ବ୍ରାଣ୍ଡ୍‌ ଓଡ଼ିଶା: ବିଶ୍ୱ-ଅନୁରାଗର ପରିଭାଷା

ଗଣେଶୀ ଲାଲ

ବିଜୁବାବୁଙ୍କ ନାମରେ ଇଣ୍ଡୋନେସିଆ ଦୂତାବାସର ଏକ କୋଠରି ସମର୍ପିତ ହେବା ଖବରରେ ମୁଁ ଓଡ଼ିଶାର ପ୍ରଥମ ସେବକ ଭାବରେ ବିଶେଷ ଗୌରବାନ୍ୱିତ। ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଇଁ ବ୍ୟାପକ ପ୍ରସ୍ତୁତି ସଂପର୍କିତ ସୂଚନାରେ ମୁଁ ଆହ୍ଲାଦିତ। ବିଜୁବାବୁ ଓ ନେତାଜୀ ସୁଭାଷ ଏଇ ଓଡ଼ିଶା ମାଟିରେ ଜନ୍ମ ହୋଇଥିଲେ ସିନା; କିନ୍ତୁ ସେମାନଙ୍କର ଜନ୍ମ ଥିଲା ସାରା ପୃଥିବୀ ପାଇଁ। ସେମାନେ ଓଡ଼ିଶା ମାଟିର ମହକ ସାରା ଦୁନିଆରେ ବିତରିଥିଲେ। ସେମାନେ ବାସ୍ତବରେ ପୃଥିବୀ ପାଇଁ ଈଶ୍ୱରଙ୍କର ବରଦାନ ସଦୃଶ। ସେମାନେ ଯେଉଁ କର୍ମ ପାଇଁ ବିଶ୍ୱବନ୍ଦିତ, ତା’ର ପ୍ରେରଣାର ଭୂମି ହେଉଛି ଓଡ଼ିଶା। ସେହି ଭୂମିକୁ ମୋର କୋଟି ପ୍ରଣାମ, ଯେଉଁ ଭୂମିର ଭାବ ହେଲା, ପ୍ରସାରଣ ହିଁ ଜୀବନ ଓ ସଂକୋଚନ ହିଁ ମରଣ। ‘ବସୁଧୈବ କୁଟୁମ୍ବକମ୍‍’ର ବାର୍ତ୍ତା ଦେଇ ଆସିଛି ଓଡ଼ିଶା କାଳ କାଳ ଧରି ଯାହାର ଭୂରି ଭୂରି ପ୍ରମାଣ ରହିଛି ଇତିହାସରେ। ସମସ୍ତ ସଂକୀର୍ଣ୍ଣ ବିଚାର ଉପରେ ଉଡ଼ାଇଛି ବିଶ୍ୱ ପ୍ରେମର ନେତ। ସମସ୍ତ କୃତ୍ରିମ ପା​‌େ​‌ଚରି ଭାଙ୍ଗି ପ୍ରସରିଯାଇଛି, କୋଳେଇ ନେଇଛି ସାରା ଜଗତକୁ। ଏପରି ଭୂମିରେ ଯେ କୌଣସି କାରଣ ପାଇଁ ହେଉ ମଧ୍ୟ ପ୍ରାଚୀର ନିର୍ମାଣର କଳ୍ପନା ମଧ୍ୟ କରାଯାଇପାରେନା। ବିଶାଳ ହୃଦୟବତ୍ତା, ମାନବିକତା, ଆନ୍ତରିକତା ଓ ମହାନୁଭବତା ଓଡ଼ିଶାର ଅଳଙ୍କାର ନୁହେଁ; ଏସବୁ ଓଡ଼ିଶାର ଅବୟବ। ଓଡ଼ିଶା ଏହି ତତ୍ତ୍ୱ ଓ ଆଦର୍ଶକୁ ନେଇ ଗଠିତ ଯାହା ପଛରେ ରହିଛି ଈଶ୍ୱରଙ୍କ ଆଶୀର୍ବାଦ ଓ ସମଗ୍ର ମାନବ ଜାତିର ଆଶା ଓ ଅଭୀପ୍‍ସା।

