ମରାମତି ବେଳେ ଧସିଲା ତମିଆ-ମୁଦଲସର ସୁକତେଲ ପୋଲ; ୨ ଶ୍ରମିକ ମୃତ, ୧ ଗୁରୁତର

-ମୃତକମାନେ ମଧ୍ୟପ୍ରଦେଶର , ଜଣଙ୍କ ଶବ ଉଦ୍ଧାର ଓ ଅନ୍ୟଟି ନିଖୋଜ

ବଲାଙ୍ଗିର/ପାଟଣାଗଡ : ବଲାଙ୍ଗିର ଜିଲା ପାଟଣାଗଡ ଉପଖଣ୍ଡରେ ଅଭାବନୀୟ ଘଟଣା ଘଟିଛି। କିଛି ମାସ ତଳେ ପାଟଣାଗଡ ଉପଖଣ୍ଡ ତମିଆ-ମୁଦଲସର ଗାଁ ମଝିରେ ଦେଇ ଯାଇଥିବା ସୁକତେଲ ନଦୀ ଉପରେ ନିର୍ମିତ ପୋଲ ଦବି ଯାଇଥିଲା। ବୁଧୁବାର ପୋଲ ଦବି ଯାଇଥିବା ଅଂଶରେ ରାଜ୍ୟ ବାହାରର ଶ୍ରମିକ କାମ କରୁଥିଲେ। କିନ୍ତୁ ପୋଲଟିର କ୍ଷତିଗ୍ରସ୍ତ ଅଂଶ ଭାଙ୍ଗିଯିବାରୁ ତଳେ କାମ କରୁଥିବା ୨ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆଉ ଜଣେ ଗୁରୁତର ଶ୍ରମିକଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଛି। ଗୁରୁତର ଶ୍ରମିକଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ଜଣେ ମୃତ ଶ୍ରମିକଙ୍କ ଶବ ପୋଲ ତଳୁ ବାହାର କରାଯାଇଥିବା ବେଳେ ଅନ୍ୟଜଣେ ଶ୍ରମିକଙ୍କ ଶବ କଢାଯାଇପାରି ନାହିଁ। ପୁଲିସ, ପ୍ରଶାସନ ଘଟଣାସ୍ଥଳରେ ଉପସ୍ଥିତ ରହି ମୃତ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।

ତମିଆ-ମୁଦଲସର ମଝିରେ ଥିବା ସୁକତେଲ ନଦୀ ଯୋଗୁଁ ଲୋକେ ଅନେକ ହଇରାଣ ହେଉଥିଲେ। ତେଣୁ ସୁକତେଲ ନଦୀ ଉପରେ ପୋଲ ନିର୍ମାଣ ପାଇଁ ବଲାଙ୍ଗିର ଗ୍ରାମ୍ୟ ଉନ୍ନୟନ ବିଭାଜନ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ରାମକୁମାର ଅଗ୍ରୱାଲ ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ୍ ଏହି ପୋଲ କାମ ପାଇଁ ୨୦୧୩-୧୪ ଏଫ୍-୨ରେ ୩୩୪୧ରେ ଚୁକ୍ତି ହୋଇଥିଲା। ପ୍ରକଳ୍ପ ବ୍ୟୟ ଅଟକଳ ୬କୋଟି ୯୯ଲକ୍ଷ ୯୭ହଜାର ୨୭୮ ଟଙ୍କା ରଖାଯାଇଥିଲା। ତତ୍କାଳୀନ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ଓ ତତ୍କାଳୀନ ଜିଲା ପରିଷଦ ସଭ୍ୟ କରମ ସିଂ ସରାଫ ୨୦୧୪ ଜାନୁଆରୀ ୭ ତାରିଖରେ ଏହାର ଭିତ୍ତିପ୍ରସ୍ତର ଦେଇଥିଲେ। ୨୦୧୪ ଫେବ୍ରୁଆରୀ ୨୬ ତାରିଖରେ ପୋଲ କାମ ଆରମ୍ଭ କରାଯାଇଥିବା ବେଳେ ୨୫ ଫେବ୍ରୁଆରୀରୁ ୨୦୧୬ରେ ପୋଲ କାମ ଶେଷ ହୋଇଥିଲା। ପୋଲ କାମ ସରିବା ପରେ ୪ ବର୍ଷ ଅବଧି ମଧ୍ୟରେ କୌଣସି ସମସ୍ୟା ଦେଖା ଦେଲେ ପୋଲ ମରାମତି କାମ ସଂପୃକ୍ତ ଠିକା ସଂସ୍ଥା କରିବ ବୋଲି ଚୁକ୍ତିରେ ସ୍ଥିର କରାଯାଇଥିଲା। ପୋଲ ନିର୍ମାଣର ଅବଧି ପୂର୍ବରୁ ଠିକା ସଂସ୍ଥା କାମ କରିଦେଇଥିବାରୁ ବିଭାଗ ପକ୍ଷରୁ ସଂସ୍ଥାକୁ ୫୦ଲକ୍ଷ ଟଙ୍କାର ଅଧିକ ସହାୟତା ରାଶି ଦିଆଯାଇଥିଲା।

