କେରଳ କଲେଜରେ ବୁର୍ଖା ପରିଧାନ ନିଷିଦ୍ଧ

ତିରୁଅନନ୍ତପୁରମ : ଶ୍ରୀଲଙ୍କା ଭଳି ଭାରତରେ ବୁର୍ଖା ପରିଧାନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଶିବସେନା ଓ ହିନ୍ଦୁ ସେନା ଭଳି ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି। ଏହା ମଧ୍ୟରେ କେରଳର ଏକ କଲେଜ ବୁର୍ଖା ପରିଧାନକୁ ନିଷିଦ୍ଧ କରିଛି। ମୁସଲମାନ ଛାତ୍ରୀମାନେ ବୁର୍ଖା ପିନ୍ଧି କଲେଜକୁ ଆସିପାରିବେ ନାହିଁ ବୋଲି କଲେଜ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି।

ସୂଚନା ଅନୁସାରେ କେରଳ ମଲ୍ଲପୁରମସ୍ଥିତ ସଂଖ୍ୟାଲଘୁ କଲେଜରେ ବୁର୍ଖା ପରିଧାନ ଉପରେ କଟକଣା ଜାରି କରାଯାଇଛି। ଏହି କଲେଜ ମୁସଲିମ ଏଜୁକେଶନ ସୋସାଇଟ୍ ଦ୍ୱାରା ପରିଚାଳିତ ହେଉଛି। ଲୋକସଭା ନିର୍ବାଚନ ମଧ୍ୟରେ ଏହି ପ୍ରତିବନ୍ଧକକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହେବ ବୋଲି ଆଶଙ୍କା କରାଯାଇଛି। କେରଳର କେତେକ ସ୍ଥାନୀୟ ସଂଗଠନ କଲେଜର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଶ୍ରୀଲଙ୍କାରେ ମୁସଲମାନ ମହିଳାଙ୍କ ବୁର୍ଖା ପରିଧାନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଦେଶରେ ମୁସଲମାନ ମହିଳାମାନେ କୌଣସି ପ୍ରକାରର ବୁର୍ଖା ପରିଧାନ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନା ନିର୍ଦେଶନାମା ଜାରି କରିଛନ୍ତି। ମହିଳାମାନେ ପରିଚୟକୁ ଗୁପ୍ତ ରଖୁଥିବା ତଥା ମୁହଁ ଘୋଡାଇବା ଲାଗି କୌଣସି ପ୍ରକାର ପୋଷାକ ବ୍ୟବହାର କରିପାରିବେ ନାହିଁ ବୋଲି କୁହାଯାଇଛି । ଏପ୍ରିଲ ୨୧ ତାରିଖ ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ​‌ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ରାଜଧାନୀ କଲମ୍ବୋର ୩ଟି ଚର୍ଚ୍ଚ ଓ ତିନିଟି ହୋଟେଲରେ କ୍ରମାଗତ ବିସ୍ଫୋରଣ ଘଟି ୨୫୦ ଲୋକଙ୍କର ମୃତ୍ୟୁ ହେବା ସହ ୫୦୦ ଆହତ ହୋଇଥିଲେ।

ଏହାପରେ ଭାରତରେ ବୁର୍ଖା ପରିଧାନକୁ ନିଷିଦ୍ଧ କରିବା ଦାବି ଜୋର ଧରିଛି। ଶିବସେନା ନିଜ ମୁଖପତ୍ର ‘ସାମନା’ର ସମ୍ପାଦକୀୟ ଜରିଆରେ ସର୍ବସାଧାରଣରେ ପରିଚୟକୁ ଗୁପ୍ତ ରଖୁଥିବା ବୁର୍ଖା ଭଳି ସମସ୍ତ ପରିଧାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ରଖିଛି। ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଶିବସେନାର ଏହି ଦାବିକୁ ସମର୍ଥନ ଦେଇଛନ୍ତି।

Comments are closed.