ବୁର୍ଲା ଭିମସାର କୋଭିଡ଼ ପରିଚାଳନାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ବୁର୍ଲା: ଜିଲାର କୋଭିଡ଼-୧୯ ସ୍ଥିତିର ସମୀକ୍ଷା ଓ ଏହାର ମୁକାବିଲା ପାଇଁ ନିଆ ଯାଉଥିବା ପଦକ୍ଷେପ ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ଶନିବାର ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଭିମସାର ଗସ୍ତରେ ଆସିଥିଲେ। ମୁଖ୍ୟ ଶାସନ ସଚିବଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରଦୀପ୍ତ କୁମାର ମହାପାତ୍ର, ଡ଼ିଏମଇଟି ପ୍ରଫେସର ସିବିକେ ମହାନ୍ତି ଏହି ଗସ୍ତ ସମୟରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ହସପିଟାଲ ଓ ଗବେଷଣା ସଂସ୍ଥାନ ଭିମସାର ମେଡ଼ିକାଲକୁ ଯାଇ ପରିଦର୍ଶନ କରିଥିଲେ। ପରେ ସେଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ଭିମସାର ଆଇସୋଲେସନ ବିଭାଗ ଓ ସମ୍ବଲପୁର କୋଭିଡ଼ ହସପିଟାଲରେ ରୋଗୀ ସେବାକୁ ଆହୁରି ସଂପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୁର୍ଲା ଭିମସାରରେ ଏଥିପାଇଁ ଏକ ଶହ ଶଯ୍ୟା ବିଶିଷ୍ଟ ଏକ ଆଇସୋଲେସନ କେନ୍ଦ୍ର ବିକଶିତ କରିବା ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ମଞ୍ଜୁର କରିଥିଲେ।

ବୈଠକରେ ରୋଗୀ ସେବା ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା। ଭିମସାରରେ ଏକ ଶହେ ଶଯ୍ୟା ବିଶିଷ୍ଟ ଆଇସୋଲେସନ ବିଭାଗ ନିର୍ମାଣ ପାଇଁ ବୈଠକରେ ସ୍ଥିର କରାଯାଇଛି। ବୈଠକରେ ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର କୋଭିଡ଼ ଓ ଅନ୍ୟାନ୍ୟ ଚିକିତ୍ସା ସେବା ବାବଦରେ ସୂଚନା ଦେଇଥିଲେ। ଏହା ସହିତ ନଅତାଲା ବିଶିଷ୍ଟ ଶିଶୁବିଭାଗୀୟ ପଡ଼ିରହିଥିବା ୯ ତାଲା ବିଶିଷ୍ଟ କୋଠାକୁ ଚୟନ କରଯାଇଛି। ପ୍ରକାଶ ଥାଉକି, ଏହି ୧୧କୋଟି ବ୍ୟୟ ଅଟକଳରେ ନଅତାଲା ବିଶିଷ୍ଟ କୋଠାକୁ ନୂତନ ଶିଶୁବିଭାଗ ଉଦ୍ୟୋଶ୍ୟରେ ନିର୍ମାଣ କରାଯାଇଥିଲା। ମାତ୍ର ତ୍ରୁଟିପୂର୍ଣ୍ଣ ନିର୍ମାଣ ଫଳରେ ଅଗ୍ନିସୁରକ୍ଷା ନିୟମ ମୁତାବକ ନିର୍ମାଣ କରା ନ ଯିବାକୁ ନେଇ ଦିର୍ଘ ପ୍ରାୟ ୭ ବର୍ଷରୁ ଊର୍ଦ୍ଧ୍ବ କାଳ ହେବ ଅବ୍ୟବହୃତ ହୋଇ ଜରାକିର୍ଣ୍ଣ ଅବସ୍ଥାରେ ଭିମସାରର ବୋଝ ସଦୃଶ ପଡ଼ିରହିଥିଲା। ଶିଶୁବିଭାଗ ପାଇଁ କୋଠା ଯୋଗ୍ୟ ନ ଥିବା ପ୍ରଶାସନିକ କୋଠା କରାଯିବା ପରେ ପୁଣି ସ୍ୱାସ୍ଥ୍ୟମନ୍ତ୍ରୀ ଏହାକୁ ଶିଶୁବିଭାଗ ଖୋଲାଯିବା ପାଇଁ ପ୍ରସ୍ତୁତ କରାଯିବା ପାଇଁ କହିଥିଲେ ମାତ୍ର ତାହା ସମ୍ଭବପର ହୋଇ ପାରି ନ ଥିଲା।

ସେପଟେ ବର୍ତ୍ତମାନ ଏହି ଅବ୍ୟବହୃତ ନଅତାଲା ବିଶିଷ୍ଟ କୋଠାକୁ କୋଭିଡ଼ ହସପିଟାଲରେ ରୁପାନ୍ତରିତ କରାଯିବା ପାଇଁ ଶେଷରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେପଟେ ଏହାକୁ ନେଇ ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କୁ ଯୋଗାଯୋଗ କରାଯିବା ଫଳରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲରେ ୧୫ଟି ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଭିମସାରର ନିର୍ଦ୍ଦେଶକ ପ୍ରଫେସର ମେହେର ସୂଚନା ଦେବା ସହିତ ଆଗାମୀ ୨୦ ଦିନ ମଧ୍ୟରେ ଏହି ନଅତାଲା ବିଶିଷ୍ଟ କୋଠାକୁ କୋଭିଡ଼ ହସପିଟାଲ ପାଇଁ ପ୍ରସ୍ତୁତି ପଦକ୍ଷେପ ନିଆଯିବା ଉପରେ ସୁଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିବା ମୁତାବକ, ଭିମସାରର ଆଇସୋଲେସନରେ ଶଯ୍ୟା ଅଭାବ ରହିଥିବା ଫଳରେ ଭିମସାରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ କରାଯିବା ସହିତ ଉକ୍ତ କୋଭିଡ଼ ହସପିଟାଲରେ ଅକ୍ସିଜାନ ପାଇପ ମାଧ୍ୟମରେ କରାଯାଇ ୨୦ଟି ଆଇସିୟୁ ସୁବିଧା ଏବଂ ଅସ୍ତ୍ରୋପଚାର କକ୍ଷ ରହିବ ଏବଂ ପ୍ରାୟ ୭ରୁ୧୦ ଦିନ ମଧ୍ୟରେ ଏହା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସୁଚନା ଦେଇଥିଲେ। ଏହା ସହିତ କର୍ମଚାରୀଙ୍କ ଅଭାବକୁ ପୁରଣ କରାଯିବା ପାଇଁ ପଦକ୍ଷେପ ନିଆଯିବ ।

ଏହି ବୈଠକରେ ଭିମସାରର ଅଧ୍ୟକ୍ଷ ପ୍ରଫେସର ବ୍ରଜମୋହନ ମିଶ୍ର, ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା, ଭିମସାର କରୋନା ନୋଡ଼ାଲ ଅଧିକାରୀ ଡ଼ାକ୍ତର ସୁଦର୍ଶନ ପୋଥାଲ, ପ୍ରଫେସର ପ୍ରଦୀପ କୁମାର ମହାନ୍ତି, ପ୍ରଫେସର ବର୍ଷା ଟୁଡ଼ୁ, ହସପିଟାଲର ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକଙ୍କ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ଡିଏମଇଟି ପ୍ରଫେସର ମହାନ୍ତି ପରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ, ଜିଲ୍ଲାପାଳ ଶୁଭମ ସକ୍ସେନା ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତଥିଲେ।

Comments are closed.