ବଜେଟ୍‌-୨୦୨୧: କ୍ଷତି ସହିବ କିଏ ?…. ଲାଭ କାହାର ?

କ୍ଷତି ସହିବ କିଏ ?
ବଜେଟରେ କ୍ଷତି ସହିବା କ୍ଷେତ୍ର ମଧ୍ୟରେ ରହିଛି ବଣ୍ଡ ବଜାର, ଆମଦାନୀ, କୃଷକ ଓ ଗ୍ରାମୀଣ ଭାରତ, ଆଇଟି କ୍ଷେତ୍ର ଇତ୍ୟାଦି। ନୂଆ ଆର୍ଥିକ ବର୍ଷରେ ସଭରେନ୍‌ ବଣ୍ଡ ଭାବେ ୧୬୪ ବିଲିୟନ ଡଲାର ଋଣ କରିବାକୁ ସରକାର ଘୋଷଣା କରିଛନ୍ତି। ଏତଦ୍‌ବ୍ୟତୀତ ୮୦୦ବିଲିୟନ ଟଙ୍କା ଋଣ ଉଠାଇବାକୁ ଯୋଜନା ରଖିଛନ୍ତି। ଏହାଦ୍ବାରା ସରକାରଙ୍କ ଋଣ ପରିମାଣ ୧୩.୧ ଟ୍ରିଲିୟନ ଟଙ୍କା ହେବ। ଭାରତ ସରକାର ସ୍ବଦେଶୀ ନିର୍ମାଣକୁ ପ୍ରୋତ୍ସାହନ ଲକ୍ଷ୍ୟରେ ସୌର ଓ ମୋବାଇଲ ଫୋନ୍‌ ଯନ୍ତ୍ରପାତି, ଗାଡ଼ିମଟର ଯନ୍ତ୍ରାଂଶ ଇତ୍ୟାଦି ଆମଦାନୀ ମୂଲ୍ୟ ବୃଦ୍ଧି ଦ୍ବାରା ବାଣିଜ୍ୟ ନୀତି ପ୍ରଭାବିତ ହେବା ଆଶଙ୍କା ରହିଛି। ଗ୍ରାମୀଣ ତଥା କୃଷି କ୍ଷେତ୍ର ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି; ହେଲେ ସାମ୍ପ୍ରତିକ ଅସନ୍ତୋଷ ଦୂର ପାଇଁ କିଛି ସୂଚନା ଦେଇ ନ ଥିବାରୁ ଘୋଷିତ ନୀତି କାର୍ଯ୍ୟକାରିତା କ୍ଷେତ୍ରରେ ସମସ୍ୟା ରହିଛି। ଗ୍ରାମାଞ୍ଚଳରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ଅଧିକ। ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବା ଆଇଟି କ୍ଷେତ୍ର ପ୍ରତି ବଜେଟରେ ବିଶେଷ ଧ୍ୟାନ ଦିଆଯାଇ ନାହିଁ। ଆଇଟି କମ୍ପାନୀଗୁଡ଼ିକ ପାଇଁ କୌଣସି ପ୍ରୋତ୍ସାହନ ଘୋଷଣା କରା ନ ଯିବା ଯୋଗୁଁ ଟିସିଏସ୍‌, ଇନ୍‌ଫୋସିସ୍‌, ୱିପ୍ରୋ, ଏଚ୍‌ସିଏଲ, ଟେକ୍‌ ମହିନ୍ଦ୍ରା, ମାଇଣ୍ଡ-ଟ୍ରି, ଏଲଟିଆଇ, ପର୍ସିଷ୍ଟେଣ୍ଟ, ହେକ୍ସାଓୟର ଓ ବ୍ଲୁମ୍‌ବର୍ଗ ଭଳି ସଂସ୍ଥା ଆଗେଇବା କଷ୍ଟକର ହେବ।

