ଲୁଟିଆଙ୍କ ସହ ଲଢ଼ିଲେ ବୁଲେଟ୍‌ ରାଣୀ

ସାହସ ଦେଖାନ୍ତୁ, ଅପରାଧୀ ଭୟ କରିବେ : ରିନୁ

ଖଣ୍ଡଗିରି : ବୁଲେଟରେ ଲୁଟିଆଙ୍କୁ ପିଛା କରି ସେମାନଙ୍କ ସହ ଲଢ଼ିଲେ। ନିଜ ମୋବାଇଲ ଛଡ଼ାଇ ଆଣିବା ସହ ଜଣଙ୍କୁ କାବୁ କରିବାରେ ସଫଳ ହେଲେ। ନିଜେ ରକ୍ତାକ୍ତ ହେଲେ ସତ କିନ୍ତୁ ଲୁଟିଆକୁ ଛାଡ଼ିଲେନି। ଏ କେଉଁ ଚଳଚ୍ଚିତ୍ରର ଦୃଶ୍ୟ ନୁହଁ। ଖୋଦ୍‌ ରାଜଧାନୀର ଖଣ୍ଡଗିରି ଥାନା ଅଞ୍ଚଳରେ ଶନିବାର ରାତିରେ ଏଭଳି ଘଟଣା ଘଟିଛି। ଲୁଟିଆକୁ କାବୁ କରି ଚର୍ଚ୍ଚାକୁ ଆସିଛନ୍ତି ବୁଲେଟରାଣୀ ରିନୁ ଡାକୁଆ।
ରାଜଧାନୀରେ ରକ୍ତମୁଖା ପାଲଟିଛନ୍ତି ଲୁଟିଆ। ସେମାନଙ୍କୁ ଧରିବାରେ ପୁଲିସ ଅନେକ ସମୟରେ ଅସମର୍ଥ ହେଉଥିବାବେଳେ ଗତକାଲି ରିନୁ ଅପରାଧୀଙ୍କ ସହିତ ରକ୍ତାକ୍ତ ସଂଘର୍ଷ କରି ବୁଲେଟରାଣୀ ଆଖ୍ୟାକୁ ଯଥାର୍ଥରେ ପ୍ରମାଣିତ କରିଛନ୍ତି। ଚାରିଆଡୁ ତାଙ୍କୁ ମିଳିଛି ଶୁଭେଚ୍ଛାର ସୁଅ।
ଏ ନେଇ ଖଣ୍ଡଗିରି ଥାନାରେ ରବିବାର ସେ ଅଭିଯୋଗ କରିବା ପରେ ଲୁଟିଆ ଜଟଣୀ ଥାନା ନିକଟସ୍ଥ ବେଣାପଞ୍ଜରି ଗାଁର ଶୈଖ୍ ଜଲାଉଦ୍ଦିନକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟିଆ ବ୍ୟବହାର କରୁଥିବା ପଲସର ବାଇକ୍, ୧୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ପୂରା ଘଟଣା :
ସରକନ୍ତରା ଅଞ୍ଚଳର ରିନୁ ବାଣୀବିହାର ନିକଟରେ ଥିବା ଏକ ମଲ୍‌ରେ କାମ କରନ୍ତି। ସବୁଦିନ ଭଳି ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ସେ ବୁଲେଟ୍‌ ଧରି ନିଜ ଘରକୁ ଫେରୁଥିଲେ। ରଘୁନାଥ ନଗର ଅଟୋଷ୍ଟାଣ୍ଡ ପାଖରେ ଏକ କଲ୍ ଆସିବାରୁ ସେ ବୁଲେଟ୍‌ରେ ବସି ମୋବାଇଲ ଫୋନ୍‌ରେ କଥା ହେଉଥିଲେ। ପଛପଟୁ ତାଙ୍କୁ ପିଛା କରି ଏକ ବାଇକ୍‌ରେ ଆସୁଥିବା ଦୁଇ ଜଣ ଲୁଟିଆ ତାଙ୍କ ମୋବାଇଲ ଫୋନ୍ ଝାମ୍ପି ନେଇଥିଲେ। ହେଲେ ରିନୁ ବୁଲେଟ୍‌ରେ ଲୁଟିଆଙ୍କୁ ପିଛା କରିଥିଲେ। ବାଇକ୍‌ ପଛରେ ବସିଥିବା ଯୁବକର କଲରକୁ ଧରି ପକାଇଥିଲେ। ଆଉ ଛାଡ଼ି ନ ଥିଲେ। ନିୟନ୍ତ୍ରଣ ହରାଇ ସମସ୍ତେ ଗାଡ଼ିରୁ ତଳେ ପଡ଼ିଯାଇଥିଲେ। ରିନୁ ତାଙ୍କ ଫୋନ୍ ପାଇଁ ଲୁଟିଆକୁ ପୁଣି କାବୁ କରି ନେଇଥିଲେ। ଗାଡ଼ିରୁ ପଡ଼ି ଆହତ ହେବା ସତ୍ତ୍ବେ ରିନୁ ସେମାନଙ୍କୁ ଛାଡ଼ି ନ ଥିଲେ। ସେଠାରେ ପ୍ରବଳ ଧସ୍ତାଧସ୍ତି ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକ ରୁଣ୍ଡ ହୋଇ ଜଣେ ଲୁଟିଆକୁ କାବୁ କରି ନେଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଯାଇଥିଲେ। ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଜଣେ ଲୁଟିଆକୁ ଥାନାକୁ ଆଣିବା ସହିତ ରିନୁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲା। ରିନୁଙ୍କର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ସେ କହିଛନ୍ତି, ମୁଁ ସାହସୀ ବୋଲି ଲୁଟିଆଙ୍କଠାରୁ ମୋ ମୋବାଇଲ୍ ଫୋନ୍ ଛଡ଼ାଇ ଆଣିଲି। ସମସ୍ତେ ଏଭଳି ସାହସ ଦେଖାନ୍ତୁ, ଦେଖିବେ ଲୁଟିଆ ଭୟ କରିବେ।

Comments are closed.