ବ୍ରେକ୍ସିଟ୍‍ ବୁଝାମଣା ବିଳମ୍ବିତ କରିବା ପ୍ରସ୍ତାବ ସପକ୍ଷରେ ବ୍ରିଟେନ୍‍ ସଂସଦ

ନୂଆଦିଲ୍ଲୀ: ବ୍ରିଟେନ୍‍ ପାର୍ଲାମେଣ୍ଟର ହାଉସ୍‍ ଅଫ୍‍ କମନ୍ସର ସାଂସଦମାନେ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ଙ୍କ ବ୍ରେକ୍ସିଟ୍‍ ବୁଝାମଣା ଉପରେ ନିଷ୍ପତ୍ତି ନେବା ପ୍ରକ୍ରିୟା ବିଳମ୍ବିତ କରିବା ସଂକ୍ରାନ୍ତ ପ୍ରସ୍ତାବ ସପକ୍ଷରେ ମତଦାନ କରିଛନ୍ତି। ସମ୍ପୃକ୍ତ ସାଂସଦମାନେ ଅକ୍ଟୋବର ୩୧ ପୂର୍ବରୁ ବ୍ରେକ୍ସିଟ୍‍ ବୁଝାମଣା ସମ୍ପର୍କିତ ତଥ୍ୟ ସମ୍ପୂର୍ଣ୍ଣ ଅଧ୍ୟୟନ କରିବାକୁ ଚାହୁଁଛନ୍ତି ବୋଲି ସେମାନେ କହିଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଏହା ଘୁଞ୍ଚାଇବା ପାଇଁ ଆଗତ ଏକ ପ୍ରସ୍ତାବକୁ ମଧ୍ୟ ସାଂସଦମାନେ ସମର୍ଥନ କରିଛନ୍ତି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ ଅକ୍ଟୋବର ୩୧ ସୁଦ୍ଧା ବ୍ରେକ୍ସିଟ୍‍ ବୁଝାମଣା ଉପରେ ନିଷ୍ପତ୍ତି ନେବା ପାଇଁ ସଂକଳ୍ପ ରଖିଛନ୍ତି।

ଏ ନେଇ ସପ୍ତାହର ଶେଷ ଦିନରେ ବସିଥିବା ପାର୍ଲାମେଣ୍ଟର ଏହି ଅଧିବେଶନରେ ଜନ୍‍ସନ୍‍ ୨୭ ସଦସ୍ୟ ବିଶିଷ୍ଟ ୟୁରୋପୀୟ ସଂଘ ସହ ହୋଇଥିବା ତାଙ୍କର ବୁଝାମଣାକୁ ସମର୍ଥନ କରିବାକୁ ସାଂସଦମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ତିନି ବର୍ଷ ଧରି ଦେଶରେ ଅନିଶ୍ଚିତତାର ଏକ ବାତାବରଣ ସୃଷ୍ଟି କରିଥିବା ଏହି ସମସ୍ୟାର ସମାଧାନ ପାଇଁ ସାଂସଦମାନେ ଐକ୍ୟବଦ୍ଧ ହେବା ଉଚିତ୍‍। ସେ କହିଛନ୍ତି, ସାଂସଦମାନଙ୍କ ପାଇଁ ଐକ୍ୟବଦ୍ଧ ହୋଇ ନିଷ୍ପତ୍ତି ନେବାର ଏହା ହେଉଛି ପ୍ରକୃଷ୍ଟ ସମୟ କାରଣ ଦେଶର ଜନସାଧାରଣ ଏଥିପାଇଁ ଆଶାବାନ୍ଧି ବସିଛନ୍ତି। କିନ୍ତୁ ସେ ଯେଭଳି ଆଶା କରୁଛନ୍ତି ତାଙ୍କୁ ସେଭଳି ସମର୍ଥନ ମିଳିନପାରେ। ହାଉସ୍‍ ଅଫ୍‍ କମନ୍ସ ସ୍ପିକର ଜନ୍‍ ବର୍କୋ କହିଛନ୍ତି, ପ୍ରଥମେ ସେ ସଂଶୋଧନ ଉପରେ ଭୋଟିଂ ପାଇଁ ଅନୁମତି ଦେବେ ଯାହାଫଳରେ ବୁଝାମଣା ଉପରେ ଭୋଟିଂ ଆଉ ଏକ ଦିନ କରାଯାଇ ପାରିବ। ଯଦି ସଂଶୋଧନ ପାଶ୍‍ ହେଇଗଲା ତେବେ ୟୁରୋପୀୟ ସଂଘରୁ ବାହାରିବା ପାଇଁ ଅଧିକ ସମୟ ନେବାକୁ ଜନ୍‍ସନ୍‍ ବାଧ୍ୟ ହେବେ।

Comments are closed.