ବ୍ରଜରାଜନଗର ଓ ବେଲପାହାଡ଼ ରେଳ ଷ୍ଟେସନ, ୧୦ବର୍ଷରେ ଆଦାୟ ହୋଇଛି ୨୭ହଜାର କୋଟି

ବ୍ରଜରାଜନଗର/ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲାରୁ ବିଳାସପୁର ରେଳ ଡିଭିଜନ ବର୍ଷକୁ ବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ କରୁଛି । ହେଲେ ସମଗ୍ର ଡିଭିଜନର ସର୍ବାଧିକ ଆୟକାରୀ ଓଡ଼ିଶାର ୨ଟି ରେଳଷ୍ଟେସନ ବ୍ରଜରାଜନଗର ଓ ବେଲପାହାଡ଼ର ବିକାଶ ଆଖିଦୃଶିଆ ହୋଇନାହିଁ। ଏପରିକି ସେଠାରେ ଯେଉଁ ଟ୍ରେନ ରହଣି ହେଉଥିଲା ତାହା ମଧ୍ୟ ବନ୍ଦ କରି ଦିଆଯାଉଛି। ଏହାକୁ ନେଇ ବ୍ରଜରାଜନଗର/ବେଲପାହାଡ଼ ଅଞ୍ଚଳବାସୀ ରେଳବିଭାଗ ଉପରେ ପ୍ରବଳ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ବ୍ରିଟଶ ଅମଳରୁ ସ୍ଥାପିତ ବ୍ରଜରାଜନଗର ରେଳଷ୍ଟେସନ କୋଇଲା ଓ ମାଲ ପରିହବନ କ୍ଷେତ୍ରରେ ଦେଶର ଶକ୍ତି ସଙ୍କଟକୁ ଦୂର କରିବା ସହ ଜାତୀୟ ରାଜକୋଷକୁ ବି ସମୃଦ୍ଧ କରି ଆସିଛି। ସେହିପରି ଦେଶର ବିଭିନ୍ନ ପ୍ରାନ୍ତକୁ ଯୋଡ଼ୁଥିବା ବହୁ ଦୂରଗାମୀ ଟ୍ରେନର ରହଣି ଯୋଗୁଁ ଯାତ୍ରୀମାନଙ୍କ ପାଇଁ ଏହା ସବୁବେଳେ ବ୍ୟସ୍ତବହୁଳ ହୋଇ ଆସୁଥିଲା। ଖଣି ଖାଦାନ ଓ ଶିଳ୍ପରେ ଭରପୁର ବ୍ରଜରାଜନଗର, ବେଲପାହାଡ଼ ଅଞ୍ଚଳ ଜିଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଦେଶର ବିଭିନ୍ନ ପ୍ରାନ୍ତର ଲୋକେ ଏଠାରେ ବସବାସ କରିଆସୁଛନ୍ତି। ଏମାନଙ୍କ ପାଇଁ ସବୁ ଦୂରଗାମୀ ଏକ୍ସପ୍ରେସ ଗୁଡ଼ିକ ବି ଯାତ୍ରୀଭଡ଼ାରୁ ବେଶ ଲାଭାନ୍ୱିତ ହୋଇ ଆସୁଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ରେଳବାଇ କର୍ତ୍ତୃପକ୍ଷ କୋଭିଡ ପ୍ରଥମ ଲହର ପରେ ଉତ୍କଳ ଏକ୍ସପ୍ରେସ, ହାୱଡ଼ା-ମୁମ୍ବାଇ ମେଲ ଓ ହାୱଡ଼ା-ଅହମଦାବାଦ ସୁପରଫାଷ୍ଟ ଟ୍ରେନ୍‌ ଗୁଡ଼ିକର