ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୧୯ ନମ୍ବର ୱାର୍ଡ ଅନ୍ତର୍ଗତ ମୁକ୍ତେଶ୍ବର ବସ୍ତିରେ ମଙ୍ଗଳବାର ଜବରଦଖଲ ଉଚ୍ଛେଦ କରାଯାଇଛି । ତେବେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ମୁକ୍ତେଶ୍ବର ପୋଖରୀ ହୁଡ଼ାରେ ପ୍ରାୟ ୫୫ଟି ଘର ବେଆଇନ୍‌ ଭାବେ ନିର୍ମାଣ ହୋଇଥିଲା । ଏଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ଗତ ୨୯ ତାରିଖରେ ନୋଟିସ୍‌ ଜାରି କରାଯାଇଥିଲା । ତଥାପି ବାସିନ୍ଦାମାନେ ଘର ଛାଡ଼ି ନ ଥିଲେ । ମଙ୍ଗଳବାର ସକାଳେ ମହାନଗର ନିଗମର ଅଧିକାରୀମାନେ ପହଞ୍ଚି ଜବରଦଖଲ ଉଚ୍ଛେଦ କରିଥିଲେ । ଏହାକୁ ବାସିନ୍ଦାମାନେ ତୀବ୍ର ବିରୋଧ କରିଥିଲେ । ଜେସିବି ଯନ୍ତ୍ର ଏବଂ ଗାଡ଼ି ଆଗରେ ଶୋଇ ପଡ଼ିଥିଲେ ।

ସେମାନଙ୍କୁ ହଟାଇବା ପାଇଁ ପୁଲିସକୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା । ଶେଷରେ ସବୁ ଘର ଭଙ୍ଗା ଯାଇଛି । ଉଚ୍ଛେଦ ହୋଇଥିବା ଲୋକମାନଙ୍କୁ ରାଜୀବ ଆବସ ଯୋଜନାରେ ଘର ଯୋଗାଇ ଦିଆଯାଇଛି । କିନ୍ତୁ ସେମାନେ ବଳପୂର୍ବକ ଏଠାରେ ରହୁଥିବା ଯୋଗୁ ଉଚ୍ଛେଦ କରାଯାଇଥିବା ମହାନଗର ନିଗମର ଉପଆୟୁକ୍ତ ଆଶୁତୋଷ ସାମଲ ପ୍ରକାଶ କରିଛନ୍ତି । ଅପରପକ୍ଷେ ବହୁ ଦଶନ୍ଧୀ ହେଲା ସେମାନେ ବାସ କରୁଥିବା ସହ ସବୁ ପ୍ରକାର ଟିକସ ଦେଉଥିଲେ । ତଥାପି ଉଚ୍ଛେଦ କରାଯାଉଛି । ଅନେକଙ୍କ ରାଜୀବ ଆବାସ ଯୋଜନାରେ ଘର ମିଳିନି । ସେମାନେ କେଉଁଠି ରହିବେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି । ଉଚ୍ଛେଦକୁ ତୀବ୍ର ବିରୋଧ କରିଥିଲେ ।

Comments are closed.