ଲାଭ କାହାର ?
ନିର୍ମଳା ସୀତାରମଣଙ୍କ ବଜେଟରେ କାହାର ଲାଭ ହୋଇଛି ତ କିଏ କ୍ଷତି ସହିଛି। ଲାଭ ପାଇଥିବା କ୍ଷେତ୍ରଗୁଡ଼ିକ ହେଉଛନ୍ତି ସ୍ବାସ୍ଥ୍ୟସେବା, ରିୟଲ ଇଷ୍ଟେଟ୍‌ ଓ ବିନିର୍ମାଣ, ଧାତବ ନିର୍ମାତା, ଜାତୀୟକରଣ ବ୍ୟାଙ୍କ, ବୟନ ଶିଳ୍ପ। ସ୍ବାସ୍ଥ୍ୟସେବା ପରିବ୍ୟାପ୍ତ ପାଇଁ ଅଧିକ ଭିତ୍ତିଭୂମି ବା ଡାକ୍ତରଖାନା ଓ ନିଦାନ କେନ୍ଦ୍ର ପ୍ରତିଷ୍ଠା ଉପରେ ନିର୍ମଳା ଗୁରୁତ୍ବାରୋପ କରିଛନ୍ତି। ଏ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପରିମାଣ ୧୩୭ ପ୍ରତିଶତ ବୃଦ୍ଧି ଧାର୍ଯ୍ୟ କରାଯାଇଛି। ଆପୋଲୋ ହସ୍ପିଟାଲ, ମାକ୍ସ ହେଲ୍‌ଥକେୟାର, ନାରାୟଣ ହୃଦୟାଳୟ, ଡଃ ଲାଲ ପାଥୋଲାବ୍ସ, ମେଟ୍ରୋପଲିସ ହେଲ୍‌ଥକେୟାର, ଥାଇରୋକେୟାର ଟେକ୍‌ନୋଲୋଜିସ୍‌ ଭଳି ସଂସ୍ଥା ଏହା ଦ୍ବାରା ଲଭାନ୍ବିତ ହେ​‌େ​‌ବ। ସେହିଭଳି ରିୟଲ ଇଷ୍ଟେଟ୍‌ ଓ ବିନିର୍ମାଣ କ୍ଷେତ୍ରରେ ଗୋଦରେଜ୍‌ ପ୍ରପର୍ଟିଜ୍‌, ଓବେରୋଇ ରିୟଲ୍‌ଟି, ଡିଏଲଏଫ୍‌, ପ୍ରେଷ୍ଟିଜ ଇଷ୍ଟେଟ୍‌, ଲାର୍ସନ୍‌ ଆଣ୍ଡ ଟୁବ୍ରୋ, କେଏନ୍‌ଆର କନ୍‌ଷ୍ଟ୍ରକ୍‌ସନ୍‌, ଆଇଆରବି ଇନ୍‌ଫ୍ରାଷ୍ଟ୍ରକ୍‌ଚର ଭଳି ସଂସ୍ଥା ଲାଭାନ୍ବିତ ହେବେ। ଇସ୍ପାତ ଓ ଆଲୁମିନିୟମ ଧାତବ ନିର୍ମାତାଙ୍କ ମାଧ୍ୟମରେ ୧୧ହଜାର କିଲୋକିଟର ଅତିରିକ୍ତ ରାଜପଥ ଓ ମେଟ୍ରୋ ପଥ ନିର୍ମାଣ ହେବ। ଏହା ୨୭ଟି ମହାନଗରରେ ପରିବହନ ବ୍ୟବସ୍ଥାକୁ ସହଜ କରିବ। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ, ଟାଟା ଷ୍ଟିଲ, ହିଣ୍ଡାଲ୍‌କୋ, ବେଦାନ୍ତ, ହିନ୍ଦୁସ୍ତାନ ଜିଙ୍କ୍‌, ହିନ୍ଦୁସ୍ତାନ କପର ଆଦି ସଂସ୍ଥା ଏଥିରୁ ଲାଭ ପାଇବେ। ଜାତୀୟକରଣ ବ୍ୟାଙ୍କଗୁଡ଼ିକ ପାଇଁ ଏକ ସମ୍ପତ୍ତି ପରିଚାଳନା କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ନିର୍ମଳା ଘୋଷଣା କରିବା ଫଳରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, କାନାଡ଼ା ବ୍ୟାଙ୍କା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ଇଣ୍ଡିଆ ଇତ୍ୟାଦି ଲାଭବାନ୍‌ ହେବେ। ପ୍ରସ୍ତାବିତ କମ୍ପାନୀ ଦ୍ବାରା ଏହି ବ୍ୟାଙ୍କଗୁଡ଼ିକର ଖରାପ ଋଣ ବୋଝ ହ୍ରାସ ପାଇବ। ସୀତାରମଣ ୭ଟି ବୃହତ୍‌ ବୟନ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ଏହାଦ୍ବାରା ସେଞ୍ଚୁରୀ, ରେମଣ୍ଡ, ଟ୍ରାଇଡେଣ୍ଟ, ଅରବିନ୍ଦ ଆଦି ବୟନଶିଳ୍ପ କମ୍ପାନୀ ନିଜର କ୍ଷମତା ବ୍ୟାପ୍ତ କରିପାରିବେ।

