ଧିରେ ଧିରେ ଅସୁରକ୍ଷିତ ପ୍ରତୀତ ହେଉଛି ଶିକ୍ଷାନଗରୀ ବୁର୍ଲା ସହର : ଅପରାଧିକ ତତ୍ୱଙ୍କ ଉପରେ ଅଙ୍କୁଶ କଷିବାକୁ ଫେଲ ମାରୁଛି ପୁଲିସ

ଅପରାଧିକ କାର୍ଯ୍ୟକଳାପ ସହରକୁ କବଳିତ କରୁଛି

ବୁର୍ଲା : ଶିକ୍ଷାନଗରୀ ବୁର୍ଲା ସହରର ଶାନ୍ତ ପରିବେଷ ମଧ୍ୟରେ ଅପରାଧିକ ତତ୍ୱଙ୍କ ଦୌରାତ୍ମ୍ୟ ସହରକୁ ଅସୁରକ୍ଷିତ କରି ରଖିଛି। ଅପରାଧିଙ୍କ ଉପରେ ଅଙ୍କୁଶ କଷିବାକୁ ଫେଲ ମାରୁଛି ପୁଲିସ। ଅପରାଧି ନିଶାଶକ୍ତ ଅବସ୍ଥାରେ ଯେକୌଣସି କୁକର୍ମ ବା ଅଘଟଣ ଘଟାଇବାକୁ ପଛାଉ ନାହାନ୍ତି। ଏକପ୍ରକାର ଖୋଲା ଚେଲେଞ୍ଜ ପୁଲିସକୁ ନେଇ ଅପରାଧ ଭିଆଇ ଚାଲିଛନ୍ତି। ଏହି ଅଶାନ୍ତ ବାତାବରଣ ସଚେତନ ବର୍ଗଙ୍କ ପାଇଁ ଚିନ୍ତାର କାରଣ ପାଲଟିଲାଣି। ସଂନ୍ଧ୍ୟା ସମୟରେ ଜନବହୁଳ ସ୍ତାନରେ ମଧ୍ୟ ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏହାକୁ ନେଇ ସଚେତନ ପୁଲିସର ବଳର ନିଷ୍କ୍ରିୟତା ଭାବକୁ ସ୍ତାନିୟ ସଚେତନ ବର୍ଗ ଦାୟି କରିବା ସହିତ ଏହା ଅପରାଧିଙ୍କୁ ଯେକୌଣସି କାଣ୍ଡ ଭିଆଇବା ସହିତ ପୁଲିସକୁ ମଧ୍ୟ ଆକ୍ରମଣ କରିବା ପରି ଘଟଣା ଦେଖିବାକୁ ମିଳିଛି। ଶିକ୍ଷାନଗରୀ ତଥା ସ୍ୱାସ୍ଥ୍ୟନଗରୀ ବୁର୍ଲା ଅପରାଧିଙ୍କ ଟାର୍ଗେଟରେ ରହିଥିବା ବେଳେ ବର୍ତ୍ତମାନର କରୋନା ସ୍ତିତିରେ ଆର୍ଥିକ ଅସ୍ୱଚ୍ଛଳତା ଅନେକ ଯୁବବର୍ଗଙ୍କୁ ଦିଗହରା କରି ରଖିଛି।

