ଜନମାନସରୁ ହଜୁଛି ପ୍ରସିଦ୍ଧ ବ୍ରହ୍ମପୁର ପାଟ : ବୁଣା ଚାଲିଛି, ବିକ୍ରି ନାହିଁ, ସମସ୍ୟାରେ ଅଧା ବୁଣାକାର

କରୋନା ମାଡ଼ରେ ୮୦ ପ୍ରତିଶତ ଚାହିଦା ହ୍ରାସ

ବ୍ରହ୍ମପୁର : ବ୍ରହ୍ମପୁର ପ୍ରସିଦ୍ଧ ପାଟର ୮୦ ପ୍ରତିଶତ ଚାହିଦା କମି ଯାଇଛି । ବୁଣାକାରମାନେ ପାଟ ବୁଣୁଛନ୍ତି, କିନ୍ତୁ ତାହା ବଜାରରେ ବିକ୍ରି ହୋଇପାରୁନି । ଅଧା ବୁଣାକାର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ମାର୍ଚ୍ଚରେ କରୋନା ମହାମାରୀ ଆସିବା ପରେ ବ୍ରହ୍ମପୁରରେ ଅନ୍ୟାନ୍ୟ ବ୍ୟବସାୟ ସହ ପାଟଶାଢୀ ଓ ଯୋଡ ବ୍ୟବସାୟ ଠପ ହୋଇ ଯାଇଥିଲା । ଲକଡାଉନ ଓ ସଟଡାଉନ ଯୋଗୁ ଏପ୍ରିଲ ଠାରୁ ଜୁଲାଇ ପର୍ଯ୍ୟନ୍ତ ଥିବା ବିବାହ ଓ ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହେବାରୁ ବଡ଼ବଜାର ଅଞ୍ଚଳରେ ଥିବା ସୁତା ଓ ପାଟ ବୁଣାକାର ସମବାୟ ସମିତିର ଆଟଉଲେଟ ସହ ଅନ୍ୟ ଦୋକାନଗୁଡ଼ିକରେ ପାଟଶାଢୀ ଓ ଯୋଡ ବିକ୍ରି ବନ୍ଦ ହୋଇଯାଇଥିଲା ।

ଆଜି ମଧ୍ୟ ଏହି ବ୍ୟବସାୟ ପୁଣି ଥରେ ଆରମ୍ଭ ହୋଇପାରିନି । ଲକଡାଉନ କୋହଳ ହେବା ପରେ ସମିତି ଆଉଟଲେଟ ସହ ଅନ୍ୟ ପାଟଶାଢୀ ଦୋକାନ ଖୋଲିଛି । କିନ୍ତୁ ଅଧିକାଂଶ ଲୋକଙ୍କ ପାଖରେ ଟଙ୍କା ନଥିବାରୁ କେହି କିଣିବାକୁ ଯାଉନାହାନ୍ତି । ଚଳିତ ମାସରେ ବିବାହ ଯୋଗ ନଥିବାରୁ ପାଟ କି ଯୋଡ ବିକ୍ରି ହେବା ସମ୍ଭାବନା କ୍ଷୀଣ । ବ୍ରହ୍ମପୁରରେ ରେଶମ ପାଟର ଉତ୍ପାଦନ ଓ ବିକ୍ରି ପାଇଁ ୩ ଟି ସମବାୟ ମସତି ରହିଛି । ଚୌଡେଶ୍ବରୀ ବୁଣାକାର ସମବାୟ ସମିତି ଲିଃ, ବ୍ରହ୍ମପୁର ସୁତା ଓ ପାଟ ବୁଣାକାର ସମବାୟ ସମିତି ଲିଃ ଓ ବ୍ରହ୍ମପୁର ପାଟ ବୁଣାକାର ସମବାୟ ସମିତି ଲିଃ ନାମରେ ଥିବା ଏହି ୩ ଟି ସମିତିରେ ୨୫ ଜଣ ଲେଖାଏଁ ୭୫ ବୁଣାକାର ରହିଛନ୍ତି । ସମିତି ପକ୍ଷରୁ ବେଙ୍ଗାଲୁରୁ ଓ ପଶ୍ଚିମବଙ୍ଗରୁ କଞ୍ଚାମାଲ ମଗାଯାଇ ବୁଣାକାରଙ୍କୁ ପାଟ ବୁଣିବାକୁ ଦିଆଯାଉଛି । ପାଟ ଓ ଯୋଡ ବୁଣିବାକୁ ବୁଣାକାରମାନେ ନିଜ ଘରେ ପ୍ରେମ୍ ଲୁମ୍ ନତୁବା ହୋଲ୍ ଲୁମ୍(ଶାଢୀ ଓ ଯୋଡ ବୁଣିବା ପାଇଁ ହାତ ମେସିନ) ବସାଇଛନ୍ତି ।

