ହୀରାକୁଦ ରେଳଷ୍ଟେସନ ସମ୍ମୁଖରୁ ଓଏଚପିସି କର୍ମଚାରୀଙ୍କୁ ଲୁଟିଥିବା ଦୁଇଜଣ ଲୁଟେରା ଗିରଫ

ବୁର୍ଲା: ଜୁଲାଇ ୨୭ ତାରିଖ ଦିନ ଅପରାହ୍ନ ସମୟ ପ୍ରାୟ ୨ଟା ସମୟରେ ବୁର୍ଲା ଓଏଚପିସି କାର୍ଯ୍ୟାଳୟରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ହୀରାକୁଦ ରେଳ ଷ୍ଟେସନ ସମ୍ମୁଖରୁ ଲୁଟର ଶୀକାର ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଗୁରୁବାର ଏହି ଲୁଟେରାଙ୍କୁ କାବୁ କରିବାରେ ବୁର୍ଲା ପୁଲିସ ସଫଳ ହୋଇଛି। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ନଗଦ ଏକ ହଜାର ଟଙ୍କା ସମେତ ଏକ ସ୍କୁଟର ମଧ୍ୟ ଜବତ କରିଥିବା ବୁର୍ଲା ଥାନାଧିକାରୀ କମଲ କୁମାର ପଣ୍ଡାଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିବୃତୀରେ ସୂଚନା ଦିଆଯାଇଛି। ତେବେ ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ବୁର୍ଲା ଇନ୍ଦିରାଗାନ୍ଧୀ ମାର୍କେଟ ଅଞ୍ଚଳର ରିତିକ ଶର୍ମା(୧୯) ଏବଂ ଅନ୍ୟଜଣେ ବୁର୍ଲା ବିଷ୍ଣୁମନ୍ଦିର ପଡାର ରୋହିତ କୁମାର (୨୧) ବୋଲି ଜଣାପଡିଛି।

ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯିବ ବୋଲି ବୁର୍ଲା ଥାନା ସୁତ୍ରରୁ ସୁଚନା ମିଳିଛି। ସମ୍ବଲପୁର–ବରଗଡ ଜାତୀୟ ରାଜପଥର ହୀରାକୁଦ ରେଲଷ୍ଟେସନ ନିକଟରେ ବୁର୍ଲା ଓଏଚପିସି କାର୍ଯ୍ୟାଳୟରେ ଚାକିରି କରୁଥିବା ଜଣେ କର୍ମଚାରୀଙ୍କ ଠାରୁ ଏଭଳି ଲୁଟ୍‍ କରି ଦୁର୍ବୁତ୍ତ ଫେରାର ମାରିଥିବା ଗତ ୨୭ ତାରିଖ ଦିନ ଅଭିଯୋଗ ହୋଇଥିଲା। ଲୁଟର ଶୀକାର ହୋଇଥିବା କର୍ମଚାରୀ ଜଣକ ହେଲେ ସମ୍ବଲପୁର ଗୋବିନ୍ଦତଲାର ଲକ୍ଷ୍ମୀ ଅଶିଷ ମହାନନ୍ଦ। ତେବେ ଆଶିଷ ଦିନ ୨ ଟା ସମୟରେ ଅଫିସରୁ ନିଜ ଘର ଗୋବିନ୍ଦତଲା ଅଭିମୂଖେ ନିଜ ବାଇକରେ ଯାଉଥିବା ବେଳେ ହୀରାକୁଦ ରେଳଷ୍ଟେସନ ନିକଟରେ ଦୁର୍ବୁତ୍ତ ମାନେ ତାଙ୍କ ବାଇକ ଅଟକାଇବା ସହିତ ତାଙ୍କ ପକେଟରେ ଥିବା ନଗଦ ୩ ହଜାର ଟଙ୍କା ଲୁଟିନେଇ ଘଟଣା ସ୍ଥଳରୁ ଫେରାର ମାରିଥିଲେ। ଏହାପରେ ତୁରନ୍ତ ଆଶିଷ ବୁର୍ଲା ଥାନାକୁ ଯାଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ଏହାପରେ ଆଜି ଏହି ଅସାମାଜିକ ତତ୍ୱଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଛି।

Comments are closed.