍ଷ୍ୟ ରଖିଥିବାବେଳେ ବିରୋଧୀ ଏଥର ବି ପୂର୍ବ ପରି ପ୍ରତିଦ୍ବନ୍ଦ୍ବୀଙ୍କୁ ଘେରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି।