ପୁଲିସ ଚଢ଼ଉ ବେଳେ ବ୍ୟବସାୟୀଙ୍କ ମୃତ୍ୟୁ, ପତ୍ନୀଙ୍କୁ ସରକାରୀ ଚାକିରି ଓ ୧୦ଲକ୍ଷ ଟଙ୍କା ସହାୟତା

୬ ପୁଲିସ ନିଲମ୍ବିତ, ହତ୍ୟା ମାମଲା ରୁଜୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗୋରଖପୁରସ୍ଥିତ ଏକ ହୋଟେଲରେ ପୁଲିସ ଚଢଉ ସମୟରେ ଜଣେ ବ୍ୟବସାୟୀଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ବ୍ୟବସାୟୀ ଜଣଙ୍କ ମୃତ୍ୟୁକୁ ନେଇ ପୁଲିସକୁ ଦାୟୀ କରାଯାଇଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ମୃତ ବ୍ୟବସାୟୀ ଜଣଙ୍କ ହେଲେ କାନପୁରର ମନୀଷ ଗୁପ୍ତା। ଅଭିଯୋଗ ଅନୁଯାୟୀ ସୋମବାର ସନ୍ଧ୍ୟାରେ ଚଢଉ ସମୟରେ ପୁଲିସ ବ୍ୟବସାୟୀ ଜଣଙ୍କୁ ମାଡ ମାରିବା ସହିତ ଠେଲାପେଲା କରିଥିଲେ ଫଳରେ ସେ ତଳେ ପଡିଯାଇଥିଲେ। ତଳେ ପଡିିଯିବାରୁ ତାଙ୍କ ମୁଣ୍ଡ ଫାଟି ମୃତ୍ୟୁ ହୋଇଥିଲା। ମନୀଷଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ଓ ପରିବାର ଲୋକ ପୁଲିସକୁ ଦାୟୀ କରିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ବ୍ରଜେଶ ପାଠକ ଘଟଣାରେ ଜଡିତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି।

ଘଟଣାରେ ଜଡିତ ୬ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସମସ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପୂର୍ବକ ତଦନ୍ତ ଆରମ୍ଭ ହୋଇଛି। ଘଟଣାର ତଦନ୍ତ ପରେ ମାମଲାକୁ ଫାଷ୍ଟଟ୍ରାକ୍ ଅଦାଲତରେ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ହତ୍ୟା ଅଭିଯୋଗକୁ ପୁଲିସ ଖଣ୍ଡନ କରିଛି। ପୁଲିସ କହିଛି ବ୍ୟବସାୟୀ ଜଣଙ୍କ ମଦ୍ୟପାନ କରିଥିବାରୁ ପଚରାଉଚରା ସମୟରେ ତଳେ ପଡିଯାଇଥିଲେ। ଅନ୍ୟପଟେ ରାଜ୍ୟ ସରକାର ମୃତ ବ୍ୟବସାୟୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ପ୍ରଦାନ ସହିତ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାକୁ ନେଇ ବିରୋଧୀ ଦଳ ଶାସକ ବିଜେପିକୁ ସମାଲୋଚନା କରିଛନ୍ତି।

Comments are closed.