ଇତିମଧ୍ୟରେ ପୋଲ ନିର୍ମାଣ ଓ ଚୁକ୍ତିର ଅବଧି ଶେଷ ହୋଇସାରିଥିଲା। ତେବେ ଗତ ଫେବ୍ରୁଆରୀ ଶେଷ ଆଡକୁ ପୋଲର ଦୁଇଟି ଫେଜ୍ କ୍ଷତିଗ୍ରସ୍ତ ହେବା ସହ ସିମେଣ୍ଟ ଅତଡା ଧସିଥିଲା। ଲୁହା ଛଡ଼ ଆଦି ପୋଲ ତଳପଟୁ ଦେଖାଯାଉଥିବା ବେଳେ ପୋଲ ଦବି ଯାଇଥିବା ଲୋକେ ଅଭିଯୋଗ କରିଥିଲେ। ଆର୍ଡବ୍ଲ୍ୟୁଡି ପାଟଣାଗଡ ଅଧୀନକୁ ଏହି ପୋଲର ଦାୟିତ୍ୱ ଆସିଥିଲା। ସେହିପରି ବିଭାଗୀୟ ମୁଖ୍ୟଯନ୍ତ୍ରୀ ପୋଲ କାମର ତଦାରଖ କରି ରିପୋର୍ଟ କରିବାକୁ ତିନିଜଣିଆ ଟିମକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟିମ୍ ଆସି ସରଜମିନ ଯାଞ୍ଚ କରି ରିପୋର୍ଟ ଦେଇଥିଲେ ମୁଖ୍ୟଯନ୍ତ୍ରୀଙ୍କୁ। କିନ୍ତୁ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ ଏହି ପୋଲର କ୍ଷତିଗ୍ରସ୍ତ ଦୁଇଟି ଫେଜକୁ ଭାଙ୍ଗି ଦେଇ ପୁଣିଥରେ କାମ କରାଯିବ ବୋଲି ଠିକା ସଂସ୍ଥା କହିଥିଲା। ଯାହାକୁ ବିଭାଗ ଗ୍ରହଣ କରିନେଇଥିଲା। ତାଲା ବନ୍ଦ ଯୋଗୁଁ କାମ ଆରମ୍ଭ ହୋଇଥିଲେ ବି ଅଟକି ରହିଥିଲା। ଗତ ୨/୩ ଦିନ ତଳେ ପୁଣିଥରେ ପୋଲ କାମ ଆରମ୍ଭ କରାଯାଇଥିଲା। ଏହି କ୍ଷତିଗ୍ରସ୍ତ ପୋଲର ଉପର ପଟେ ହୋଲ୍ କରାଯାଉଥିବା ବେଳେ ତଳ ପଟେ ଲୁହା ପିଲର୍ ଲଗାଇବା ପାଇଁ ଶ୍ରମିକ ନିୟୋଜିତ ହୋଇଥିଲେ। ବୁଧୁବାର ଦିନ ୧୦ଟା ବେଳେ ଅଚାନକ ପୋଲଟି ଖସିଥିଲା। ଫଳରେ ପୋଲ ତଳେ ଲୁହା ପିଲର୍ କାମ କରୁଥିବା ଶ୍ରମିକମାନେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ମଧ୍ୟପ୍ରଦେଶ ଭେଣ୍ଡ ଜିଲା ଅଟେର ଥାନାର ପରାମେୱାରାମ କପୁରା ଗାଁର ପୁପୁ କୁଶୁଆ(୩୮) ଓ ମନୀଷ କୁଶୁଆ(୧୬)ଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ହୋଇଥିଲେ ୩୭ ବର୍ଷୀୟ ସୋନୁ କୁଶୁଆଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆମ୍ବୁଲାନ୍ସରେ ଭର୍ତ୍ତି କରାଯାଇଛି। ପୋଲ ତଳେ ଚାପି ରହିଥିବା ମୃତ ପପୁଙ୍କ ଶବ ଜେସିବି ଲଗାଇ ବାହାର କରାଯାଇଥିଲା। କିନ୍ତୁ ମନୀଷଙ୍କ ଶବ ପୋଲ ତଳେ ରହିଯାଇଛି। ତେବେ ମନୀଷଙ୍କ ବାପା ମାୟାରାମ କୁଶୁଆ, ସଂପର୍କୀୟ ରାଜୁ କୁଶୁଆ ଓ ରବି କୁଶୁଆ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ଏହି ଦୁର୍ଘଟଣା ଖବର ପାଇ ପାଟଣାଗଡ ତହସିଲଦାର ଡା.ପୁଷ୍ପାଞ୍ଜଳି ପଣ୍ଡା, ଏସ୍‌ଡିପିଓ ସୁରେଶ କୁମାର ନାୟକ, ସହକାରୀ ଜିଲାପାଳ ପଦ୍ମନାଭ ପୁରୋହିତ, ପାଟଣାଗଡ ପୁଲିସ ଓ ଲରମ୍ଭା ପୁଲିସ, ଅଗ୍ନିଶମ ବିଭାଗ ପହଞ୍ଚିଥିଲେ। ପୋଲ ତଳେ ଦବି ରହିଥିବା ମୃତ ମନୀଷର ଶବ କାଢିବା ପାଇଁ ଅଧିକ ଜେସିବି ଆବଶ୍ୟକ ହେଉଥିବାରୁ ପ୍ରଶାସନ ଓ ପୁଲିସ ପକ୍ଷରୁ ଜେସିବି ଆଣିବା ପାଇଁ ଉଦ୍ୟମ ଜାରି ରହିଛି। କିନ୍ତୁ ଘଟଣାସ୍ଥଳରେ ଆର୍ଡବ୍ଲ୍ୟୁଡି ବିଭାଗ କି ଠିକା ସଂସ୍ଥାର କୌଣସି ଅଧିକାରୀ, କର୍ମଚାରୀ ପହଞ୍ଚି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.