ବଟ୍‌ଲର ଇଂଲଣ୍ଡ ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ

ଲଣ୍ଡନ: ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ତଥା ୱିକେଟରକ୍ଷକ ଜୋସ ବଟ୍‌ଲର ଇଂଲଣ୍ଡ ସୀମିତ ଓଭର କ୍ରିକେଟ ଦଳର ନୂତନ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଇଓନ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟରୁ ମଙ୍ଗଳବାର ଅବସର ଘୋଷଣା କରିବ​‌ା ପରେ ତାଙ୍କ ସ୍ଥାନରେ ଇଂଲଣ୍ଡ ୱେଲ୍‌ସ କ୍ରିକେଟ ବୋର୍ଡ(ଇସିବି) ବଟ୍‌ଲରଙ୍କୁ ଗୁରୁବାର ନୂତନ ଅଧିନାୟକ ନିଯୁକ୍ତ କରାଯାଇଛି। ୩୧ ବର୍ଷୀୟ ବଟ୍‌ଲର ୨୦୧୫ରୁ ସୀମିତ ଓଭର କ୍ରିକେଟ ଦଳର ଉପ ଅଧିନାୟକ ଦାୟିତ୍ବ ତୁଲାଇ ଆସୁଥିଲେ। ୨୦୧୧ରେ ଅନ୍ତର୍ଜାତୀୟ କ୍ରିକେଟ ପଦାର୍ପଣ କରିଥିବା ବଟ୍‌ଲର ୧୫୧ଟି ଦିନିକିଆ ଓ ୮୮ଟି ଟି୨୦ ମ୍ୟାଚ ଖେଳିଛନ୍ତି। ଇଂଲଣ୍ଡ ପୁରୁଷ କ୍ରିକେଟ ଦଳର ପରିଚାଳନା ନିର୍ଦେଶକ ରୋବ୍‌ କି କହିଛନ୍ତି ଯେ, ବଟ୍‌ଲର ୭ବର୍ଷ ହେବ ଦିନିକିଆ ଓ ଟି୨୦ ଦଳର ଉପ ଅଧିନାୟକ ଦାୟିତ୍ବ ତୁଲାଇ ଆସୁଥିଲେ। ମୋର୍ଗାନଙ୍କ ଅବସର ପରେ ବଟ୍‌ଲର ହିଁ ତାଙ୍କ ସ୍ଥାନ ପୂରଣ କରିବାକୁ ଯୋଗ୍ୟ ବୋଲି ରୋବ୍‌ କି କହିଛନ୍ତି। ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ବଟ୍‌ଲର ନିକଟରେ ନେଦରଲାଣ୍ଡ୍‌ସ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୨ଟି ମ୍ୟାଚରୁ ୨୪୮ରନ କରିଥିବାବେଳେ ଇଂଲଣ୍ଡ ଶୃଙ୍ଖଳାକୁ ୩-୦ରେ ଜିତି ନେଇଥିଲା। ଏହାଛଡ଼ା ବଟଲର ଆଇପିଏଲ-୧୫ରେ ସର୍ବାଧିକ ରନ ସ୍କୋରର ଥିଲେ। ରାଜସ୍ଥାନ ରୟାଲ୍‌ସ ପାଇଁ ଖେଳିଥିବା ବଟ୍‌ଲର ୪ଟି ଶତକ ସହ ୮୬୩ରନ କରିଥିଲେ।

ମୋର୍ଗାନଙ୍କ ଅଧିନାୟକତ୍ବରେ ଖେଳିବାର ବହୁତ କିଛି ଅଭିଜ୍ଞତା ମିଳିଛି। ମୋର୍ଗାନଙ୍କ ଅଧିନାୟକତ୍ବରେ ୨୦୧୯ ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ​‌େ​‌ହବାର ସୌଭାଗ୍ୟ ପାଇଥିଲୁ ବୋଲି ବଟ୍‌ଲର କହିଛନ୍ତି। ବଟ୍‌ଲର ଜୁଲାଇ ୭ରୁ ଭାରତ ବିପକ୍ଷ ଖେଳାଯିବାକୁ ଥିବା ଟି୨୦ ଶୃଙ୍ଖଳାରୁ ଅଧିନାୟକତ୍ବ ଇନିଂସ ଆରମ୍ଭ କରିବେ। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ବକପ ରହିଥିବାରୁ ଏହା ବଟ୍‌ଲରଙ୍କ ପାଇଁ ବଡ ଆହ୍ବାନ ରହିବ।

Comments are closed.