ଲାଞ୍ଚ ମାମଲା: ମାଗିଥିଲେ ୫୦, କିନ୍ତୁ ୩୫ ନେଇ ଧରାପଡ଼ିଲେ

ବାବୁ ଓ କିରାଣୀ ଗଲେ ଜେଲ

ସୁନ୍ଦରଗଡ଼(ଅଫିସ)/ହେମଗିର : ପ୍ରଶାସନିକ ଅଧିକାରୀ, ଡାକ୍ତର ଓ ଯନ୍ତ୍ରୀଙ୍କ ପରେ ଏବେ ପୁଣି ବ୍ଲକ ଶିକ୍ଷା ଅଧିକାରୀ ଓ ତାଙ୍କ କିରାଣୀ ୩୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିବା ଘଟଣା ପୁଣି ଚର୍ଚ୍ଚାର ପରିଧିକୁ ଆସିଛି । ଭିଜିଲାନ୍ସ ଟିମ ବ୍ଲକ ଶିକ୍ଷା ଅଧିକାରୀଙ୍କ ସରକାରୀ କାର୍ଯ୍ୟାଳୟ, ଘର ଓ ଗାଁରେ ଥିବା ଘର ଖାନତଳାସି ଚଳାଇଥିବା ବେଳେ କିରାଣୀଙ୍କ ଘରେ ମଧ୍ୟ ଖାନତଳାସି ଜାରି ରହିଛି । ବିଭାଗୀୟ ସୂତ୍ରରୁ ପ୍ରକାଶ, ହେମଗିର ବ୍ଲକର ସାହସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ବାଗ ୨୦୧୦ ମସିହାରୁ ସରକାରଙ୍କ ବିଭିନ୍ନ ଅନୁଦାନର ବିନିଯୋଗ ପତ୍ର ଦାଖଲ କରିନଥିଲେ । ଏହି ବିନିଯୋଗ ପତ୍ରକୁ ଅପଡେଟ୍‍ କରିବା ପାଇଁ ସେ ହେମଗିର ବ୍ଲକ ଶିକ୍ଷା ଅଧିକାରୀ ଡ.ସୁରେନ୍ଦ୍ର ସାହୁଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ସାହୁ ଏତେ ଦିନ ହେଲା କାହିକି ଏସବୁ କାମ ହୋଇନଥିଲା ଓ ତୁମ ବିରୁଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କନିଷ୍ଠ କିରାଣୀ ବିରଞ୍ଚି ଖିଲେଇଙ୍କ ଜରିଆରେ କୁଆଡ଼େ ପରୋକ୍ଷରେ ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷକ ନିଜର ସମସ୍ତ କାଗଜପତ୍ର ବ୍ଲକ କାର୍ଯ୍ୟାଳୟରେ ଦାଖଲ କରିଥିଲେ ମଧ୍ୟ କାର୍ଯ୍ୟାଳୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ ଶ୍ରୀ ବାଗ ଶିକ୍ଷା ଅଧିକାରୀଙ୍କୁ ପୁନଶ୍ଚ ଅନୁରୋଧ କରିବାରୁ ବ୍ଲକ ଶିକ୍ଷା ଅଧିକାରୀ କୁଆଡ଼େ ୫୦ହଜାର ଟଙ୍କା ଲାଞ୍ଚ ନ ଦେଲେ ଏତେ ଦିନର କାମ ହୋଇପାରିବ ନାହିଁ ଓ ଟଙ୍କା କନିଷ୍ଠ କିରାଣୀ ଖିଲେଇଙ୍କୁ ଦେବା ପାଇଁ କହିଥିଲେ । ଅଧିକାରୀ ଓ କିରାଣୀଙ୍କ ଏଭଳି କାର୍ଯ୍ୟକଳାପରେ ଅତ୍ୟନ୍ତ ମର୍ମାହତ ହୋଇ ରାଉରକେଲା ଭିଜିଲାନ୍ସ ଏସ.ପି ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସ.ପିଙ୍କ ନିର୍ଦ୍ଦେଶ କ୍ରମେ ଡି.ଏସ.ପି ବିରେନ୍ଦ୍ର କୁମାର ନାଏକ, ଇନ୍ସପେକ୍ଟର ଏସ.ଏସ.ପୁଝାରୀ, ଏ.କେ.ପ୍ରଧାନ, ପି.କେ.