ପ୍ରତ୍ୟେକ ଶାଢୀ ତଥା ଯୋଡ ପିଛା ବୁଣାକାରମାନେ ସମିତି ଠାରୁ କେବଳ ପାରିଶ୍ରମିକ ହିଁ ପାଉଛନ୍ତି । ମାସକୁ ଜଣେ ବୁଣାକାରଙ୍କୁ ୪ ରୁ ୬ ଟି ପାଟଶାଢୀ ଓ ଯୋଡ ବୁଣିବାକୁ ସମିତି ପକ୍ଷରୁ ବରାଦ ଦିଆଯାଉଛି । ସେହିକ୍ରମରେ ଜଣେ ବୁଣାକାର ମାସକୁ ୨୦ରୁ ୨୫ ହଜାର ଟଙ୍କା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି । ଏହାବାଦ ବ୍ରହ୍ମପୁରରେ ସମିତି ସହ ଜଡିତ ନଥିବା ଆଉ ୭୦ରୁ ଅଧିକ ପାଟ ବୁଣାକାର ରହିଛନ୍ତି । ସେମାନେ କିଛି ଘରୋଇ ପାଟଶାଢୀ ଦୋକାନୀ ତଥା ସାହୁକାରଙ୍କ ଠାରୁ କଞ୍ଚାମାଲ ଆଣି ପାଟ ବୁଣି ପରିବାର ପ୍ରତିପୋଷଣ କରୁଛନ୍ତି । ଲକଡାଉନ ସମୟ ମଧ୍ୟରେ ପାଟ ବୁଣାକାରଙ୍କୁ କଞ୍ଚାମାଲ ଯୋଗାଇବାରେ ୩ ସମବାୟ ସମିତିଗୁଡ଼ିକ ଅବହେଳା କରିନାହାନ୍ତି । ଫଳରେ ସମିତି ସହ ଜଡିତ ଥିବା ୭୫ ବୁଣାକାର ପରିବାର ଲକଡାଉନ ସମୟରେ ଘରେ ରହି ପାଟ ଓ ଯୋଡ ବୁଣୁଥିଲେ । ବିଳମ୍ବରେ ହେଲେ ମଧ୍ୟ ସମିତି ପକ୍ଷରୁ ବୁଣାକାରଙ୍କ ପାରିଶ୍ରମିକ ପ୍ରଦାନ କରାଯାଉଥିଲା ବୋଲି ପାଟ ବୁଣାକାର ୱାଇ. ଭୀମା କହିଛନ୍ତି । ହେଲେ ଯେଉଁମାନେ ସମିତି ସହ ଜଡ଼ିତ ନାହାନ୍ତି ସେମାନଙ୍କ ଆର୍ଥିକ ଅବସ୍ଥା ଆଜି ବିଗିଡି ଯାଇଛି ।

