MEllora 950×100

ସବାରୀ ବଦଳରେ ଉଠିଲା କୋକେଇ: ବରଣମାଳା ବେଳେ ଟଳିପଡ଼ିଲେ କନ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଲିହାବାଦର ଏକ ଘରେ ବିବାହର ଆନନ୍ଦ କ୍ଷଣିକରେ ଶୋକରେ ପରିଣତ ହୋଇଗଲା। ବରଣମାଳା ସମୟରେ ମଣ୍ଡପ ଉପରେ ହଠାତ୍‌ ଚାଲିଗଲା ବଧୂର ଜୀବନ। ଶୁକ୍ରବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା।

ଭଦୱାନା ଗ୍ରାମ ନିବାସୀ ରାଜପାଲଙ୍କ ଝିଅ ଶିବାଙ୍ଗୀଙ୍କ ବିବାହ ଚାଲିଥିଲା। ଲକ୍ଷ୍ନୌର ବୁଦ୍ଧେଶ୍ବରରୁ ଆସିଥିଲେ ବରଯାତ୍ରୀ। ଶୋଭାଯାତ୍ରା ଘର ଆଗରେ ପହଞ୍ଚିବା ପରେ ସମସ୍ତଙ୍କ ମୁହଁରେ ଥିଲା ହର୍ଷୋଲ୍ଲାସର ଚମକ। ବରଯାତ୍ରୀମାନେ ଆନନ୍ଦରେ ନାଚୁଥିଲେ। ଖୁସିର ବାତାବରଣ ଥିଲା। ବରଣମାଳା ଧରି ବର ମଣ୍ଡପ ଉପ​‌ରେ ନିଜ ବଧୂ ଅପେକ୍ଷାରେ ଥିଲା। ସେପଟେ କନ୍ୟା ମଧ୍ୟ ନିଜ ସାଙ୍ଗମାନଙ୍କ ସହ ନାଲି ଲେହେଙ୍ଗା ପିନ୍ଧି ହାତରେ ବରଣମାଳା ଧରି ଆସୁଥିଲା। ବଧୂ ମଣ୍ଡପ ଉପରେ ପହଞ୍ଚିଲା। ବର ଓ ବଧୂ ପରସ୍ପରକୁ ବରମାଳା ପିନ୍ଧାଇବାକୁ ଯାଉଥିଲେ। ଏହି ସମୟରେ ହଠାତ୍‌ ବଧୂ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ଏହା ଦେଖି ସମସ୍ତେ ଚମକି ପଡ଼ିଥିଲେ। ସେଠାରେ ଉପସ୍ଥିତ ସମ୍ପର୍କୀୟମାନେ ତୁରନ୍ତ ବଧୂକୁ ଉଠାଇ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଧୂର ମୃତ୍ୟୁ ପରେ ଦୁଇ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ମାତ୍ର କିଛି ମିନିଟ୍‌ରେ ସବୁ
ଖୁସି ଶୋକରେ ପରିଣତ ହୋଇଗଲା। ଏହି ଦୁଃଖଦ ଘଟଣାରେ ବଧୂର ମାଆ କମଲେଶ କୁମାରୀ, ସାନ ଭଉଣୀ ସୋନମ, ଭାଇ ଅମିତ, କୋମଲ ସମେତ ସମ୍ପର୍କୀୟମାନଙ୍କ ଆଖିରୁ ଲୁହ ଶୁଖୁନାହିଁ।

Comments are closed.