ରାଜପୁର ବୁଢ଼ୀ ସମଲାଇ ପୀଠରେ ରଣଜିତା ଓ ଅସ୍ତ୍ର ଶସ୍ତ୍ର ପୂଜା

ବ୍ରଜରାଜନଗର: ରାଜପୁର ସମଲେଶ୍ବରୀ ଦେବୀଙ୍କ ପୀଠରେ ରବିବାର ବିଜୟା ଦଶମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରବିବାର ସନ୍ଧ୍ୟା ଇବ ନଦୀ କୂଳରେ ଥିବା ମା ବୁଢ଼ୀ ସମଲାଇ ପୀଠରେ ରଣଜିତା ଉତ୍ସବ ଓ ଅସ୍ତ୍ର ଶସ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା। ଶହ ଶହ ବର୍ଷରୁ ଚାଲି ଆସିଥିବା ରଣଜିତା ଓ ଅସ୍ତ୍ର ଶସ୍ତ୍ର ପୂଜା ରୀତିନୀତି ଓ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଥିଲା। ରାଜପୁର ଜମିଦାରଙ୍କ ଦୁର୍ଗା ଗୁଡିରୁ ଜମିଦାର ବଂଶଜମାନେ ପାଟ ଖଣ୍ଡା ଓ ଅନ୍ୟାନ୍ୟ ଖଣ୍ଡା ଗୁଡିକୁ ନେଇ ଇବ ନଦୀ କୂଳରେ ଥିବା ମା ବୁଢ଼ୀ ସମଲାଇ ପୀଠକୁ ଯାଇ ପୂଜାର୍ଚନା କରିଥିଲେ। ରାଜ ପୁରୋହିତ ପ୍ରଦୀପ ପାଟଯୋଶୀ ପ୍ରାଚୀନ ପରମ୍ପରା ଅନୁସାରେ ସମସ୍ତ ଦେବା ଦେବୀଙ୍କୁ ଆବାହନ କରି ଅସ୍ତ୍ର ଶସ୍ତ୍ର ପୂଜା କରିଥିଲେ। ପରେ ରାଜପୁର ମା ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚନା ଓ ଆଳତି ସମ୍ପନ୍ନ ହୋଇଥିଲା। ରଣଜିତା ସାରି ଫେରିଥିବା ଜମିଦାର ବଂଶଜଙ୍କୁ ପରିବାରର ବୋହୁମାନେ ବନ୍ଦାପନା କରି ସ୍ୱାଗତ ଜଣାଇଥିଲେ।

Comments are closed.