ଜାନୁୟାରୀ ୨୯ରେ ବଜେଟ ଅଧିବେଶନ, ସୁପାରିସ କଲା ସିସିପିଏ

ନୂଆଦିଲ୍ଲୀ: ଆସନ୍ତା ୨୯ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ଏ ନେଇ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି (ସିସିପିଏ) ପକ୍ଷରୁ ମଙ୍ଗଳବାର ସୁପାରିସ୍‌ କରାଯାଇଛି।

ସିସିପିଏ କରିଥିବା ସୁପାରିସ୍‌ ଅନୁସାରେ, ବଜେଟ ଅଧିବେଶନର ପ୍ରଥମ ଭାଗ ଜାନୁୟାରୀ ୨୯ରୁ ଫେବୃୟାରୀ ୧୫ ମଧ୍ୟରେ ଅନୁଷ୍ଠିତ ହେବ। ଫେବୃୟାରୀ ୧ରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯିବ। ସେହିପରି ବଜେଟ ଅଧିବେଶନର ୨ୟ ଭାଗ ମାର୍ଚ୍ଚ ୮ରୁ ଏପ୍ରିଲ ୮ ମଧ୍ୟରେ ଅନୁଷ୍ଠିତ ହେବ। ଜାନୁୟାରୀ ୨୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ।

ଅଧିବେଶନ ସମୟରେ କୋଭିଡ-୧୯ ସମ୍ପର୍କିତ ସମସ୍ତ ପ୍ରୋଟୋକଲକୁ ପାଳନ କରାଯିବ। ତେବେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟ ଦ୍ବାରା ନିଆଯିବ। ସୂଚନାଯୋଗ୍ୟ, ଗତବର୍ଷ ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶୀତକାଳୀନ ଅଧିବେଶକୁ ରଦ୍ଦ କରିବା ନେଇ ଘୋଷଣା କରିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସରକାର କୃଷକଙ୍କ ଆନ୍ଦୋଳନ ଏବଂ କରୋନା ମହାମାରୀ ବିଷୟରେ ଆଲୋଚନା କରିବାକୁ ଭୟ କରି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ।

Comments are closed.