ବର୍ତ୍ତମାନ ଶିକ୍ଷାନଗରୀ ବୁର୍ଲା ସହର ଅପରାଧିଙ୍କ ଆଡ୍ଡାସ୍ତଳିରେ ପରିବର୍ତ୍ତିତ ହେବାକୁ ବସିଲାଣି। ଗତ କିଛିମାସ ମଧ୍ୟରେ ଏବଂ ଗତ ପ୍ରାୟ ଏକ ମାସ ମଧ୍ୟରେ ବୁର୍ଲା ସହରରେ ଅପରାଧିକ ଘଟଣାର ଲମ୍ବାତାଲିକା ବାସୀନ୍ଦାଙ୍କୁ ଚିନ୍ତାରେ ପକାଇ ଦେଇଛି। ଅପରାଧିକ କାର୍ଯ୍ୟକଳାପରେ ପୁଲିସ କେବଖ ଗୋଟିଏ ଦୁଇଟି ମାମଲାରେ କିଛି ଅପରାଧିଙ୍କୁ କାବୁକରି ହାତବାନ୍ଧି ବସିଛି। ଅପରାଧି ତଥା ଲୁଟେରା ଗେଙ୍ଗ ଖୁଲ୍ଲମଖୁଲ୍ଲା ବାହାରେ ବୁଲିବା ସହିତ ଏଭଳି ଅଘଟଣ ଘଟାଇବା ପାଇଁ ଯେପରି ଏକପ୍ରକାର ପ୍ରତିଯୋଗିତା କରୁଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାସ୍ତାରୁ ଗୋଲଗୁଣ୍ଡା ଛକ, ପିଜି ଛକରୁ ପିସିବ୍ରିଜ ଛକ ଆଦି ଅଞ୍ଚଳ ଦେଇ ରାତିଅଧିଆ ଲୋକଙ୍କ ଯିବାଆସିବାରେ ଏକପ୍ରକାର ବିରାମ ଲାଗି ଗଲାଣି। ଚିକିତ୍ସା କ୍ଷେତ୍ରରେ ସ୍ୱାସ୍ଥ୍ୟନଗରୀ ଆଖ୍ୟା ପାଇଥିବା ବୁର୍ଲା ସହରକୁ ପଶ୍ଚିମ ଓଡିଶା ସମେତ ଆଖପାଖ ପଡ଼ୋଶୀ ରାଜ୍ୟର ରୋଗୀ ତଥା ତାଙ୍କ ପ୍ରିୟଜନ ମାନେ ଯିବାଆସିବା କରୁଛନ୍ତି।

ମାତ୍ର କେତେକ ଘଟଣା ତାଙ୍କୁ ମଧ୍ୟ ଭୟଭିତ କରି ରଖିଛି। ଚିକିତ୍ସା, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସାରା ଭାରତ ବର୍ଷରେ ବୁର୍ଲା ସହରର ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ଏଭଳି ଏକ ଲୋକାରଣ୍ୟ ପାଲଟିଥିବା ସ୍ତାନକୁ ଅପରାଧି ମାନେ ନିଜ ଟାର୍ଗେଟରେ ରଖିଛନ୍ତି। ଅପରାଧ ନିୟନ୍ତ୍ରଣ ବା ଅଙ୍କୁଶ ଲଗାଇବାରେ ପୁଲିସ ବ୍ୟବସ୍ତା ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଅପରାଧିକ ଘଟଣା ଉପରେ ସଠିକ ଭାବରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଅପରାଧିଙ୍କୁ ଅପରାଧ ଭିଆଇବା ପାଇଁ ଉତ୍ସାହିତ କରୁଛି। ସହରରେ ଜନମାନବ ପୁର୍ଣ୍ଣ ସ୍ତାନରେ ମାରଣାନ୍ତକ ଆକ୍ରମଣ ଲୁଟ, ଡାକାୟତି, ହତ୍ୟା ଆଦି ଘଟଣା ମାନ ଘଟିଚାଲିଛି। ପୁଲିସର ନିଷ୍କ୍ରିୟ ଭାବ ଯୋଗୁଁ ଏପରି ଘଟୁଥିବା ସ୍ତାନିୟ ସଚେତନ ମହଲରେ ଅଭିଯୋଗ ହେଉଛି। ଏଭଳି କିଛି ଅପରାଧିକ ଘଟଣାକୁ ବୁର୍ଲା ସହରରେ ଭିନ୍ନ ଚର୍ଚ୍ଚା ଯୋର ଧରିଛି। ଗତ ଅକ୍ଟୋବର ମାସ ୧୮ ତାରିଖ ଦିନ ଜନୈକ ଡ଼ାକ୍ତରଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭିତ କରି ତାଙ୍କ ଲାପଟପ ଏବଂ ମୋବାଇଲ ଫୋନ ମାନ ଲୁଟି ଦୁଇଜଣ ଦୁବୁର୍ତ୍ତ ପିଜିଛକ ଠାରେ ଲୁଟି ଫେରାର ହୋଇଯାଇଥିଲେ।

