ଦୁର୍ନୀତିର ନଗ୍ନଚିତ୍ର: ୨୯ ଦିନ ରହିଲାନି, ନଦୀରେ ଭାସିଗଲା ୨୬୪ କୋଟିରେ ନିର୍ମିତ ପୋଲ

ପାଟନା: ଦେଶରେ ଦୁର୍ନୀତି କେଉଁ ସ୍ତରରେ ପହଞ୍ଚିଛି ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ୨୬୪ କୋଟି ଟଙ୍କାରେ ନିର୍ମିତ ଏକ ପୋଲ ୨୯ ଦିନ ବି ରହିଲା ନାହିଁ। ବନ୍ୟା ଜଳ ଆସିବାରୁ ପୋଲଟି ନଦୀରେ ଭାସିଗଲା। ଏହାକୁ ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ସୂଚନା ଅନୁସାରେ, ୨୦୧୨ରେ ଗୋପାଳଗଞ୍ଜ ଜିଲା ଫୈଜୁଲାପୁର ନିକଟରେ ଗଣ୍ଡକ ନଦୀ ଉପରେ ଏକ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା। ୮ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିବା ପରେ ଗତ ମାସରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏହାକୁ ଉଦ୍‌ଘାଟନ କରିଥିଲେ। ପୋଲ ନିର୍ମାଣରେ ୨୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ବର୍ତ୍ତମାନ ବିହାରରେ ପ୍ରବଳ ବର୍ଷା ଯୋଗୁ ଗଣ୍ଡକ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହି ବନ୍ୟାଜଳରେ ପୋଲର ଏକ ଅଂଶ ଭାଙ୍ଗିଯିବା ସହିତ ନଦୀରେ ଭାସିଯାଇଛି। ଫଳରେ ଛପରା, ସୀୱାନ, ଗୋପାଳଗଞ୍ଜ ଜିଲାରୁ ମୁଜଫ୍ଫରପୁର, ପୂର୍ବ ଚମ୍ପାରଣ, ସୀତାମଢ଼ୀ, ଶିଭହର, ଦରଭଙ୍ଗାକୁ ଯାତାୟାତ ବିଚ୍ଛିନ୍ନ ହୋଇପଡ଼ିଛି।

ବର୍ତ୍ତମାନ ପୋଲ ନିର୍ମାଣରେ ହୋଇଥିବା ନିମ୍ନମାନର କାମ ଏବଂ ଦୁର୍ନୀତି ଯୋଗୁ ଏଭଳି ଘଟିଲା ବୋଲି ଲୋକେ ଅଭିଯୋଗ କରୁଛନ୍ତି। ରାଜ୍ୟ ରାଜକୋଷରୁ ୨୬୪ କୋଟି ଲୁଟ୍‌ କରି ମନ୍ତ୍ରୀ, ଠିକାଦାରଙ୍କୁ ପୋଷା ଯାଇଥିବା ଅଭିଯୋଗ ହୋଇଛି। ମାତ୍ର ମୁଖ୍ୟମନ୍ତ୍ରୀ ଏଯାଏ ମୁହଁ ଖୋଲି ନାହାନ୍ତି।

Comments are closed.