ଭିମ୍ସାର ନିର୍ଦ୍ଦେଶକ ପାଇଁ ୫ ଆଶାୟୀ – ୮ରେ ସାକ୍ଷାତକାର

ବୁର୍ଲା: ଭିମସାରର ସ୍ଥାଣୁ ପରିଚାଳନା ବ୍ୟବସ୍ଥା ସୁଧୁରିବା ନେଇ ଆଶାର କିରଣ ଦେଖାଦେଇଛି। ସ୍ଥାୟୀ ନିର୍ଦ୍ଦେଶକ ପଦ ପାଇଁ ପୂର୍ବରୁ କେହି ପ୍ରାର୍ଥୀ ଆଗ୍ରହୀ ନ ହେବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବେତନ ଅସଙ୍ଗତି ଦୂର ଓ କ୍ଷମତା ପ୍ରଦାନ ପ୍ରସଙ୍ଗରେ ସବୁଜ ସଙ୍କେତ ଦିଆ ଯାଇଥିଲା। ଏହା ପରେ ଚିଠି ସଂଖ୍ୟା ୩୦୨୦୯-୨୨/୧୧/୨୦୨୦ ଅନୁସାରେ ତିନି ଜଣ ଆଶାୟୀ ଏବଂ ପରେ ପୁଣି ଚିଠି ସଂଖ୍ୟା ୨୮୨୮-୩୧/୦୧/୨୦୨୦ ଅନୁସାରେ ଦୁଇ ଜଣ ପ୍ରାର୍ଥୀଙ୍କୁ ସ୍ଥାୟୀ ନିର୍ଦେର୍ଶକ ଚୟନ ପାଇଁ ଆସନ୍ତା ୮ ତାରିଖ ସାକ୍ଷାତକାର ପରୀକ୍ଷା ହେବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।
ପୂର୍ବରୁ ଅଶ୍ୱିନୀ କୁମାର ପୂଜାହାରୀ ବିବାଦୀୟ ପରିସ୍ଥିତିରେ ଏହି ପଦରୁ ଇସ୍ତଫା ଦେଲା ପରଠୁ ଭିମସାରର ପରିଚାଳନା ବ୍ୟବସ୍ଥା ଏକ ପ୍ରକାର ସ୍ଥାଣୁ ହୋଇଯାଇଥିଲା। ଦୁଇ ଜଣଙ୍କୁ କାର୍ୟ୍ୟକାରୀ ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ କରାଯାଇଥିଲା। ମାତ୍ର ଏହାପରେ ନିର୍ଦ୍ଦେଶକ ପଦ ଖାଲି ରହିଥିଲା। ନିର୍ଦ୍ଦେଶକଙ୍କ ପାଇଁ ଧାର୍ୟ୍ୟ ସ୍ୱଳ୍ପ ବେତନ ତଥା ଅନ୍ୟାନ୍ୟ କାରଣକୁ ନେଇ ଅସଙ୍ଗତି ଦୁର କରାଯିବା ପରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥି ପାଇଁ ଭିମସାର ମେଡିକାଲ କଲେଜର ପୂର୍ବ ଅଧ୍ୟକ୍ଷ ତଥା ମେଡିସିନ ପ୍ରଫେସର ମନୋଜ ମହାପାତ୍ର, ବଲାଙ୍ଗିର ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଲଳିତ ମେହେର ଏବଂ ଏସପିଏମ ବିଭାଗର ପ୍ରଫେସର କିଶୋର ବେହେରା ଆବେଦନ କରିଥିଲେ। ପୁଣି ଜାନୁଆରୀ ୩୧ ତାରିଖରେ ପ୍ରାର୍ଥୀ ଆହ୍ୱାନ କରାଯାଇ ଗତ ଫେବ୍ରୁଆରୀ ୨୦ ତାରିଖ ସାକ୍ଷାତକାର ପାଇଁ ଉଲ୍ଲେଖ ଥିଲା। ମାତ୍ର ତାହା କାର୍ୟ୍ୟକାରୀ ହୋଇ ନଥିଲା। ଇତିମଧ୍ୟରେ ପ୍ରଫେସର ଅକ୍ଷୟ ସାମଲ ଏବଂ ପ୍ରଫେସର କ୍ଷୀରୋଦ ମିଶ୍ର ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି।
ଏବେ କରୋନା ପ୍ରତିରୋଧଜନିତ ଜରୁରି ଆବଶ୍ୟକତା ସମୟରେ ଭିମସାର ନିର୍ଦେଶକ ପଦ ପୂରଣ ହେବ ବୋଲି ଆଶା ପ୍ରକାଶ ପାଇଛି। ଏଥି ପାଇଁ ଦରମା ହାର ୩୭,୪୦୦ ଟଙ୍କା-୬୭,୦୦୦ ଟଙ୍କା କରାଯାଇଛି। ସହକାରୀ ପ୍ରଫେସରଙ୍କ ବେତନହାରରୁ ଏହାକୁ ପ୍ରଫେସର ସ୍ତରକୁ କରାଯାଇଛି। ଏଥି ପାଇଁ ୫ ଜଣ ଆଶାୟୀ ରହିଛନ୍ତି।