ପୁଲିସ ଏହି ଘଟଣାରେ ତତ୍ପରତା ଦେଖାଇ ଦୁଇଜଣଙ୍କୁ ଗିରଫ୍‍ କରିଥିବା ମାତ୍ର ଦୁର୍ଭାଗ୍ୟବସତଃ ଭିମସାର ମେଡ଼ିକାଲକୁ ଆସିଥିବା ଜଣେ ରୋଗୀ ସମ୍ପର୍କିୟଙ୍କ ଠାରୁ ପ୍ରାୟ ଦଶହଜାର ଟଙ୍କା ଲୁଟି ଫେରାର ମାରିଥିବା ଦୁବୁର୍ତ୍ତଙ୍କ କୌଣସି ସୁରକା ମିଳି ପାରିଲା ନାହିଁ। ଏଭଳି ଭାବରେ କାର୍ଯ୍ୟନୁଷ୍ଠାନରେ ଦୋମୁହାଁ ନିତିକୁ ନେଇ ମଧ୍ୟ ଚର୍ଚ୍ଚା ଯୋର ଧରିଛି। ସେପଟେ ପୁଣି ଗତ ଅକ୍ଟୋବର ମାସ ୨୧ ତାରିଖ ଦିନ ବିଳମ୍ବିତ ରାତିରେ ମହତାବ ନଗର ଅଞ୍ଚଳରେ ଏକ ଛୁରାମାଡ ଘଟଣା ସ୍ତାନିୟ ମହଲରେ ବେସ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେଉଁଥିରେ କି ଗୋଟିଏ ପରିବାର ବାପ, ପୁଅ ଏବଂ ଜଣେ ପଡୋଶୀ ଗୁରୁତର ଭାବରେ ଆହତ ହୋଇଥିଲେ। ସମ୍ପୃକ୍ତ ରହିଥିବା ଚାରିଜଣଙ୍କ ନାମରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି। ତେବେ ଘଟଣାକୁ ଏକ ମାସ ବିତିଗଲା ମାତ୍ର ପୁଲିସ ଏପର୍ଯ୍ୟନ୍ତ ଗୋଟିଏ ବି ଅପରାଧିଙ୍କୁ ଗିରଫ କରିବାରେ ସଫଳ ହେଲାନାହିଁ। ଚଳିତ ମାସ ୧୦ ତାରିଖ ଦିନ ପୂର୍ବ ଶତୃତାକୁ କେନ୍ଦ୍ର କରି ବୁର୍ଲା ସେଣ୍ଟର ଲାଇନ କଲୋନିରେ ଗୋଟିଏ ପରିବାର ଉପରେ ପ୍ରାୟ ୧୮ରୁ ଊର୍ଦ୍ଧ୍ବ ଜଣ ମରଣାନ୍ତକ ଆକ୍ରମଣ କରିଥିଲେ। ବିଶୋଇ ପରିବାରର ଦୁଇଜଣ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ।