ଘରୋଇ ପାଟ ବିକ୍ରି ଦୋକାନଗୁଡ଼ିକ ବନ୍ଦ ଯୋଗୁ ସାହୁକାରମାନେ ସେମାନଙ୍କୁ ଠିକ ସମୟରେ କଞ୍ଚାମାଲ କିମ୍ବା ପାରିଶ୍ରମିକ ଦେଇ ପାରିନାହାନ୍ତି । ବୁଣାଯାଇଥିବା ପାଟ ବିକ୍ରି ନହୋଇ ସମିତି ଓ ଘରୋଇ ଦୋକୋନରେ ଗଚ୍ଛିତ ହୋଇ ରହିଛି । କରୋନା ଯୋଗୁ ବ୍ରହ୍ମପୁର ପାଟ ୮୦ ପ୍ରତିଶତ ବିକ୍ରି କମିଯାଇଛି ବୋଲି ଚୌଡେଶ୍ବରୀ ସମିତିର ପୂର୍ବତନ ସମ୍ପାଦକ କେ. ସୂର୍ଯ୍ୟନାରାୟଣ କହିଛନ୍ତି । ୨ ମାସ ପରେ ବିବାହ ଯୋଗ ଥିବାରୁ ସେତେବେଳେ ବ୍ୟବସାୟ ଧରିବାର ଆଶା ରହିଛି ବୋଲି ସେ କହିଥିଲେ । ରାଜ୍ୟ ତଥା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ବ୍ରହ୍ମପୁରର ରେଶମ ପାଟର ପ୍ରଚାର ପ୍ରସାର ତଥା ବୁଣାକାରଙ୍କୁ ପ୍ରତ୍ସୋହନ ପାଇଁ ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଆଜିକାଲି ଅନଲାଇନ କିଣାବିକାର ଚାହିଦା ରହିଥିବା ବେଳେ ବ୍ରହ୍ମପୁର ପାଟ ସେଥିରେ ସ୍ଥାନ ପାଇପାରିନି । ଆଜକୁ ୧୦ ମାସ ହେବ ସମବାୟ ସମିତିଗୁଡ଼ିକର ବୋର୍ଡ ଅଫ ମ୍ୟାନେଜମେଣ୍ଟର ସମୟସୀମା ସରିଯାଇଥିଲେ ମଧ୍ୟ ହସ୍ତତନ୍ତ, ବସ୍ତ୍ର ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦ​‌କ୍ଷେପ ନିଆଯାଇନି। ଅନ୍ୟପକ୍ଷରେ ବସୟ ଖସିବା ପରେ ବୁଣାକାରମାନେ ପାଟ ବୁଣିବାରେ ସକ୍ଷମ ​‌ହୋଇପାରୁ ନାହାନ୍ତି । ସେମାନଙ୍କ ପାଇଁ ପେନସନ କିମ୍ବା ଅନ୍ୟ କୌଣସି ପ୍ରକାର ଆର୍ଥିକ ସହାୟତା ପାଇଁ ଯୋଜନା ହୋଇପାରିନି । ଏପଟେ ଦୀର୍ଘ ବର୍ଷ ବର୍ଷ ଧରି ସରକାରୀ ଅବହେଳାର ଶିକାର ହୋଇ ଆସୁଥିବା ବୁଣାକାର ପରିବାରର ଭବିଷ୍ୟତ ପିଢି ମଧ୍ୟ ନିଜ କୌଳିକ ବୃତ୍ତିକୁ ଆପଣାଇବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି । ଏ ନେଇ ଯଦି କୌଣସି ପଦ​‌କ୍ଷେପ ନିଆନଯାଏ ତେବେ ଆଗାମୀ କିଛି ବର୍ଷ ମଧ୍ୟ ବ୍ରହ୍ମପୁର ପାଟ ଜନମାନସରୁ ହଜିଯିବ ବୋଲି କିଛି ବୁଣାକାର କହିଛନ୍ତି ।

 

Comments are closed.