୩୪ଯାତ୍ରୀଙ୍କ ସହ ବସ୍‌କୁ ନେଇଗଲା ଅର୍ଥଲଗାଣକାରୀ ସଂସ୍ଥା

ଆଗ୍ରା: ଉତ୍ତରପ୍ରଦେଶର ଏକ ଘରୋଇ ଯାତ୍ରୀବାହୀ ବସକୁ ଆଗ୍ରା ନିକଟ ମାଲପୁର ନ୍ୟୁ-ସାଉଥ ବାଇପାସ୍‌ଠାରୁ ବୁଧବାର ସକାଳେ ସିନେମା ଶୈଳୀରେ ଅପହରଣ କରି ନିଆଯାଇଛି। ବସ୍‌ରେ ୩୪ ଯାତ୍ରୀ ଥିଲେ। ବସ୍‌ ପଡ଼ୋଶୀ ହରିୟାଣାର ଗୁରୁଗ୍ରାମରୁ ମଧ୍ୟପ୍ରଦେଶର ପାନ୍ନା ଅଭିମୁଖେ ଯାଉଥିଲା। ଏହି ଅପହରଣ ପଛରେ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ହାତ ଥିବା ସୂଚନା ମିଳିଛି। ବାସ୍ତବରେ ବସ୍‌ ଅପହରଣ ହୋଇ ନାହିଁ; ବକେୟା ଅର୍ଥ ଯୋଗୁଁ ସଂସ୍ଥାର କର୍ମଚାରୀମାନେ ଏହାକୁ ଜବତ କରିଥିବା ଜଣାପଡ଼ିଛି। ବସ୍‌ର ଚାଳକଙ୍କ କହିବାନୁସାରେ, କିଛି ଲୋକ ବୁଧବାର ସକାଳେ ବସ୍‌କୁ ପିଛା କରି ବାଇପାସ୍‌ ନିକଟ ଅଟକାଇ ଥିଲେ। ସେମାନେ ନିଜକୁ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେବା ସହ ଏହାକୁ ନିଜ ଅକ୍ତିଆରକୁ ନେଇଥିଲେ। ପରେ ବସ୍‌କୁ ନେଇ ଏକ ଢାବା ନିକଟରେ ଅଟକାଇବା ସହ ଯାତ୍ରୀଙ୍କୁ ସେମାନଙ୍କ ଯାତ୍ରା ଭଡା ବାବଦ ଟଙ୍କା ଫେରସ୍ତ କରି ଦିଆଯାଇଥିଲା। ଖାଦ୍ୟ ମଧ୍ୟ ଖାଇବାକୁ ଦିଆଯାଇଥିଲା। ଏଥିସହିତ ଚାଳକ ରମେଶ ଓ କଣ୍ଡକ୍ଟର ପ୍ରମୁଖଙ୍କୁ ଓହ୍ଲାଇଦେଇ ଗାଡ଼ି ଧରି ସେମାନେ ପଳାଇଥିଲେ। ଚାଳକ ମାଲପୁରା ଥାନାରେ ଏ ସମ୍ପର୍କରେ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଆଗ୍ରା ଏସିପି ବାବୁଲ କୁମାରଙ୍କ ସୂଚନାନୁସାରେ ଶ୍ରୀରାମ ଫାଇନାନ୍ସର କର୍ମଚାରୀମାନେ ଗାଡ଼ିକୁ ଜବତ କରିଛନ୍ତି। ବସ୍‌କୁ ଠାବ କରିବା ଉଦ୍ୟମ ସହ ଅଧିକ ତଦନ୍ତ ଚାଲିଛି।

Comments are closed.