ଓଡ଼ିଶାକୁ ବୁଝିବା ଓ ବୁଝେଇବା ସହଜ ନୁହେଁ। ମୁଁ ତ କହିବି; ଓଡ଼ିଶାକୁ ବୁଝା ନଯାଉ; ଅନ୍ତରରେ ଅନୁଭବ କରାଯାଉ। ଓଡ଼ିଶା ହୁଏ ତ ବ୍ରହ୍ମାଣ୍ଡର ଏକ ଅଂଶ ବିଶେଷ ହୋଇପାରେ; କିନ୍ତୁ ମୋ ଚେତନାରେ ଓଡ଼ିଶା ହେଉଛି ସ୍ୱୟଂସଂପୂର୍ଣ୍ଣ ଏକ ବ୍ରହ୍ମାଣ୍ଡ। ରାଜା ସତ୍ୟଜିତଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମହାମୁନି କପିଳ କହୁଛନ୍ତି: ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁତ୍କଳଃ ସ୍ମୃତଃ। ଉତ୍କଳସ୍ୟ ସମୋ ଦେଶୋ ଦେଶୋ ନାସ୍ତି ମହୀତଳେ।ା ‘ଭୂପୃଷ୍ଠରେ ଯେତେ ବର୍ଷ (ଅଂଚଳ) ଅଛି, ସେମାନଙ୍କ ମଧ୍ୟରେ ଭାରତବର୍ଷ ଶ୍ରେଷ୍ଠ ଏବଂ ଯେତେ ଦେଶ ରହିଛି, ସେମାନଙ୍କ ମଧ୍ୟରେ ଉତ୍କଳ ଦେଶ ବିଖ୍ୟାତ। ଉତ୍କଳ ପରି ପବିତ୍ର ଦେଶ ସମଗ୍ର ପୃଥିବୀରେ ନାହିଁ’। ସତରେ ଓଡ଼ିଶାର ବିକଳ୍ପ ନାହିଁ। ସେହି ଓଡ଼ିଶାର ସଂଧାନ କରି, ତା’ର ସେବାରେ ନିଜକୁ ସମର୍ପିତ କରିବା ଓ ସେହି ଓଡ଼ିଶାର ଭାବକୁ ଗଣ୍ଠିଧନ କରିବା ହିଁ ଆଜିର ଆହ୍ୱାନ ଓ ଆବଶ୍ୟକତା।

ଓଡ଼ିଶାର ବିକାଶ ପାଇଁ ଆମେ ସମସ୍ତେ ଚିନ୍ତିତ। ଓଡ଼ିଶା ବିକାଶ କ୍ଷେତ୍ରରେ ଆହୁରି ଆଗକୁ ଯିବା ଦରକାର ଏବଂ ବିକାଶ ପଥର ପ୍ରତିବନ୍ଧକଗୁଡ଼ିକୁ ଚିହ୍ନଟ କରି; ତା’ ବିରୋଧରେ ସ୍ୱର ଉତ୍ତୋଳନ କରାଯିବା ଭଲ କଥା। ତେବେ ଏହି ସ୍ୱର ବାହାନାରେ ହୁଏତ ଆମେ ଆତ୍ମାର ଅବହେଳା କରୁଛେ। ବିକାଶର ପ୍ରହେଳିକାକୁ ପରମ ମନେ କରି ବିନାଶକୁ ନିମନ୍ତ୍ରଣ କରୁଛେ। ବିକାଶର ସଂଜ୍ଞା ଓ ସ୍ୱରୂପ ବେଶ୍‌ ବ୍ୟାପକ। ବିକାଶ ହେଉଛି ବହୁସ୍ତରୀୟ। ମୋଟ ଉପରେ ଏହାକୁ ଭୌତିକ ବିକାଶ ଓ ଅଧ୍ୟାତ୍ମ ବିକାଶ ଭାବରେ ଭାଗ କରାଯାଇପାରେ। ଓଡ଼ିଶାର ଅଧ୍ୟାତ୍ମ ବିକାଶ ହେଉଛି ଯୁଗ ଯୁଗର ଉପଲବ୍ଧି; ଯାହା ଓଡ଼ିଶାର ପରିଚିତି ଓ ଅସ୍ମିତା ସହ ସମନ୍ୱିତ। ଏହି ବିକାଶ ହେଉଛି ଆମ ସ୍ଥିତି ଓ ବିସ୍ତୃତିର ବ୍ୟାକରଣ। ଏହାକୁ ଦୃଷ୍ଟିରେ ରଖି ଉଭୟ ମଧ୍ୟରେ ସଂହତି ଓ ସମନ୍ୱୟ ବିକାଶର ଅସଲ ମନ୍ତ୍ର ଓ ଆହ୍ୱାନ ହେବା ଉଚିତ ବୋଲି ମୁଁ ବିଚାର କରେ। ବିକାଶକୁ ପ୍ରାୟତଃ ଅର୍ଥନୈତିକ ମାପଦଣ୍ଡରେ ମପା ଯାଉଛି। ସେଥିରେ ନିଶ୍ଚୟ ଓଡ଼ିଶା ପଛରେ ଅଛି। କେହି କେହି ଏହି ମାପଦଣ୍ଡର ବ୍ୟର୍ଥତାକୁ ଅନୁଭବ କରି ସୁଖ ଓ ଖୁସିକୁ ବିକାଶର ଆଧାର ଭାବରେ ଗ୍ରହଣ କଲେଣି; କିନ୍ତୁ ଅସଲ ବିକାଶ ହେଉଛି ଆତ୍ମିକ ବିକାଶ ଏବଂ ଏହି ବିକାଶର ସୂତ୍ର ଓଡ଼ିଶା ଦେଇଆସିଛି। ଦିନ ଆସିବ ଓଡ଼ିଶାକୁ ସାରା ବିଶ୍ୱ ଅନେଇବ। ଚଣ୍ଡାଶୋକର ବିକାଶର ଅହମିକାକୁ ଚୁର୍‍ମାର କରି ଓଡ଼ିଶା ଦେଇଥିଲା ବିକାଶର ମୂଳମନ୍ତ୍ର ଯାହା ବିଶ୍ୱବିଦିତ। ମାଟିର ମହାମହୋପାଧ୍ୟାୟ ଓଡ଼ିଶା ସଂପର୍କରେ ଯାହା କହିଛନ୍ତି ତାହା ଏଠାରେ ବେଶ୍‌ ପ୍ରଣିଧାନଯୋଗ୍ୟ। ‘ସ୍ତବ୍ୟା ଭବ୍ୟା ଅଭବ୍ୟା ଅପି ବଚନଚୟୈର୍ନବ୍ୟନବ୍ୟୈଶ୍ଚ ଦିବ୍ୟୈର୍ବାସ୍ତବ୍ୟା ଯତ୍‍ ପୃଥିବ୍ୟାମବନତବଦନୈବ୍ୟୈାମ୍ନି ନିବର୍ଣ୍ଣ୍ୟମାନାଃ। ବାହୁବ୍ୟୂହାଗ୍ରବିଭ୍ରାଜିତବନଜଗଦାକମ୍ବୁଚକ୍ରା ଇବୋଚ୍ଚୈରୋଡ଼୍ରଃ​‌​‌େ​‌ପ୍ରୗଢ଼ପ୍ରଭାବୋ ଜୟତି ପରିବୃତଃ ସର୍ବଦେଶସ୍ୟ ସୋୟମ୍‍।ା – ‘ଏହି ଉତ୍କଳ ଭୂମିରେ ବାସ କରୁଥିବା ଲୋକେ ଧନସଂପଦ (ପାର୍ଥିବ) ଦୃଷ୍ଟିରୁ ସମୃଦ୍ଧିଶାଳୀ ନହୋଇପାରନ୍ତି; କିନ୍ତୁ ଏହି ଭୂମିର ଅଧିବାସୀ ହୋଇଥିବାରୁ ସେମାନଙ୍କୁ ଦେବତାମାନେ ଆକାଶରୁ ନତମସ୍ତକ ହୋଇ ଉନ୍ନତ ଓ ନୂତନ ବାକ୍ୟାବଳୀରେ ସ୍ତୁତି କରି ସମୃଦ୍ଧିଶାଳୀ ବୋଲି ପ୍ରମାଣିତ କରନ୍ତି। ଆହୁରି ମଧ୍ୟ ସେମାନଙ୍କୁ ଏ ଦେଶର ଲୋକେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥିବା ଅବର୍ଣ୍ଣନୀୟ ବିଷ୍ଣୁଲୋକଙ୍କ ପରି ଦେଖାଯାଆନ୍ତି’। ଓଡ଼ିଆମାନେ ସବୁବେଳେ ଅର୍ଥ ଉପରେ ପରିମାର୍ଥକୁ ଗୁରୁତ୍ୱ ଦେଇଛନ୍ତି। ପାର୍ଥିବତାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅସ୍ଥାୟୀ ଭୌତିକ ସୁଖକୁ ଅସାର ମଣିଛନ୍ତି। ଧନ ନୁହେଁ ଜନ ନୁହେଁ ମୁଠେ ଶରଧା ବାଲି ପ୍ରାପ୍ତିରେ ଜୀବନକୁ ସାର୍ଥକ ମନେ କରିଛନ୍ତି। ଶ୍ରଦ୍ଧା ହିଁ ଶ୍ରେଷ୍ଠ ସଂପଦ, ଯାହାକୁ ହାସଲ କରିବା ପାଇଁ ଓଡ଼ିଆମାନେ ପ୍ରୟାସ କରିଆସିଛନ୍ତି। ଏବଂ ଏହି ପ୍ରୟାସ ହିଁ ଆମର ଅସଲ ପରିଚିତି।

ପ୍ରତ୍ୟେକ ଜାତି, ଦେଶ ବା ପ୍ରଦେଶର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଅଭୀପ୍‍ସା ରହିଛି ଯାହା ସାମଗ୍ରିକତାକୁ ପରିପୁଷ୍ଟ କରେ। ଏହା ବସ୍ତୁତଃ ସଂଘର୍ଷମୂଳକ ନୁହେଁ; ସଂହତିମୂଳକ। ସମୟର ଭାବମଂଚରେ ଓଡ଼ିଶା ତା’ର ଦାୟିତ୍ୱ ଓ ଭୂମିକା ନିର୍ବାହ କରିଆସିଛି। ଏହାକୁ ସ୍ଥୂଳ ଭାବରେ ନୁହେଁ ସୂକ୍ଷ୍ମ ଭାବରେ ଆକଳନ କରାଯାଇପାରେ, ଯାହା ଆମ ପାଇଁ ଗର୍ବ ଓ ଗୌରବର କାରଣ ହେବ ଏବଂ ଆମର ପରିଚୟ ଓ ପ୍ରତିଷ୍ଠାକୁ ଆହୁରି ଉଜ୍ଜ୍ୱଳ କରିବ। ଓଡ଼ିଶାର ଭାବବୋଧ ଓ ଚୈତନ୍ୟ ବିଭିନ୍ନ ଭାବରେ ଚିତ୍ରିତ ହୋଇଛି ଯାହା ଆମର ଅନୁକରଣୀୟ ହେବା ଦରକାର।

ଓଡ଼ିଶାର ମହାନ ସନ୍ଥ କବି ଭୀମ ଭୋଇଙ୍କର ପଦଟିଏ ଜାତିସଂଘର ମୁଖ୍ୟାଳୟରେ ସ୍ଥାନ ପାଇ ଜାତିସଂଘର ତତ୍ତ୍ୱ ଓ ଆଦର୍ଶକୁ ବୟାନ କରୁଛି। ମାନବତାବାଦର ମର୍ମ ବଖାଣୁଛି। ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’। ସେ ନିଜର ନୁହେଁ, କି ଦେଶର ନୁହେଁ, ସାରା ଜଗତର ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି। ଏହା ପ୍ରତ୍ୟେକ ଓଡ଼ିଆର ପ୍ରିୟ ପ୍ରାର୍ଥନା। ଓଡ଼ିଶାର ରାଷ୍ଟ୍ରଦେବତାଙ୍କୁ ଓଡ଼ିଶାନାଥ କି ଭାରତନାଥ ନକହି ଓଡ଼ିଶା କରିଛି ଜଗତର ନାଥ – ଜଗନ୍ନାଥ। ଏଥିରେ ଅଛି ଓଡ଼ିଶାର ମହନୀୟତା ଓ ମହାନୁଭବତା ଉତ୍କଳମଣି ଗୋପବନ୍ଧୁ ଘୋଷଣା କରୁଛନ୍ତି : ଜାତୀୟ ମମତା ବିଶ୍ୱଜନ ପ୍ରୀତି, ଉତ୍କଳବାସୀଙ୍କ ହେଉ ଏହା ନୀତି। ସେ ପୁଣି କହୁଛନ୍ତି, ଜଗତ ସରସେ ଭାରତ କମଳ, ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ। ଏହି ଯେଉଁ ଉତ୍କଳ, ତା’ର ନେତୃତ୍ୱ ନେବାକୁ ଯୋଗ୍ୟ ଓ ସମର୍ଥ କେବଳ ନାରାୟଣ। ଜଣେ ସାଧାରଣ ମଣିଷ ତା’ର ନେତୃତ୍ୱ ନେଇ ପାରିବ ନାହିଁ। କାରଣ ଉତ୍କଳ ହେଉଛି ଦେବଭୂମି। ଅନ୍ୟମାନେ ସଂକୀର୍ଣ୍ଣତାର ମାୟା ଜାଲରେ ଛନ୍ଦି ହୋଇ; ସୀମିତତାକୁ ମହାର୍ଘ ସଂପତ୍ତି ବୋଲି ଭାବୁଥିବା ବେଳେ ଓଡ଼ିଶା ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁର ସଂକଳ୍ପ ପ୍ରକାଶ କରିଆସିଛି। ବାସ୍ତବରେ ଯେ ଉତ୍କଳ ଜନନୀ ସେ ଭାରତ ଜନନୀ ଓ ସେ ମଧ୍ୟ ଜଗତ ଜନନୀ। ଏହା ହିଁ ଓଡ଼ିଶାର ଉଚ୍ଚପଣ ଓ ଉତ୍କର୍ଷ ବୋଲି ମୁଁ ବିିଚାର କରେ।

ବିିବିଧତା ଆମର ଶକ୍ତି ଓ ସୌନ୍ଦର୍ଯ୍ୟ। ବିବିଧତା ମଧ୍ୟରେ ଏକତାର କଥା କିଏ କେତେ ବାଗରେ କହୁଛି। ହେଲେ ଓଡ଼ିଶା କେବେଠୁ କେବଳ ଉଚ୍ଚାରଣରେ ନୁହେଁ; ଆଚରଣରେ ଏହାକୁ ଆପଣେଇସାରିଛି। ଏକବର୍ଣ୍ଣୀ ରନ୍ଧନର କଳା କୌଶଳ ଓଡ଼ିଶା ଜାଣିଛି। ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ଠିଆ ହୋଇଛି। ଯେ ଆସିଛି ତାକୁ କୋଳେଇ ନେଇଛି। ପ୍ରେମରେ ତାକୁ ହଜେଇ ଦେଇଛି। ଇଂରାଜୀରେ ଯାହାକୁ କହନ୍ତି ମେଲଟିଂ ପଟ; ତା’ର ପ୍ରକୃଷ୍ଟ ପ୍ରମାଣ ହେଉଛି ଓଡ଼ିଶା। ସେ କ’ଣ ହେଇ ଆସିଥିଲା କେଜାଣି; ଏଠି କେବଳ ପ୍ରେମରେ ରୂପାନ୍ତରିତ ହୋଇଯାଇଛି। ଏହାଠୁ ଆହୁରି ବଡ଼ କଥା କିଛି ଅଛି ! ଏହା ହିଁ ଗୋଟେ ଜାତିର ସଫଳତାର ଶୀର୍ଷ ସଂକେତ, ଯେ ପତିତପାବନ ବାନା ଉଡ଼ାଇ ସାରା ଜଗତର କଲ୍ୟାଣ ପାଇଁ ବନ୍ଦନା କରୁଛି। ସମସ୍ତଙ୍କୁ ଏକାକାର କରି ଦେଉଛି।

ଥରେ ଜଣେ ଧନାଢ଼୍ୟ ବ୍ୟକ୍ତି ନିଜର ପ୍ରାଚୁର୍ଯ୍ୟ ପ୍ରଦର୍ଶନ ଆଳରେ ଜଣେ ସନ୍ଥଙ୍କୁ ନିଜ ପ୍ରାସାଦକୁ ଭୋଜନ ପାଇଁ ନିମନ୍ତ୍ରଣ କରିବାକୁ ପହଞ୍ଚିଲେ ଏବଂ ନିଜର ପ୍ରାସାଦର ଭବ୍ୟତା ଓ ବିଶାଳତା ସଂପର୍କରେ ସୂଚନା ଦେବାକୁ ଚେଷ୍ଟା କଲେ। ସନ୍ଥ ମହାରାଜ ନିମନ୍ତ୍ରଣକୁ ସ୍ୱୀକାର କରି ନିଜକୁ ମଧ୍ୟ ଧନ୍ୟ ମନେ କରିବା ବୋଧ ହେଲା। ସେ ପାଖରେ ଥିବା ଗ୍ଲୋବ୍‍ଟିକୁ ଧନୀ ବ୍ୟକ୍ତିଙ୍କୁ ଦେଇ ନିଜର ପ୍ରାସାଦର ଅବସ୍ଥିତି ଦେଖାଇବାକୁ କହିଲେ। ଏହା ମାଧ୍ୟମରେ ସେ ନିଜର ମର୍ମ ପ୍ରକାଶ କରିବାକୁ ଚାହିଁଲେ ଯେ ଭୂଗୋଳ ହୁଏତ ସତ ହେଇପାରେ; କିନ୍ତୁ ଏହା ତେବେ ବି କ୍ଷୁଦ୍ର। କ୍ଷୁଦ୍ରାତିକ୍ଷୁଦ୍ର। ଭାବ ହେଉଛି ବଡ଼ କଥା। ବିଶାଳତା ହୃଦୟର ବିଷୟ, ବାଉଣ୍ଡାରିର ବିଷୟ ନୁହେଁ। ଓଡ଼ିଶାର ଆଙ୍ଗିକ କି ଅର୍ଥନୈତିକ ବିକାଶ ଆଳରେ, ସଂକୀର୍ଣ୍ଣତାକୁ ସ୍ୱୀକାର କରାନଯାଉ; ଆତ୍ମିକ ଉତ୍ତରଣକୁ ଚାପି ଦିଆନଯାଉ। ଓଡ଼ିଶାକୁ କୌଣସି ବନ୍ଧନୀରେ ରଖାନଯାଉ।

