କଳାହାଣ୍ଡିରେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୮୫୯.୩୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ମୋ ପାଇଁ ସମସ୍ତଙ୍କ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ମୋ ପାଇଁ ସମସ୍ତଙ୍କ ଜୀବନ ମୂଲ୍ୟବାନ। ରାଜ୍ୟର ଜଣେ ବି କେହି ଯେପରି ଚିକିତ୍ସା ଅଭାବରୁ ମୃତ୍ୟୁବରଣ ନ କରନ୍ତି ସେନେଇ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସୋମବାର କଳାହାଣ୍ଡି ଭବାନୀପାଟଣାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବଣ୍ଟନ ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସୋମବାର ଦିବା ୧୧ ଘଣ୍ଟା ୪୫ ମିନିଟ ସମୟରେ ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ହେଲିକ୍ୟାପ୍ଟରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ସେଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍‍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ କାଞ୍ଚନ ମାଝୀ ସମେତ ୧୦ ଜଣ ମହିଳା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ସ୍ମାର୍ଟକାର୍ଡ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି କଳାହଣ୍ଡି ଉନ୍ନତି ପଥରେ ଆଉ ପାଦେ ଆଗେଇଛି। ସୁସ୍ଥ କଳାହାଣ୍ଡି ବାସୀଙ୍କ ପାଇଁ ସ୍ମାର୍ଟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସେ କହିଥିଲେ ଯେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ। ଫଳରେ ଗରିବ ଲୋକମାନେ ମାଗଣାରେ ସ୍ୱାସ୍ଥ୍ୟସେବା ପାଇପାରିବେ। ଗୋଟିଏ କାର୍ଡରେ ଦେଶର ୨୦୦ ବଡ ବଡ ହସ୍‍ପିଟାଲରେ ଉନ୍ନତ ମାନର ଚିକିତ୍ସା ଉପଲବ୍ଧ ହୋଇପାରିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେପ୍ଟେମ୍ବର ୧ ରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଛି। ଗତ ଅଶି ଦଶକର କଳାହାଣ୍ଡି ଆଜି ସାରା ବିଶ୍ୱରେ ଭାତ ହାଣ୍ଡିରେ ପରିଣତ ହୋଇସାରିଛି। କଳାହାଣ୍ଡିର ଧାନ, କପା, ମକା ଆଦି ସାରା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହିତ ଧାନ ଉତ୍ପାଦନ ମଧ୍ୟ ଦେଶରେ ପ୍ରଥମ ଜିଲ୍ଲା ତାଲିକା ଭିତରେ ସ୍ଥାନ ପାଇଛି। ଜିଲ୍ଲାରେ ବର୍ତ୍ତମାନ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପିଇବା ପାଣି, ଜଳସେଚନ ଆଦି ଯୋଜନା ନୂତନ ଅଧ୍ୟାୟ ସୃଷ୍ଟି କରିଛି। କଳାହାଣ୍ଡିକୁ ଆଗାମୀ ଦିନରେ ଦେଶର ଏକ ଅଗ୍ରଣୀ ଜିଲ୍ଲା ଭାବେ ଗ୍ରହଣ କରିବା ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ ୧୭୯.୧୧୫ କୋଟି ଟଙ୍କା ବ୍ୟୟରେ ୨୦୧ ଟି ନୂତନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରିଥିଲେ। ସେଗୁଡିକ ମଧ୍ୟରେ ୫୦.୮୬୨ କୋଟି ଟଙ୍କା ମୂଲ୍ୟରେ ୧୯ ଟି ପୋଲ ପ୍ରକଳ୍ପ, ୬.୮୦ କୋଟି ଟଙ୍କା ମୂଲ୍ୟରେ ୧୩୬ ଟି ମିଶନ ଶକ୍ତି ଗୃହ, ୧୭.୨୦ କୋଟି ଟଙ୍କା ବ୍ୟୟରେ ୮ ଟି ଏସ୍‍ଏଣ୍ଡଏମ୍‍ଇ ବିଭାଗ ପ୍ରକଳ୍ପ, ୩୫.୭୩୫ କୋଟି ଟଙ୍କା ବ୍ୟୟରେ ୪ ଗୋଟି ରାସ୍ତା ପ୍ରକଳ୍ପ, ୩.୬୭୦ କୋଟି ଟଙ୍କା ବ୍ୟୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨ ଟି ପ୍ରକଳ୍ପ, ୭.୨୬୦ କୋଟି ଟଙ୍କା ବ୍ୟୟରେ ଏକ ଶକ୍ତି ବିଭାଗ ପ୍ରକଳ୍ପ, ୧.୦୦ କୋଟି ଟଙ୍କାରେ ଗୋଟିଏ ପିଏଣ୍ଡସି ପ୍ରକଳ୍ପ ଓ ୦.