ଓପିଏମରୁ ତମ୍ବା ତାର ଚୋରି ଉଦ୍ୟମ, ଚୋରଙ୍କ ମରଣାନ୍ତକ ଆକ୍ରମଣରେ ୪ ସୁରକ୍ଷା କର୍ମୀ ଆହତ

ବ୍ରଜରାଜନଗର : ବିଗତ ଦୁଇ ଦଶନ୍ଧି ଧରି ବନ୍ଦ ପଡି ରହିଥିବା ଓରିଏଣ୍ଟ ପେପର ମିଲର ସ୍କ୍ରାପ୍ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ରହିଛି । ଅନେକ ସମୟରେ ଓପିଏମ ମିଲ ଭିତରୁ ନିୟମିତ ଭାବେ ସ୍କ୍ରାପ୍ ଓ ବିଭିନ୍ନ ଯନ୍ତ୍ରାଂଶ ଚୋରି ହେଉଥିବାର ଗୁରୁତର ଅଭିଯୋଗ ମଧ୍ୟ ଆସିଛି । ତେବେ ଗତ କାଲି ବିଳମ୍ବିତ ରାତିରେ ଓରିଏଣ୍ଟ ପେପର ମିଲରେ ଗଛିତ ଥିବା ତମ୍ବା ତାର ଚୋରି କରିବା ଉଦେଶ୍ୟରେ ୧୫ ଜଣିଆ ଏକ ଚୋର ଦଳ ଲାଠି, ଲୁହାରଡ଼,ଭୁଜାଲି ଧରି କାଗଜ କଳ ଭିତରକୁ ପ୍ରବେଶ କରିଥିଲେ । ରାତ୍ରୀ ଜଗୁଆଳି ଭାବେ କାର୍ଯ୍ୟରତ ନିରାପତ୍ତା କର୍ମଚାରୀମାନେ ପ୍ରତିରୋଧ କରିବାରୁ ଚୋର ଦଳ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।

ଚୋର ଗ୍ୟାଙ୍ଗର ଆକ୍ରମଣରେ ଓପିଏମର ୪ ଜଣ ନିରାପତ୍ତା କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ମଣ୍ଡଳିଆ ସ୍ଥିତ ଏମସିଏଲ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଆହତଙ୍କ ମଧ୍ୟରୁ ସୁଦର୍ଶନ ସାହୁ ଓ ଝଗଡୁ ପ୍ରସାଦଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ବ୍ରଜରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଦିଗରୁ ତଦନ୍ତ ଆରମ୍ଭ କରିଛି। ଘଟଣା ବାବଦରେ ଓରିଏଣ୍ଟ କାଗଜ କଳ ତରଫରୁ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଅପରପକ୍ଷେ ଚୋରି ଘଟଣାର ତଦନ୍ତ ଚାଲିଥିବା ବ୍ରଜରାଜନଗର ଆଇଆଇସି ନଳିତା ମୋଦି କହିଛନ୍ତି ।

Comments are closed.