ବିଶ୍ୱ ଏକ ଗ୍ରାମରେ ପରିଣତ ହେବାକୁ ଯାଉଛି। ଭାରତର ଐତିହାସିକ ଉତ୍‍ଥାନ ପର୍ବ। ପୁଣି ବିଶ୍ୱଗୁରୁ ଆସନ ମଣ୍ଡନ କରିବାକୁ ଯାଉଛି। ଏଥିରେ ଓଡ଼ିଶାର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଏ ସମୃଦ୍ଧିର ସ୍ରୋତରୁ ଆମେ ବିଚ୍ଛିନ୍ନ ହୋଇ ରହିପାରିବା ନାହିଁ। ଓଡ଼ିଶାକୁ ଅଲଗା କରି ଦେଖିବା ଉଚିତ ହେବ ନାହିଁ। ଓଡ଼ିଶାକୁ ନିଜ ସ୍ୱାର୍ଥର ପେଣ୍ଡୁ କରି ଗଡ଼େଇବା ଠିକ ହେବ ନାହିଁ। ଓଡ଼ିଶାକୁ ସଂକୀର୍ଣ୍ଣତାବାଦାର ସ୍ୱରରେ ଆବଦ୍ଧ କରାଯାଇପାରିବ ନାହିଁ। ଏହା ମୁକ୍ତ ଛନ୍ଦର ମହିମ୍ନ ଶ୍ଳୋକ। ଏହା ଶାଶ୍ୱତର ସ୍ୱରୂପ। ଭିଡ଼ ଭିତରେ ଭିନ୍ନ ଓ ଅନନ୍ୟ। କ୍ୱାରାଣ୍ଟିନ କେବେ ବି ଆମର କାମ୍ୟ ନୁହେଁ। ଆମ ବିଜୁ ବିଶ୍ୱ ବିଜୟ କରିବ। ଆମ ସୁଭାଷ ମୁକ୍ତି ମନ୍ତ୍ର ସାରା ବିଶ୍ୱକୁ ଶୁଣାଇବ। ଆମ ସାଧବ ପୁଅ ସମୁଦ୍ର ବିଜୟୀ ହେବ। କଳିଂଗାଃ ସାହସିକାଃ ବୋଲି ଜଗତ ସ୍ୱୀକାର କରିବ। ଆମେ ଅଗଣନ ଚଣ୍ଡାଶୋକଙ୍କୁ ଧର୍ମାଶୋକ କରିପାରିବା। ଐତିହ୍ୟ ଓ ଇତିହାସରୁ ପ୍ରେରଣା ନେଇ ଆମେ ଭବିଷ୍ୟତ ନିର୍ମାଣ କରିପାରିବା। ବିକାଶର ରାଜପଥରେ ପହଞ୍ଚିବାକୁ ସଂକୀର୍ଣ୍ଣ ଗଳିପଥ କେବେ ବି ସମୀଚୀନ ନୁହେଁ। ନ୍ୟସ୍ତସ୍ୱାର୍ଥ ପାଇଁ ଯେଉଁମାନେ ଏହାକୁ ଉପଯୋଗ କରୁଛନ୍ତିି; ସେମାନେ ଓଡ଼ିଶାର ବହୁତ କ୍ଷତି କରୁଛନ୍ତି। ଯାହା ପାଖରେ ଜଗନ୍ନାଥ ଅଛନ୍ତି; ତା ପାଖରେ ଜଗତ ଅଛି। ଯାହା ପାଖରେ ଜଗତ ନତମସ୍ତକ; ତା ପାଇଁ ଡ଼ରିବାର କ’ଣ କିଛି ଅଛି? ଭାରତର ପ୍ରତି ବୃକ୍ଷ କଳ୍ପବଟ, ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ। (ଗୋପବନ୍ଧୁ) ଏହା ହିଁ ଆମ ଭାଷା ଓ ଭାବର ମୁକୁଟ। ଆସନ୍ତୁ, ମହାଭାରତୀୟ ମହାସ୍ରାତରେ ଓଡ଼ିଶାକୁ ମଙ୍ଗୁଆଳ କରିବା। ଏହା ହିଁ ଓଡ଼ିଶାର ନ୍ୟାଯ୍ୟ ସ୍ଥାନ। ଏହା ହାସଲ ପାଇଁ ପ୍ରୟାସ କରିବା; ପ୍ରାର୍ଥନା କରିବା।

ରାଜ୍ୟପାଳ, ଓଡ଼ିଶା
(govodisha@nic.in)

Comments are closed.