ରହଣିକୁ ବାତିଲ କରି ଦେଇଥିବାରୁ ଜନଅସନ୍ତୋଷ ଦେଖାଦେଇଥିଲା। ବ୍ରଜରାଜନଗର ଷ୍ଟେସନରେ ଉତ୍କଳ ଏକ୍ସପ୍ରେସର ରହଣୀ ଦାବିନେଇ ଗତ ଜାନୁଆରୀ ୨୮ ତାରିଖରେ ରେଳରୋକ ଆନ୍ଦୋଳନ କରାଯାଇଥିଲା। ହେଲେ କୋଭିଡ ଆଳ ଦେଖାଇ କର୍ତ୍ତୃପକ୍ଷ ଧ୍ୟାନ ଦେଲେ ନାହିଁ। ଅପରପକ୍ଷେ ଉତ୍କଳ ଏକ୍ସପ୍ରେସ ରହଣି ବାତିଲ ହେବାର ମାତ୍ର ଦୁଇମାସ ପରେ ବ୍ରଜରାଜନଗର ଷ୍ଟେସନରେ ହାୱଡ଼ା-ମୁମ୍ବାଇ ମେଲ ଓ ହାୱଡ଼ା-ଅହମଦାବାଦ ସୁପରଫାଷ୍ଟ ଟ୍ରେନର ରହଣି ମଧ୍ୟ ବନ୍ଦ କରିଦିଆଗଲା। ବାତିଲ ପୂର୍ବରୁ ବ୍ରଜରାଜନଗର ନାଗରିକ ମଞ୍ଚ ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇର ବିଳାସପୁର ଡିଭିଜନାଲ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତିନିଟି ପ୍ରମୁଖ ଦୂରଗାମୀ ଟ୍ରେନର ରହଣି ଉଠିଯିବାରୁ ଏହି ଶତାଧିକ ବର୍ଷର ରେଳଷ୍ଟେସନ ବର୍ତ୍ତମାନ ଏକପ୍ରକାର ପଙ୍ଗୁ ଅବସ୍ଥାକୁ ଚାଲି ଆସିଲାଣି। ଆଉ ରାଜସ୍ୱବୃଦ୍ଧି ପାଇଁ ରେଳବାଇର ଦୁଧିଆଳି ଗାଈ ଭାବେ ବ୍ୟବହୃତ ହେଉଥିବା ଏହି ରେଳଷ୍ଟେସନ ଆଗାମୀ ଦିନରେ ଭୟଙ୍କର ଜନଅସନ୍ତୋଷର କାରଣ ସାଜିବାକୁ ଯାଉଛି।

କେବଳ ଏତିକି ନୁହେଁ ବ୍ରଜରାଜନଗର ସହର ଭିତରେ ଥିବା ରେଳଷ୍ଟେସନରେ ପାର୍କିଂସୁବିଧା ନାହିଁ କି ଷ୍ଟେସନ ବାହାରେ ବୋର୍ଡଟିଏ ମଧ୍ୟ ଲାଗିନାହିଁ। ଷ୍ଟେସନ ଭିତରେ ପର୍ଯ୍ୟାପ୍ତ ବସିବା ବ୍ୟବସ୍ଥା, ପ୍ରତୀକ୍ଷାଳୟ ନାହିଁ। ସେହିପରି ବେଲପାହାଡ଼ ରେଳଷ୍ଟେସନ ମଧ୍ୟ ବିକାଶ କ୍ଷେତ୍ରରେ ଖୁବ୍ ପଛରେ। ଏଠାରେ ପ୍ଲାଟଫର୍ମ-୧କୁ ଯିବା ପାଇଁ ବି ରାମ୍ପ ଚଢ଼ିବାକୁ ପଡ଼େ। ଏଠାରେ ଗୁରୁତ୍ବପୂର୍ଣ୍ଣ ଟ୍ରେନ ଅଟକେ ନାହିଁ କି ସ୍ବାସ୍ଥ୍ୟକର ଜଳ, ଶୌଚାଳୟ, ବସିବା ସୁବିଧା ନାହିଁ। ସହରବାସୀ ​ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଦୀର୍ଘ ୨୦ବର୍ଷ ହେଲା ଦାବି କରି ଆସୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତିି। କିନ୍ତୁ ରେଳବିଭାଗ ସବୁବେଳେ ଜନଦାବିକୁ ଉପେକ୍ଷା କରିଆସିଛି। ତେଣୁ ବେଲପାହାଡ଼ ସହରବାସୀଙ୍କ ଗମନାଗମନ ଓ ବିକାଶ କ୍ଷେତ୍ରରେ ଉକ୍ତ ରେଳବାଇ କ୍ରସିଂ ଅନ୍ତରାୟ ସୃଷ୍ଟି କରୁଛି।
ବ୍ରଜରାଜନଗର ଓ ବେଲପାହାଡ଼ ଷ୍ଟେସନରୁ ରାଜସ୍ୱ ଆଦାୟ ସଂକ୍ରାନ୍ତରେ ବ୍ରଜରାଜନଗର ସୂଚନା ଅଧିକାର କର୍ମୀ ରବି କୁମାର ସୋନି ଦକ୍ଷିଣ-ପୂର୍ବ-ମଧ୍ୟ ରେଳବାଇଙ୍କୁ ତଥ୍ୟ ମାଗିଥିଲେ। ସେଠାରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ଯାତ୍ରୀ ଭଡ଼ା ଓ ମାଲ ପରିବହନ ବାବଦରେ ରେଳବାଇ ଉଭୟ ଷ୍ଟେସନରୁ ଗତ ୧୦ ବର୍ଷ ମଧ୍ୟରେ ୨୭୦୧୯ କୋଟି ୧୫ଲକ୍ଷ ୫୫ହଜାର ଟଙ୍କା ଆଦାୟ କରିଛି। ଏଥିରୁ ୨୦୧୬ ମାର୍ଚ୍ଚରୁ ୨୦୨୧ ମାର୍ଚ୍ଚ ଶେଷଯାଏ ୧୬୩୫୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ଆଦାୟ ହୋଇଛି।

ବର୍ଷ ଭଡ଼ା ବ୍ରଜରାଜନଗର ବେଲପାହାଡ଼
୨୦୧୬-୧୭ ଯାତ୍ରୀ ଭଡ଼ା ୨୨୯,୦୧,୩୪୮ ୮୬,୮୭,୮୨୦
୨୦୧୬-୧୭ ମାଲ ଭଡ଼ା ୫୮୮,୨୬,୭୮,୮୯୨ ୧୮୬୮,୫୮,୨୯,୯୧୬
୨୦୧୭-୧୮ ଯାତ୍ରୀ ଭଡ଼ା ୨,୪୭,୯୧,୮୩୩ ୮୭,୫୩,୮୭୫
୨୦୧୭-୧୮ ମାଲ ଭଡ଼ା ୮୪୬,୩୫,୦୨,୨୬୮ ୧୯୭୯,୮୮,୯୩,୧୮୦
୨୦୧୮-୧୯ ଯାତ୍ରୀ ଭଡ଼ା ୨,୬୬,୬୭,୬୭୨ ୯୨,୮୬,୫୬୯
୨୦୧୮-୧୯ ମାଲ ଭଡ଼ା ୧୧୮୮,୯୬,୦୦,୦୦୦ ୩୭୩୦,୧୪,୯୪,୨୭୩
୨୦୧୯-୨୦ ଯାତ୍ରୀ ଭଡ଼ା ୨,୭୧,୪୭,୩୭୦ ୯୧,୦୯,୦୮୬
୨୦୧୯-୨୦ ମାଲ ଭଡ଼ା ୩୯୧,୪୦,୮୫,୯୬୫ ୨୬୭୬,୪୪,୨୬,୫୩୬
୨୦୨୦-୨୧ ଯାତ୍ରୀ ଭଡ଼ା ୪୫,୦୯,୭୮୩ ୯,୮୩,୮୨୨
୨୦୨୦-୨୧ ମାଲ ଭଡ଼ା ୧୬୪,୦୫,୦୦,୦୦୦ ୨୯୦୬,୬୩,୦୦,୦୦୦
୩୧୮୯,୬୩,୮୫,୧୩୧ ୧୩୧୬୫,୩୭,୬୫,୦୭୭

Comments are closed.