ବୁର୍ଲା ଭିମସାରରେ ଶବକୁ ଅସମ୍ମାନ : ଫ୍ରିଜରରେ ରହିବା ବଦଳରେ ଆଶୁଚିକିତ୍ସା ବିଭାଗ ସମ୍ମୁଖରେ ପଡ଼ିରହିଲା ଶବ

ବୁର୍ଲା : ବୁର୍ଲା ଭିମସାରରେ ପୁଣି ଏକ ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଯୋର ଧରିଛି। ଘଟଣା ମୁତାବକ ବୁର୍ଲା ଭିମସାରରେ ଶବକୁ ଅସମ୍ମାନ କରାଯିବା ପରି ଏକ ଘଟଣା ଲୋକଲୋଚନକୁ ଆସିିଛି। ଆଶୁଚିକିତ୍ସା ବିଭାଗରେ ଜଣେ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ୧୪ ଘଣ୍ଟା ଧରି ଆଶୁଚିକିତ୍ସା ବିଭାଗ ଶଯ୍ୟାରେ ଶବ ପଡିରହିଥିଲା ଏବଂ ପରେ କିଛି କର୍ମଚାରୀ ଶବକୁ ଆଣି ଆଶୁଚିକିତ୍ସା ବିଭାଗ ବାହାର ବାରଣ୍ଡାରେ ଶବକୁ ଗଡ଼ାଇ ଦେଇ ଚାଲିଯାଇଥିବା ଅଭିଯୋଗ ହୋଇଛି। ଶବ ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ କାଳ ଆଶୁଚିକିତ୍ସା ବାରଣ୍ଡାରେ ପଡିରହିଥିଲା। ପରେ ଆଶୁଚିକିତ୍ସା ବିଭାଗ ସିଏମଓ(ଚିଫ୍‍ ମେଡ଼ିକାଲ ଅଫିସର) ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଶବକୁ ବାରଣ୍ଡାରୁ ଉଠାଇ କୌଣସି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଶବ ରଖିବା ପାଇଁ ଉପଯୁକ୍ତ ସ୍ଥାନ ନ ମିଳିବାରୁ ମେଡିକାଲ ପରିସରରେ ଛିଡା ହୋଇଥିବା ଏକ ସ୍ୱର୍ଗରଥ ଗାଡି ମଧ୍ୟରେ ରଖାଯାଇଥିଲା। ସଂନ୍ଧ୍ୟା ସମୟରେ ମୃତକଙ୍କ ପରିବାର ଲୋକେ ଆସିବା ପରେ ଶବକୁ ନେଇ ନିଜଗାଡିରେ ଘରକୁ ଯାଇଥିବା ଜଣାପଡିଛି।

ତେବେ ମୃତକ ଜଣକ ହେଲେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳର ରାମୁ ଚୌହାନ(୫୧) ବୋଲି ଜଣାପଡିଛି। ମିଳିଥିବା ସୂଚନା ମତେ ରାମୁ ନିମୋନିଆଁରେ ଆକ୍ରାନ୍ତ ହୋଇ ବୁର୍ଲା ଭିମସାରକୁ ଗତକାଲି ରାତିରେ ଚିକିତ୍ସା ପାଇଁ ଆସିଥିଲେ। ସାଙ୍ଗରେ ଦୁଇଜଣ ସମ୍ପର୍କିୟ ମଧ୍ୟ ଆସିଥିଲେ ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୨ ଟାରେ ରାମୁଙ୍କ ମୃତ୍ୟୁ ହୋଇ ଯଇଥିଲା। ରାତି ୨ ଟାରୁ ଆଜି ସଂନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ତାଙ୍କ ଶବ ଆଶୁଚିକିତ୍ସା ବିଭାଗ ଶଯ୍ୟାରେ ହିଁ ରହିଥିଲା। ପରେ ଶବକୁ ଫ୍ରିଜରରେ ରଖିବା ପାଇଁ ଆଶୁଚିକିତ୍ସା ବିଭାଗରୁ ଷ୍ଟିୱାର୍ଡକୁ ମଧ୍ୟ ସୂଚନା ଦିଆଯାଇଥିଲେ ମଧ୍ୟ ଫ୍ରିଜରରେ ରଖାଯାଇ ପାରି ନ ଥିଲା। ଟଙ୍କାଦେଇ ଗାଡି ଭଡାକରି ଶବ ନେବା ପାଇଁ ଆସିଥିବା ସମ୍ପର୍କିୟ ଅସମର୍ଥତା ପ୍ରକାଶ କରିଥିଲେ। ଶବ ଦୀର୍ଘ ୧୪ ଘଣ୍ଟା ଧରି ଆଶୁଚିକିତ୍ସା ବିଭାଗ ଶଯ୍ୟାରେ ପଡିରହିବା ପରେ ଆଜି ସଂନ୍ଧ୍ୟା ୪ ଟାରେ ଆଶୁଚିକିତ୍ସା ବିଭାଗରୁ ଶବ ବାହାର କରି ଆଶୁଚିକିତ୍ସା ବିଭାଗ ସମ୍ମୁଖ ବାରଣ୍ଡାରେ ରଖିଦିଆ ଯାଇଥିଲା। ଶବ ଦୁଇଘଣ୍ଟା ବାରଣ୍ଡାରେ ପଡିରହିଥିଲା।

ତେବେ ଶବକୁ ଏଭଳି ଭାବରେ ପକାଇ ରଖିବା ଘଟଣାକୁ ନେଇ ଏହା ଶବ ପ୍ରତି ଅସମ୍ମାନ ବୋଲି ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଯୋର ଧରିଛି। ତେବେ କାହିିଁକି ଶବକୁ ଏଭଳି ଅସମ୍ମାନ କରାହେବାକୁ ନେଇ ବିଭିନ୍ନ ଚର୍ଚ୍ଚା ଯୋର ଧରିଛି। ଏହି ଘଟଣାକୁ ନେଇ ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ପଚରା ଯିବାରୁ ଘଟଣା ତଦନ୍ତ ହେବା ପରେ କଣ ହୋଇଛି ପ୍ରକୃତ ଘଟଣା ଜଣପଡିବ ବୋଲି ସୁଚନା ଦେଇଛନ୍ତି। ତେବେ ବିଭିନ୍ନ କ୍ଷେତ୍ରରେ ବୁର୍ଲା ଭିମସାରର ଅସ୍ଥାୟୀ ବ୍ୟବସ୍ତା ମଧ୍ୟରେ ଘାଣ୍ଟିଚକଟି ହେବା ସହିତ କୌଣସି ସୁବ୍ୟବସ୍ତା ପ୍ରତି ଆଦୌ ଧ୍ୟାନ ମଧ୍ୟ ଦିଆଯାଉ ନାହିଁ କି କୌଣସି ଆନ୍ତରିକତା ଦେଖାଯାଉ ନାହିଁ ଯାହାଫଳରେ ଭିମସାରର ଢ଼ିଲାମେଲା ପରିଚାଳନା ବ୍ୟବସ୍ତାରେ ରୋଗୀସେବା ତିବ୍ରତର ଭାବରେ ପ୍ରଭାବିତ ହୋଇଚାଲିଛି।

Comments are closed.