ଭାତରେ ମାରିବ ଭାରତ, ଚୀନ ସାମଗ୍ରୀ ବର୍ଜନ ନିଷ୍ପତ୍ତି

ସମାଜ ପୋର୍ଟାଲ ଡେସ୍କ: ଭାରତରେ ବିଭିନ୍ନ ସମୟରେ କ୍ଷମତାସୀନ ସରକାର ଚୀନରୁ ପୁଞ୍ଜିନିବେଶକୁ ସ୍ୱାଗତ କରିଛନ୍ତି। ଏପରିକି ଦେଶର ୫ଜି କ୍ଷେତ୍ରରେ ମଧ୍ୟ ଏହା ନିବେଶ କରିଛି। ଭାରତ-ଚୀନ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ୫୫ ବିଲିଅନ ଡଲାର ରହିଥିବାରୁ ତାହାକୁ ହ୍ରାସ କରିବା ସକାଶେ ସରକାର ପୁଞ୍ଜିନିବେଶ ଜରିଆରେ ଆଂଶିକ ହ୍ରାସ କରିବାକୁ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅବଶ୍ୟ ଏଫଡିଆଇ କ୍ଷେତ୍ରରେ କଟକଣା ଜାରି କରାଯିବା ପରେ ଭାରତର ଯାନବାହନ, ଔଷଧୀୟ, ବିମାନ ଚଳାଚଳ, ରିଅଲ ଇଷ୍ଟେଟ, ଫନ୍‍ଟେକ ଆଦି କ୍ଷେତ୍ର ପ୍ରଭାବିତ ହେବ। ତାହାର ସମାଧାନ ନିମନ୍ତେ ମଧ୍ୟ ଭାରତ ସରକାର ପଦକ୍ଷେପ ନେଉଛନ୍ତି। ୨୦୦୭ ମାର୍ଚ୍ଚରୁ ୨୦୧୯ ଡିସେମ୍ବର ମଧ୍ୟରେ ଚୀନ କମ୍ପାନୀଗୁଡ଼ିକ ଭାରତରେ ନିର୍ମାଣ ଠିକାକୁ ବାଦ୍‍ଦେଇ ପ୍ରାୟ ୧୪.୫ ବିଲିଅନ ଡଲାର ନିବେଶ କରିଛନ୍ତି। ଗତ ତିନିବର୍ଷ ମଧ୍ୟରେ ଚୀନ କମ୍ପାନୀଗୁଡିକ ପକ୍ଷରୁ ଭାରତରେ ପୁଞ୍ଜିନିବେଶ ପରିମାଣକୁ ଲକ୍ଷ୍ୟକଲେ ଜଣାଯିବ ଯେ, ୨୦୧୭ରେ ୨.୮ ବିଲିଅନ ଡଲାର, ୨୦୧୮ରେ ୩.୩ ବିଲିଅନ ଡଲାର ଏବଂ ୨୦୧୯ରେ ୩.୪ ବିଲିଅନ ଡଲାର ଭାରତରେ ନିବେଶ କରାଯାଇଛି। ଏଥିମଧ୍ୟରୁ ମୁଖ୍ୟଭାଗ ଶକ୍ତି, ପ୍ରଯୁକ୍ତି (ଦୂରସଂଚାର), ଉପଭୋକ୍ତା ସାମଗ୍ରୀ, ଧାତୁ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ନିବେଶ ହୋଇଛି।

