ବ୍ରାଜିଲ-ଆର୍ଜେଣ୍ଟିନା ଫାଇନାଲ

ବ୍ରାସିଲିଆ : ଫୁଟବଲପ୍ରେମୀ ଯାହା ଆଶା କରିଥିଲେ; ତାହା ହିଁ ହୋଇଛି। ବିଶ୍ବର ଦୁଇ ଶକ୍ତିଶାଳୀ ଫୁଟ୍‌ବଲ ରାଷ୍ଟ୍ର ବ୍ରାଜିଲ ଓ ଆର୍ଜେଣ୍ଟିନା ମଧ୍ୟରେ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଫାଇନାଲରେ ବିଶ୍ବର ଦୁଇ ଫୁଟବଲ ତାରକା ଲିଓନେଲ ମେସି ଓ ନୈମାରଙ୍କ ମୁକାବିଲା ଦେଖିବାକୁ ମିଳିବ। ବୁଧବାର ୨ୟ ସେମିଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ପେନାଲ୍‌ଟି ସୁଟ୍‌ଆଉଟ୍‌ ୧-୧ (୩-୨) ଗୋଲ୍‌ରେ କଲମ୍ବିଆକୁ ପରାସ୍ତକରି ୨୯ ଥର ଲାଗି ଫାଇନାଲକୁ ଉନ୍ନୀତ ହୋଇଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଆର୍ଜେଣ୍ଟିନାର ଏହି ବିଜୟରେ ଗୋଲ୍‌ରକ୍ଷକ ଏମିଲିଆନୋ ମାର୍ଟିନେଜ୍‌ ହିରୋ ସାଜିଥିଲେ।
୧୪ଥର କୋପା ଆମେରିକା ଚମ୍ପିଆନ ଲିଓନେଲ ମେସି ନେତୃତ୍ବାଧିନ ଆର୍ଜେଣ୍ଟିନା ସେମିଫାଇନାଲ ଜିତିବାର ବଡ଼ ଦାବିଦାର ଥିଲା। ଏହା ଆରମ୍ଭରୁ କଲମ୍ବିଆ ଉପରେ ପ୍ରଭାବ ପକାଇ ପାରିଥିଲା। ୭ ମିନିଟ୍‌ରେ ଆର୍ଜେଣ୍ଟିନା ପ୍ରଥମ ଗୋଲ ଦେଇଥିଲା। ଅଧିନାୟକ ଲିଓନେଲ ମେସିଙ୍କ ଏକ ପାସ୍‌କୁ ଲୌଟାରୋ ମାର୍ଟିନେଜ୍‌ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୪୪ ମିନିଟ୍‌ରେ ମେସିଙ୍କ ଏକ କର୍ଣ୍ଣରକୁ ଗୋଞ୍ଜାଲେଜ୍‌ ହେଡ୍‌ କରିଥିଲେ ମଧ୍ୟ କଲମ୍ବିଆ ଗୋଲ୍‌ରକ୍ଷକ ଡ୍ରାଇଭ୍‌ ମାରି ଗୋଲରୁ ରକ୍ଷା କରିଥିଲେ। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୧-୦ ଗୋଲରେ ଆଗୁଆ ଥିଲା। ୬୧ ମିନିଟ୍‌ରେ କଲମ୍ବିଆ ଚମତ୍କାର ଢଙ୍ଗରେ ଗୋଲ୍‌ ସୁଝାଇଥିଲା। ଆର୍ଜେଣ୍ଟିନା ରକ୍ଷଣଭାଗର ତ୍ରୁଟିର ଫାଇଦା ଉଠାଇ କଲମ୍ବିଆର ଷ୍ଟାର ଖେଳାଳି ଲୁଇସ୍ ଡିଆଜ୍‌ ଗୋଲ୍‌ ଦେବାରେ ସକ୍ଷମ ହୋଇଥିଲେ। ୮୦ ମିନିଟ୍‌ରେ ମେସି ଏକ ଚମତ୍କାର ସଟ୍‌ ମାରିଥିଲେ ମଧ୍ୟ ଏହା ଗୋଲପୋଷ୍ଟରେ ବାଜିଥିଲା। ୯୦ ମିନିଟ୍‌ରେ ମେସି ଆଉ ଏକ ଗୋଲ ଦେବା ନେଇ ସୁଯୋଗ ସୃଷ୍ଟି କରି ମଧ୍ୟ ବିଫଳ ହୋଇଥିଲେ। ସ୍କୋର୍ ୧-୧ରେ ସମାପ୍ତହେବା ପରେ ପେନାଲ୍‌ଟି ସୁଟ୍‌ଆଉଟ ହୋଇଥିଲା। ଆର୍ଜେଣ୍ଟିନା ଏଥିରେ ୩-୨ ଗୋଲ୍‌ରେ ବିଜୟୀ ହୋଇଥିଲା। ଆର୍ଜେଣ୍ଟିନା ପକ୍ଷରୁ ମେସି, ଲାଉଟାରୋ ମାର୍ଟିନେଜ୍‌ ଓ ପାରାଡେସ୍‌ ଗୋଲ ଦେଇଥିବା ବେଳେ କଲମ୍ବିଆ ପକ୍ଷରୁ ବୋର୍ଜା ଓ କୌଡରାଡୋ ଗୋଲ ସ୍କୋର କରିଥିଲେ। ପୂର୍ବରୁ ପ୍ରଥମ ସେମିଫାଇନାଲରେ ବ୍ରାଜିଲ ୧- ୦ ଗୋଲରେ ପେରୁକୁ ପରାସ୍ତକରି ଫାଇନାଲକୁ ଉନ୍ନୀତ ହୋଇଥିଲା। ଶୁକ୍ରବାର ପେରୁ ଓ କଲମ୍ବିଆ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଖେଳାଯିବ। ରବିବାର ଭୋର୍‌ରୁ ବ୍ରାଜିଲ-ଆର୍ଜେଣ୍ଟିନା ଫାଇନାଲ ମ୍ୟାଚ୍‌ ଖେଳାଯିବ।

Comments are closed.