ଫ୍ଲାଟ ଦେବାକୁ କହି ୨୫.୫ ଲକ୍ଷ ଠକେଇ ; ରଘୁପତି ରିଅଲ୍‌ ଇଷ୍ଟେଟ୍‌ର ଏମ୍‌ଡି ଗିରଫ

ଭୁବନେଶ୍ବର : ଠକେଇ ଅଭିଯୋଗରେ ପୁଣି ଆଉ ଜଣେ ରିଅଲ୍ ଇଷ୍ଟେଟ୍‌ କମ୍ପାନୀର ଏମ୍‌ଡିଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି। ଫ୍ଲାଟ ଦେବାକୁ କହି ୨ ଜଣଙ୍କଠାରୁ ୨୫.୫ ଲକ୍ଷ ଟଙ୍କା ନେଇଥିବା ମେସର୍ସ ରଘୁପତି ଇଷ୍ଟେଟ୍‌ ଆଣ୍ଡ୍‌ ହୋଲ୍‌ଡିଂ ପ୍ରାଇଭେଟ୍‌ ଲିମିଟେଡର ଏମ୍‌ଡି ପ୍ରଭାତ କୁମାର ନନ୍ଦଙ୍କୁ ଇଓଡବ୍ଲ୍ୟୁ ଓପିଆଇଡି କୋର୍ଟରେ ହାଜର କରିଛି। ତାଙ୍କ ବିରୋଧରେ ଆଇପିସିର ଧାରା ୪୦୬,୪୨୦ ଏବଂ ଓପିଆଇଡି ଆଇନର ଧାରା ୬ରେ ମାମଲା ରୁଜୁ କରାଯାଇଛି। ତେବେ ଏହା ପୂର୍ବରୁ ବାଦାମବାଡି ଥାନା ପୁଲିସ ମଧ୍ୟ ପ୍ରଭାତଙ୍କୁ ଗିରଫ କରିଥିଲା। ଇଓଡବ୍ଲ୍ୟୁ ସୂତ୍ରରୁ ଜଣାପଡିଛି, ଦିବ୍ୟଜ୍ୟୋତି ଦତ୍ତ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଆଧାର କରି ଏହି ମାମଲା ରୁଜୁ କରାଯାଇଥିଲା। ୮ ବର୍ଷ ତଳେ ଅର୍ଥାତ ୨୦୧୧-୧୨ ବର୍ଷରେ ମେସର୍ସ ରଘୁପତି ରିଅଲ୍‌ ଇଷ୍ଟେଟ୍‌ର ଏମ୍‌ଡି ପ୍ରଭାତ କଟକ ଭାଣପୁର ମୌଜାରେ ତାଙ୍କର ଥିବା ଏକ ‘ପ୍ରିଷ୍ଟାଇନ୍ ପାର୍କ’ ପ୍ରକଳ୍ପରେ ଫ୍ଲାଟ ଦେବାକୁ କହି ଶ୍ରୀ ଦତ୍ତ ଏବଂ ମମତା ବାରିକଙ୍କଠାରୁ ମୋଟ ୨୫.୫ ଲକ୍ଷ ଟଙ୍କା ​‌େ​‌ନଇଥିଲେ। ହେଲେ ୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେମାନଙ୍କୁ ଫ୍ଲାଟ ଯୋଗାଇବାରେ ଅସମର୍ଥ ହୋଇଥିଲେ। ଏପରିକି ସେମାନେ ତାଙ୍କ ଅର୍ଥ ଫେରି ପାଇବା ଲାଗି ପ୍ରଭାତଙ୍କୁ ବାରମ୍ବାର ସାକ୍ଷାତ କରିଥିଲେ ସୁଦ୍ଧା ପ୍ରଭାତ ଫେରସ୍ତ କରି ନ ଥିଲେ। ପ୍ରଭାତଙ୍କ ଭାଣପୁରସ୍ଥିତ ବାସଭବନରେ ଇଓଡବ୍ଲ୍ୟୁର ଅଧିକାରୀମାନେ ଚଢ଼ଉ କରି କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲେ।

Comments are closed.