ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର 

ବୌଦ୍ଧ : ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିବା ମୁନଲାଇଟ୍‍ ନାମକ ଏକ ବେସରକାରୀ ଯାତ୍ରୀବାହୀ ବସ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ଖୁଂଟବନ୍ଧ କେନାଲ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡର ଏକ ବିଦ୍ୟୁତ ଖମ୍ବରେ ଧକ୍କା ହୋଇ ଓଲଟି ପଡିଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ପ୍ରତ୍ୟୁଷ ସମୟରେ ବୌଦ୍ଧ ସହର ଅତିକ୍ରମ କରି ବଲାଙ୍ଗୀର ରାସ୍ତାରେ ପ୍ରାୟ ୧୫ କିଲୋମିଟର ଯିବା ପରେ ଗାଡିଟି ଦୁର୍ଘଟଣାର ଶୀକାର ହୋଇଥିଲା। ଗାଡିରେ ପ୍ରାୟ ୫୦ ଜଣ ଯାତ୍ରୀଥିବାବେଳେ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ସୂଚନା ପାଇ ବୌଦ୍ଧଥାନାର ପିସିଆର ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ପହଂଚାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଥିବା ଜଣାଯାଇଛି। ପ୍ରତ୍ୟୁଷ ସମୟରେ ଡ୍ରାଇଭର ଆଖି ଲାଗିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଥିବାବେଳେ ପୋଲିସ ପହଂଚି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।

Comments are closed.