ବ୍ରିଟେନ୍‌ର ବଡ଼ଦିନ ବିଶେଷ ରେଳ

ବଡ଼ଦିନର ଆସର ବ୍ରିଟେନ୍, ଆମେରିକା ପରି ଦେଶରେ ଅଧିକ। ଚଳିତଥର କୋଭିଡ୍-୧୯ କାରଣରୁ ବ୍ରିଟେନ୍‌ ରେଳ ପରିବହନ ଖୁବ୍ କ୍ଷୟକ୍ଷତି ସହିବା ସତ୍ତ୍ବେ ବଡ଼ଦିନ ପାଇଁ ବିଶେଷ ପ୍ରସ୍ତୁତି କରିବାରେ ହେଳା କରିନଥିଲା। ହେଲେ ଏଥରକର ଲକ୍-ଡାଉନ୍‌ କାରଣରୁ ସେସବୁ ଯୋଜନା ଫସର ଫାଟିଯାଇଛି କହିଲେ ଚଳେ। ବିଶ୍ବର ପ୍ରଥମ ଏଲଇଡି ବତୀ ଖଞ୍ଜା ରେଳ ବଡ଼ଦିନରୁ ନୂଆ ବର୍ଷ ପର୍ଯ୍ୟନ୍ତ ବ୍ରିଟେନ୍‌ର କେତେକ ପ୍ରାନ୍ତରେ ଚଳାଚଳ ହେବାର ପୂର୍ବ ପ୍ରସ୍ତୁତି ହୋଇଥିଲା। ଏହି ବାଷ୍ପଚାଳିତ ରେଳ ତିଆରିରେ କର୍ତ୍ତୃପକ୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବ୍ରିଟେନ୍‌ବାସୀଙ୍କୁ ସୁନ୍ଦର ବଡ଼ଦିନ ଉପହାର ଭେଟି ଏହି ଜରିଆରେ ଦେବାକୁ ମନସ୍ଥ କରିଥିଲା। ଏପରିକି ଡିସେମ୍ବର ୨୩ ରୁ ଜାନୁଆରୀ ୩ ପର୍ଯ୍ୟନ୍ତ ବ୍ରିଟେନ୍‌ବାସୀ ଅନ୍-ଲାଇନ୍‌ରେ ଟିକେଟ୍ କରିସାରିଥିଲେ। ଟିକେଟ୍‌ଗୁଡ଼ିକର ମୂଲ୍ୟ ୮୦୦୦-୧୫,୦୦୦ ଟଙ୍କା ମଧ୍ୟରେ ଥିଲା, ହେଲେ କୋଭିଡ୍-୧୯ ପୁଣି ବଢ଼ିବାରୁ ଏହି ରେଳ ଚଳାଚଳକୁ ବନ୍ଦ କରାଯାଇଛି। ଯଥାଶୀଘ୍ର ଲୋକଙ୍କୁ ସେମାନଙ୍କ ଟିକେଟ୍ ମୂଲ୍ୟ ଫେରାଯିବାର ବନ୍ଦୋବସ୍ତ କରାଯିବା ସହ ଆସନ୍ତା ବର୍ଷରେ ବିଶେଷ ରିଆତି ଏଥିରେ ମିଳିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାଷ୍ପଚାଳିତ ରେଳରେ ମୋଟ୍ ୧୩,୧୭୪ଟି ଏଲଇଡି ବତୀ ଖଞ୍ଜାଯାଇଛି, ରାତିବେଳା ରେଳଟି ଦୂରରୁ ସର୍ପିଳ ଗତିରେ ଆସିଲେ, ତାହାର ଦୃଶ୍ୟ ଖୁବ୍ ସୁନ୍ଦର। ଏଥରକ ବ୍ରିଟେନ୍‌ବାସୀ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ଏଇ ଏଲଇଡି ରେଳ ପାଇଁ ଅପେକ୍ଷା କରିବେ।

Comments are closed.