ରାଷ୍ଟ୍ରାୟତ୍ତ ସଂସ୍ଥା, ବ୍ୟାଙ୍କ, ବୀମା କମ୍ପାନୀ ଘରୋଇକରଣକୁ ପ୍ରୋତ୍ସାହନ


ବଜେଟରେ ସରକାର ଘରୋଇକରଣକୁ ସର୍ବାଧିକ ପ୍ରୋତ୍ସାହନ ଦେଇଛନ୍ତି। ଅଟଳବିହାରୀ ବାଜପେୟୀଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ମହତ୍ତ୍ବାକାଙ୍‌କ୍ଷୀ କାର୍ଯ୍ୟକ୍ରମକୁ ଏବେ ନରେନ୍ଦ୍ର ମୋଦୀ ସରକାରଙ୍କର ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ସରକାର ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କ ଓ ଏକ ବୀମା କମ୍ପାନୀ ସହିତ ଏକାଧିକ କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଥିବା ବଜେଟରେ ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀଙ୍କ ସୂଚନାନୁସାରେ ପରମାଣୁ ଶକ୍ତି, ମହାକାଶ ବିଜ୍ଞାନ ଓ ପ୍ରତିରକ୍ଷା, ପରିବହନ ଓ ଟେଲିଯୋଗାଯୋଗ କ୍ଷେତ୍ରରେ ବଛାବଛା ସଂସ୍ଥାକୁ ବାଦ ଦେଇ ଅନ୍ୟଗୁଡ଼ିକୁ ଘରୋଇ କରାଯିବ। ଏଥିସହିତ ଶକ୍ତି, ପେଟ୍ରୋଲିୟମ, କୋଇଲା ତଥା ଅନ୍ୟ ଖଣିଜ ପଦାର୍ଥ, ବ୍ୟାଙ୍କିଂ, ବୀମା ଏବଂ ଆର୍ଥିକ ସେବା କ୍ଷେତ୍ରରେ ସରକାର ନିଜର ସର୍ବନିମ୍ନ ଅଂଶ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ‘ଆତ୍ମନିର୍ଭର ପ୍ୟାକେଜ’ର ଅଂଶସ୍ବରୂପ ସମସ୍ତ କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ କରାଯିବ। ସରକାର ଏ ନେଇ ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ କରିଛନ୍ତି। ଏଥିରେ ରଣନୀତି ଭିତ୍ତିକ ଓ ରଣନୀତିବିହୀନ ଭାବେ ଦୁଇ ପ୍ରକାର ପୁଞ୍ଜି ପ୍ରତ୍ୟାହାର ବ୍ୟବସ୍ଥା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ନିତି ଆୟୋଗ ଏ ନେଇ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ କରିବେ। ଅର୍ଥମନ୍ତ୍ରୀଙ୍କ ସୂଚନାନୁଯାୟୀ, ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଭାରତ ପେଟ୍ରୋଲିୟମ କର୍ପୋରେସନ, ସିପିଂ କର୍ପୋରେସନ୍‌ ଅଫ ଇଣ୍ଡିଆ, ଏୟାର ଇଣ୍ଡିଆ, କଣ୍ଟେନର କର୍ପୋରେସନ୍‌ ଅଫ ଇଣ୍ଡିଆ, ଭାରତ ଆର୍ଥ ମୁଭର୍ସ, ପବନ ହଂସ, ଆଇଡିବିଆଇ ବ୍ୟାଙ୍କ ଆଦି ଘରୋଇକରଣ କରାଯିବ। ଏଲଆଇସିରୁ ମଧ୍ୟ ପୁଞ୍ଜି ପ୍ରତ୍ୟାହାର ଯୋଜନା ରହିଛି। ଘରୋଇକରଣ ତାଲିକାରେ ଏବେ ସୁଦ୍ଧା ୧୮ଟି ବୃହତ୍‌ ସଂସ୍ଥାର ନାମ ରହିଛି। ପୁଞ୍ଜି ପ୍ରତ୍ୟାହାର ବାବଦରେ ସରକାର ଆସନ୍ତା ଆର୍ଥିକ ବର୍ଷରେ ୧ଲକ୍ଷ ୭୫ହଜାର କାଟି ଟଙ୍କା ଆୟ କରିବାର ଲକ୍ଷ୍ୟ ରଖିଛନ୍ତି। ବାଜପେୟୀ ପ୍ରଧାମନ୍ତ୍ରୀ ଥିବାବେଳେ ଏହି ପ୍ରକ୍ରିୟାର ଆରମ୍ଭ କରିଥିଲେ। ତାଙ୍କ ସମୟରେ ବିଦେଶ ସଞ୍ଚାର ନିଗମ ଲିମିଟେଡ୍‌ ବା ଭିଏସ୍‌ଏନ୍‌ଏଲ, ବାଲ୍‌କୋ, ହିନ୍ଦୁସ୍ତାନ ଜିଙ୍କ୍‌, ମାରୁତି ସୁଜୁକି, ସିଏମ୍‌ସି ଲିମିଟେଡର ଘରୋଇକରଣ କରାଯାଇଥିଲା।

Comments are closed.