ଏହି ଘଟଣାଟି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିବା ସହିତ ବୁର୍ଲା ସହରର ବୁଦ୍ଧିଜିବୀ ଏହାକୁ ସହଯେ ଗ୍ରହଣ କରି ପାରି ନ ଥିଲେ କାରଣ ଏଭଳି ଘଟଣା ବିଗତ ପ୍ରାୟ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ଘଟି ନ ଥିଲା। ପୁଲିସ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରିଛି। ତେବେ ପୁଲିସର ନିଷ୍କ୍ରିୟତା ଭାବ ଯୋଗୁଁ ଦିର୍ଘସମୟର ଝଗଡ଼ା ହତ୍ୟାରେ ପରିବର୍ତ୍ତିତ ହେଲା ବୋଲି ମତପ୍ରକାଶ ପାଉଛି। ଏହାପରେ ଗତ ୧୫ ତାରିଖ ଦିନ ରାତିରେ ଡ୍ୟୁଟି କରୁଥିବା ବେଳେ ଅପରାଧୀ ମାନେ ଜଣେ ଗୃହରକ୍ଷୀଙ୍କ ଉପରେ ଆକ୍ରମଣ କରି ଅସାମାଜିକ ତତ୍ୱଙ୍କ ନିସ୍ତୁକ ମାଡ ମାରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅପରାଧିଙ୍କୁ ଗିରଫ କରାଗଲା ନାହିଁ। ସେଠାରେ ଯଦିବା ପୁଲିସ ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଜନତା କିପରି ସୁରକ୍ଷିତ ହେବେ ବୋଲି ଚର୍ଚ୍ଚା ହୋଇଥିଲା।

ଗତ ୨୦ ତାରିଖ ରାତିରେ ମୁଖ୍ୟବନ୍ଧର ସ୍ପିଲୱେରେ କାର୍ଯ୍ୟରତ ଜଣେ ଯନ୍ତ୍ରୀ ତପନ କୁମାର ହଲଦିଗୁଣ୍ଡ ରାତିପ୍ରାୟ ୯ ଟା ୩୦ ସମୟରେ ଗୋଲଗୁଣ୍ଡା ଛକରୁ ବାହାରି ବାଇକରେ ନିଜ ଘର କଣ୍ଟ୍ରାକ୍ଟର କଲୋନିକୁ ଫେରୁଥିବା ବେଳେ ତିନିଜଣ ଦୁବୁର୍ତ୍ତ ମୂଖ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତା ମେଟାକାନୀ ରେଷ୍ଟୁରାଣ୍ଟ ନିକଟରେ ଛୁରାରେ ତାଙ୍କୁ ମାରଣାନକ୍ତ ଆକ୍ରମଣ କରି ଲହୁଲୁହାଣ କରି ତାଙ୍କଠାରୁ ଟଙ୍କା ଏବଂ ବାଇକ ଲୁଟି ଫେରାର ମରିଥିଲେ। ଘଟଣା ୩ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ଅପରାଧିଙ୍କୁ ଟେର ପାଇ ପାରି ନାହିଁ। ପୁଣି ଗତକାଲି ବୁର୍ଲା ମିର୍ଦ୍ଧାପଡ଼ାର ଜନୈକ ଯୁବକଙ୍କ ସନ୍ଦେଜନକ ଭାବରେ ବିଲ ମଧ୍ୟରୁ ଶବ ଉଦ୍ଧାର ହେବା ଘଟଣାକୁ ନେଇ ପରିବାର ବର୍ଗ ହତ୍ୟା ଅଭିଯୋଗ ଆଣିନ୍ତି। ଏହିଭଳି ଭାବରେ ବୁର୍ଲା ସହରରେ ଅପରାଧିକ କାର୍ଯ୍ୟକଳାପ ଚରମସୀମା ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ବୁର୍ଲା ସହରରେ ଖୁଲ୍ଲମଖୁଲ୍ଲା ଭାବରେ ଅବୈଧ ମଦ କାରବାର ଏହି ଅପରାଧିଙ୍କୁ ଆହୁରି ମାତ୍ରରେ ଅପରାଧ ଭିଆଇବାକୁ ପ୍ରୋତ୍ସାହିତ କରୁଥିôବା ନେଇ ଚର୍ଚ୍ଚା ହେଉଛି। ଏହାପ୍ରତି ଶିଘ୍ର ଅତିଶିଘ୍ର ଦୃଷ୍ଟି ଦେଇ ଭୁଷୁଡ଼ି ପଡ଼ିଥିବା ଶିକ୍ଷାନଗରୀ ବୁର୍ଲାର ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରାଯିବା କ୍ଷେତ୍ରରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Comments are closed.