ସୁଗାର ଓ କୋଲେଷ୍ଟ୍ରଲ-ଫ୍ରି ନୁହେଁ ବ୍ରାଉନ ରାଇସ୍ ; ଗବେଷଣାରୁ ସ୍ପଷ୍ଟ

ଚେନ୍ନାଇ : ବଜାରରେ ମହଙ୍ଗାର ଦରରେ ମିଳୁଥିବା ବ୍ରାଉନ ରାଇସ୍ ସୁଗାର ଓ କୋଲେଷ୍ଟ୍ରଲ ମୁକ୍ତ ଥିବା ଦର୍ଶାଯାଇଥାଏ । କିନ୍ତୁ ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍ ବୋଲି ମାଡ୍ରାସ୍ ଡାଇବେଟିଜ୍ ରିସର୍ଚ୍ଚ ଫାଉଣ୍ଡେସନ (ଏମଡିଆରଏଫ୍) ଦାବି କରିଛି । ଚାଉଳ କେବେବି ସୁଗାର-ଫ୍ରି ହୋଇପାରିବ ନାହିଁ ବୋଲି ଏକ ଗବେଷଣା ପରେ ଏମଡିଆରଏଫ୍ ପକ୍ଷରୁ କୁହାଯାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ବ୍ରାଉନ ରାଇସ ବାସ୍ତବରେ ପଲିସ କରାଯାଇଥାଏ ଏବଂ ଏହାର ରଙ୍ଗ ଧଳା ହୋଇପାରିବ । ଏହା ବ୍ୟତୀତ ସୁଗାର-ଫ୍ରି ଏବଂ ବିନା କୋଲେଷ୍ଟ୍ରଲ ଦାବି କରାଯାଉଥିବା ଚାଉଳ ଅଧା ସିଝା ବା ଅଧା ଫୁଟା ହୋଇଥାଏ ବୋଲି ରିପୋର୍ଟରେ କୁହାଯାଇଛି ।

ଏହି ଗବେଷଣା ପାଇଁ ଏମଡିଆରଏଫ୍ ର ବୈଜ୍ଞାନିକମାନେ ଚେନ୍ନାଇର କେତେକ ସ୍ଥାନରୁ ୧୫ ପ୍ରକାରର ବ୍ରାଉନ ରାଇସ୍ ନମୁନା ନେଇଥିଲେ । ଗବେଷଣାରୁ ଜଣାପଡିଥିଲା ଯେ, ସୁଗାର-ଫ୍ରି ଏବଂ କୋଲେଷ୍ଟ୍ରଲ ମୁକ୍ତ ଦାବି କରାଯାଇ ବଜାରରେ ବିକ୍ରି କରାଯାଉଥିବା ଏହି ସବୁ ବ୍ରାଉନ ରାଇସ ଅଧା ସିଝା ବା ଅଧା ଫୁଟା ହୋଇଛି ।

ଏହି ଚାଉଳ (ବ୍ରାଉନ ରାଇସ)କୁ ରୋଷେଇ କରିବା ସମୟରେ ଅଧିକ ପାଣି ଆବଶ୍ୟକ ହେଉଥିବାରୁ ଏଥିରେ ଶ୍ବେତସାର ମାତ୍ରା ଅଧିକ ଥାଏ । ଶ୍ବେତସାର ମାତ୍ରା ଅଧିକ ହେବା କାରଣରୁ ଚାଉଳରେ ଗ୍ଲିସେମିକ ଇନଡେକ୍ସ ମଧ୍ୟ ବଢି ଯାଇଥାଏ । କିନ୍ତୁ ବୈଜ୍ଞାନିକ ମତ ହେଲା କମ୍ ଗ୍ଲିସେମିକ ଇନଡେକ୍ସ ଯୁକ୍ତ ଖାଦ୍ୟ ପଦାର୍ଥ ଶରୀର ପାଇଁ ଅଧିକ ଲାଭଦାୟକ ।

ଗ୍ଲିସେମିକ ଇନଡେକ୍ସ ରୁ ଚାଉଳର କାର୍ବୋହାଇଡ୍ରେଟ୍ ବିଷୟରେ ଜଣାପଡିଥାଏ । ଚାଉଳରେ କାର୍ବୋହାଇଡ୍ରେଟ୍ ମାତ୍ରା ଅଧିକ ଥିଲେ ଏହି ଚାଉଳର ଭାତ ଖାଉଥିବା ବ୍ୟକ୍ତିର ରକ୍ତରେ ଗ୍ଳୁକୋଜ ମାତ୍ରା ପ୍ରଭାବିତ ହୋଇଥାଏ ।

ଗବେଷକଙ୍କ ସୂଚନା ଅନୁଯାୟୀ, ଚାଉଳରେ ଥିବା ଶ୍ବେତସାର ପାଚନ କ୍ରିୟା ସମୟରେ ଗ୍ଲୁକୋଜରେ ପରିଣତ ହୋଇଥାଏ । ତେଣୁ କୌଣସି ଚାଉଳ ସୁଗାର-ଫ୍ରି ନୁହେଁ । କମ୍ ପଲିସ ଚାଉଳରେ କାର୍ବୋହାଇଡ୍ରେଟ୍ ଅଧିକ ଥାଏ ।

Comments are closed.