୨୯୨ କୋଟି ଟଙ୍କାର ପିଆର୍‍ ଏଭ୍‍ଡ ଡିଡବ୍ଲୁ ପ୍ରକଳ୍ପ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ୬୮୦.୧୯୧ କୋଟି ଟଙ୍କା ମୂଲ୍ୟର ୪୮ ଟି ନୂତନ ପ୍ରକଳ୍ପର ଶୁଭଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଗୁଡିକ ମଧ୍ୟରେ ୬୩୦୬୨୪ କୋଟି ଟଙ୍କା ମୂଲ୍ୟର ୮ ଟି ପୋଲ ପ୍ରକଳ୍ପ ୦.୭୦୦ କୋଟି ଟଙ୍କାର ଗୋଟିଏ ଅବକାରୀ ବିଭାଗ ପ୍ରକଳ୍ପ, ୧୩.୩୩୧ କୋଟି ଟଙ୍କା ମୂଲ୍ୟର ଏକ ଏଚ୍‍ଏଣ୍ଡ୍‍ୟୁଡି ପ୍ରକଳ୍ପ, ୩୮୫.୪୨୫ କୋଟି ମୂଲ୍ୟର ୮ ଗୋଟି ରାସ୍ତା ପ୍ରକଳ୍ପ, ୧୬.୩୦୮ କୋଟି ଟଙ୍କା ମୂଲ୍ୟର ୨ ଟି ଏସ୍‍ଏଣ୍ଡଏମ୍‍ଇ ବିଭାଗ ପ୍ରକଳ୍ପ, ୧୪.୧୮୪ କୋଟି ଟଙ୍କା ମୂଲ୍ୟର ୩ ଟି କ୍ରୀଡା ଏବଂ ଯୁବ ବିଭାଗ ପ୍ରକଳ୍ପ, ୫.୪୬୨ ଟଙ୍କା ମୂଲ୍ୟର ଗୋଟିଏ ଉଚ୍ଚ ଶିକ୍ଷା ବିଭାଗ ପ୍ରକଳ୍ପ, ୫୫.୯୪୦ କୋଟି ଟଙ୍କା ମୂଲ୍ୟରେ ୧୯ ଗୋଟି ଜଣଯୋଗାଣ ପ୍ରକଳ୍ପ, ୬୪.୪୬୦ କୋଟି ଟଙ୍କା ମୂଲ୍ୟର ଗୋଟିଏ ଜଳସେଚନ ପ୍ରକଳ୍ପ, ୦.୫୦୦ କୋଟି ଟଙ୍କା ମୂଲ୍ୟରେ ୧ ଟି କୃଷି ଓ ଏଫ୍‍ଇ ବିଭାଗ ପ୍ରକଳ୍ପ, ୫୮.୭୨୦ କୋଟି ଟଙ୍କା ମୂଲ୍ୟର ଗୋଟିଏ ଶକ୍ତି ବିଭାଗ ପ୍ରକଳ୍ପ ଏପରି ମୋଟ ୧୭୯.୧୧୫ କୋଟି ଟଙ୍କା ବ୍ୟୟର ୨୦୧ ପ୍ରକଳ୍ପ ଭିତ୍ତିପ୍ରସ୍ତର ଓ ୬୮୦.୧୮୯ କୋଟି ଟଙ୍କାର ୪୮ ଟି ପ୍ରକଳ୍ପ ଏପରି ମୋଟ ୮୫୯.୩୦୬ କୋଟି ଟଙ୍କାର ୨୪୯ ପ୍ରକଳ୍ପ ଭିତ୍ତିପ୍ରସ୍ତର ଓ ଉଦ୍‍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସହ ମଞ୍ଚରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବକିଶୋର ଦାସ, ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟା. ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଜିଲ୍ଲାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ। ଜିଲ୍ଲାର ବିକାଶକୁ ଦେଖି ବିରୋଧୀଙ୍କ ଛାତି ଧଡ ଧଡ ହେଉଛି ଓ ସହିପାରୁନାହାନ୍ତି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫-ଟି ସଚୀବ ବି.କେ ପାଣ୍ଡିଆନ୍‍ ଉପସ୍ଥିତ ଥିବା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଧନ୍ୟବାଦ ଦେଇଥିଲେ। ଚଳଚିତ୍ର ଅଭିନେତା ଆକାଶ ଦାସ ନାଏକ ଓ ସୁଲତା ଦେଓ ମଞ୍ଚ ପରିଚାଳନା କରିଥିଲେ। ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ତିବ୍ର ବିରୋଧ କରିବେ ବୋଲି ପୂର୍ବରୁ ଚେତାବନୀ ଦେଇଥିବାରୁ ନିଜେ ଆଇଜି ଅପରେସନ୍‍ ଅମିତା ଠାକୁର, ଡିଅଇଜି ରାଜେଶ ପଣ୍ଡିତ ମଞ୍ଚରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିବା ବେଳେ ମଞ୍ଚ ସମ୍ମୁଖରେ ଓଡିଶା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜ୍ୟସଭା ସଦସ୍ୟ ସୁଜିତ କୁମାର, ବିଧାୟକ ଭୁପେନ୍ଦ୍ର ସିଂହ, ପ୍ରଦୀପ ଦିଶାରୀ, ମୌଷୁଧି ବାଗ ସମେତ କଳାହଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ଏସ୍‍ପି ଡ. ଶ୍ରବଣ ବିବେକ ଏମ୍‍., ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୨୫ ପ୍ଲାଟୁଂନ୍‍ ଫୋର୍ସ ନିୟୋଜିତ ହୋଇଥିବା ବେଳେ ଭବାନୀପାଟଣାର ଦୟାନିଧି ଛକରୁ ଭଙ୍ଗାବାରୀ ନିକଟସ୍ଥ ନ୍ୟୂ ଷ୍ଟାର ସିନେପ୍ଲେକ୍ସ ପର୍ଯ୍ୟନ୍ତ ଚାରିପାର୍ଶ୍ବରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମୟରେ ଏଭଳି କଡା ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିଲା।

 

Comments are closed.