ସମ୍ବଲପୁରୀ ଚଳଚିତ୍ର ଅଭିନେତା ଅଟଳ ପଣ୍ଡା ପୁଣି ଅସୁସ୍ଥ

ବୁର୍ଲା: ସମ୍ବଲପୁରୀ ଚଳଚିତ୍ର ‘ଶଲା ବୁଢ଼ା’, ‘ଶଲା ବୁଢ଼ାର ବଦଲା’ ଆଦିର ଖ୍ୟାତନାମା ଅଭିନେତା ତଥା ଜାତୀୟ ପୁରସ୍କାରପ୍ରାପ୍ତ ଡ. ଅଟଳ ବିହାରୀ ପଣ୍ଡା ସାମାନ୍ୟ ସୁସ୍ଥ ହେବାପରେ ରବିବାର ଅପରାହ୍ନରେ ଘରକୁ ଫେରିଥିଲେ। ପୁଣି ସୋମବାର ସନ୍ଧ୍ୟା ସମୟରେ ଅସୁସ୍ଥ ହେବାରୁ ତାଙ୍କୁ ପୁଣି ଭିମସାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ଥାଉକି, ଗତ ୧୬ ତାରିଖରେ ପତ୍ନୀ ଲଳିତାଙ୍କ ହୃଦ୍‌ଘାତରେ ବିୟୋଗ ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ି ମୌନରହି ଖିଆପିଆ ଛାଡ଼ି ଅସୁସ୍ଥ ହୋଇ ପଡ଼ିଥିଲେ। ସମ୍ପୂର୍ଣ୍ଣ ଭାବରେ ମୌନବ୍ରତ ଧାରଣକରି ଖିଆପିଆ ଛାଡ଼ି ଦେବାପରେ ଅସୁସ୍ଥ ହୋଇ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଥିଲେ।

ରକ୍ତସ୍ତର ହ୍ରାସ ତଥା ଶର୍କରାସ୍ତର ଅନେକ ମାତ୍ରାରେ ବୃଦ୍ଧି ପାଇବା ସହିତ ଛାତି ସଂକ୍ରମଣ ମଧ୍ୟ ରହିଥିଲା। ୧୨ ଦିନ ଧରି ଭିମସାରରେ ଚିକିତ୍ସିତ ହେବାପରେ ଗତକାଲି ଅପରାହ୍ନ ୪ଟା ସମୟରେ ଘରକୁ ଫେରିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବାରମ୍ବାର ଅବନତି ଘଟିବାକୁ ନେଇ ତାଙ୍କ ଶୁଭଚିନ୍ତକ ତଥା ଚଳଚିତ୍ର ଜଗତରେ ଉଦବେଗ ପ୍ରକାଶ ପାଇଛି।

Comments are closed.