ଆଇନ୍ଦ, ସୁଧିର ସାହୁ, ରଶ୍ମିତା ଲାକଡ଼ା ପ୍ରମୁଖ ଏକ ଯୋଜନା ପ୍ରସ୍ତୁତ କରି ସୁଯୋଗକୁ ଅପେକ୍ଷା କରିଥିଲେ । ଆଜି ପ୍ରଧାନ ଶିକ୍ଷକ ଶ୍ରୀ ବାଗ ଟଙ୍କା ଧରି କନିଷ୍ଠ କିରାଣୀ ଖିଲେଇଙ୍କୁ ଯୋଗାଯୋଗ କରିଥିଲେ । ପ୍ରଥମେ କିରାଣୀ ଜଣକ ତାଙ୍କୁ ଏକ ଛକ ଜାଗାରେ ଦେଖା କରି ଟଙ୍କା ଦେବାକୁ କହିଥିବା ବେଳେ ପୁନଶ୍ଚ ପୁଣି ଏହି ସ୍ଥାନ ପରିବର୍ତ୍ତନ କରି ହେମଗିରର ଡୁରୁବଗା ଛକରେ ଟଙ୍କା ଦେବା ପାଇଁ କହିବାରୁ ଉଭୟ (କନିଷ୍ଠ କିରାଣୀ ଖିଲେଇ ଓ ପ୍ରଧାନ ଶିକ୍ଷକ) ଡୁରୁବଗା ଛକରେ କଥାବାର୍ତ୍ତା ହେବା ସହ ରଙ୍ଗବୋଳା ୫୦୦ ଟଙ୍କିଆ ନୋଟ ୭୦ଟି ଖିଲେଇଙ୍କୁ ଦେଇଥିଲେ । ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ କନିଷ୍ଠ କିରାଣୀ ଖିଲେଇଙ୍କୁ କାବୁ କରିବା ସହ ତାଙ୍କଠାରୁ ରଙ୍ଗବୋଳା ଟଙ୍କା ଜବତ କରି ରାସାୟନିକ ପ୍ରକ୍ରିୟା କରାଇଥିଲେ । ଭିଜିଲାନ୍ସ ଟିମର ହେପାଜତରେ ଥିବା ବେଳେ ଶ୍ରୀ ଖିଲେଇ ବିଇଓ ଶ୍ରୀ ସାହୁଙ୍କ ନିର୍ଦ୍ଦେଶରେ ଏ ଟଙ୍କା ନେଇଛନ୍ତି ବୋଲି କହିବାରୁ ଭିଜିଲାନ୍ସ ଟିମ ସୁନ୍ଦରଗଡ଼ରେ ଏକ ବୈଠକ ଚାଲିଥିବା ବେଳେ ବିଇଓଙ୍କ ପାଖରେ ପହଞ୍ଚିଯାଇଥିଲେ । ଏଠାରେ ଅଭିଯୋଗକାରୀ ପ୍ରଧାନ ଶିକ୍ଷକ ଓ କନିଷ୍ଠ କିରାଣୀଙ୍କ ସହ ମୁହାଁମୁହିଁ ଜେରା ହେବାରୁ ଉଭୟ ବିଇଓଙ୍କ ନିର୍ଦ୍ଦେଶ ମୁତାବିକ ଏସବୁ ଦିଆନିଆ ହୋଇଥିଲା ବୋଲି କହିବାରୁ ଭିଜିଲାନ୍ସ ଦଳ ବିଇଓ ଶ୍ରୀ ସାହୁଙ୍କ ମଧ୍ୟ ନିଜ ହେପାଜତରେ ନେଇଥିଲେ । ପରେ ତାଙ୍କ କାର୍ଯ୍ୟାଳୟ, ଝାରସୁଗୁଡ଼ା ସ୍ଥିତ ବାସଗୃହ ସେହିପରି କନିଷ୍ଠ କିରାଣୀଙ୍କ ବାସଗୃହ ଉପରେ ମଧ୍ୟ ଚଢ଼ାଉ କରିଥିଲେ ହେଲେ ଏ ଖବର ଲେଖା ହେଲା ପର୍ଯ୍ୟନ୍ତ ଖାନତଳାସିରେ କଣ ସବୁ ମିଳିଛି ତାହା ସ୍ପଷ୍ଟ ହୋଇନଥିବାର ଜଣାପଡ଼ିଛି । ଉଭୟଙ୍କୁ ଡାକ୍ତରୀ ମାଇନା କରାଯାଇ ସୁନ୍ଦରଗଡ଼ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବାରୁ ସ୍ୱତନ୍ତ୍ର ଜଜ୍‍ ଏମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି । ଅପରପକ୍ଷରେ ଶିକ୍ଷା ବିଭାଗରେ କେତେକ ଗାତୁଆ ମୁଷା ଏଭଳି କାରବାରରେ ଲିପ୍ତ ରହି ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ଠାରୁ ବିଭିନ୍ନ କାର୍ଯ୍ୟ ପାଇଁ ଲାଞ୍ଚ ଦାବି କରୁଥିବାର ଅଭିଯୋଗ ହୋଇଆସୁଛି ଓ ପୂର୍ବରୁ ଶ୍ରୀ ସାହୁଙ୍କ ବିରୁଧରେ ମଧ୍ୟ ଏଭଳି ଅଭିଯୋଗ ହୋଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

Comments are closed.