ଡ୍ରାଗନ୍‌ର ନାଲିଆଖିକୁ ଡରିବନି ହିନ୍ଦ୍‌
କୋଭିଡ-୧୯ ସଂକ୍ରମଣ ଏବଂ ତଜ୍ଜନିତ ଗୁରୁତର ଅର୍ଥନୈତିକ ପ୍ରଭାବ ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ସବୁକ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ‘ଆତ୍ମନିର୍ଭର ଭାରତ’ ଯୋଜନା ଘୋଷଣା କରିବାପରେ ତାହା ଚୀନକୁ ଉତ୍‍କ୍ଷିପ୍ତ କରିଛି। କାରଣ ଚୀନରେ ଉତ୍ପାଦିତ ସାମଗ୍ରୀ ପାଇଁ ଭାରତ ସର୍ବବୃହତ ବଜାର ଭାବେ ଉଭା ହୋଇଛି। ତାହା ସହିତ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ବଜାର ଉପରେ ମଧ୍ୟ ଚୀନ ନିର୍ଭରଶୀଳ। କୋଭିଡ-୧୯ ଭୂତାଣୁ ବିଶ୍ୱବ୍ୟାପୀ ବ୍ୟାପିବାପରେ ଆମେରିକା ପ୍ରଶାସନ ଏବଂ କେତେକ ୟୁରୋପୀୟ ରାଷ୍ଟ୍ର ସେଥିପାଇଁ ଚୀନକୁ ଦାୟୀ କରିବା ସହିତ ଚୀନ ସହିତ ବାଣିଜ୍ୟ କ୍ଷେତ୍ରରେ ରକ୍ଷଣାତ୍ମକ ମନୋଭାବ ପୋଷଣ ଆରମ୍ଭ କରିଛନ୍ତି। ଅନୁରୂପ ଭାବେ ନିଜର ଉତ୍ପାଦକୁ ବିକ୍ରି କରି ପ୍ରତିବର୍ଷ ଭାରତରୁ ବିପୁଳ ଅର୍ଥ ଆୟକରି ଚୀନ ସେହି ଅର୍ଥରେ ନିଜ ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ କରିବାରେ ଲାଗିଛି। ଆମେରିକା ଭଳି ରାଷ୍ଟ୍ରର ସାମରିକ କ୍ଷମତା ଏବଂ ତାହାର ଭୌଗୋଳିକ ଅବସ୍ଥିତି ପରିପ୍ରେକ୍ଷୀରେ ଚୀନ ପ୍ରଶାସନ ଏହା ବିରୋଧରେ ତୁରନ୍ତ କୌଣସି ପଦକ୍ଷେପ ନେଇପାରୁନଥିବାବେଳେ ଏବେ ଭାରତ ତାହାର ଟାର୍ଗେଟ ପାଲଟିଛି। ଏହା ସିଧାସଳଖ ନିଜ ଉପରେ ପଡ଼ିବାକୁ ଥିବା ଅର୍ଥନୈତିକ ପ୍ରଭାବ ସମ୍ପର୍କରେ ଉଲ୍ଲେଖ ନକରି ସୀମା ବିବାଦ ଆଳରେ ଭାରତ ସହିତ ବିବାଦ ଆରମ୍ଭ କରିଛି।

ସ୍ମାର୍ଟଫୋନ ବଜାରରେ ଚୀନ ଅଂଶ ୪୨%
ଭାରତର ବିଶାଳ ଜନସଂଖ୍ୟା ପାଇଁ ଚୀନ ନିର୍ମିତ ସୁହାଇଲା ଭଳି ମୂଲ୍ୟର ସ୍ମାର୍ଟ ଫୋନ ସବୁଠାରୁ ବଡ଼ ବଜାର ଭାବେ ଉଭା ହୋଇଛି। ଭାରତର ସ୍ମାର୍ଟଫୋନ ବଜାରରେ ଚୀନ ନିର୍ମିତ ଫୋନ୍‍ର ଅଂଶ ପ୍ରାୟ ୪୨%ରୁ ଅଧିକ ରହିଛି। ଚୀନର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‍ଗୁଡ଼ିକ ମଧ୍ୟରେ ହୁୱେଇ, ଭିଭୋ, ସାଓମି, ରିଅଲ୍‍ମି, ଓପ୍ପୋ ଆଦି ଅନ୍ତର୍ଭୁକ୍ତ ଏବଂ ସେଗୁଡିକର ଅଂଶ ଭାରତ ବଜାରରେ ୨୦୧୯ ମଧ୍ୟଭାଗ ସୁଦ୍ଧା ୪୨% ଅତିକ୍ରମ କରିଥିଲା। ଏହାଦ୍ୱାରା ମାଇକ୍ରୋମାକ୍ସ, ଲାଭା ଏବଂ ଇଣ୍ଟେକ୍ସ ଭଳି ଭାରତୀୟ ବ୍ରାଣ୍ଡ୍‍ଗୁଡିକର ବଜାର ଅଂଶ ଏକଦା ୫୪% ରହିଥିବାବେଳେ ତାହା ଏବେ ମାତ୍ର ୧୦%ରେ ସୀମିତ ରହିଛନ୍ତି। ଚାଇନା ବ୍ରାଣ୍ଡ୍‍ଗୁଡିକର ମୁକାବିଲା କରିବାକୁ ହେଲେ ଭାରତର ଆଇଟି ଲିଡରମାନଙ୍କୁ ନୂଆ ଓୟାରଲେସ ଟେକ୍‍ନୋଲୋଜିର ବିକାଶ କରିବାକୁ ହେବ ଏବଂ ବଜାରର ଦ୍ରୁତ ପରିବର୍ତ୍ତନଶୀଳ ଟ୍ରେଣ୍ଡକୁ ବୁଝିବାକୁ ହେବ।

ଚାଇନା ସ୍ମାର୍ଟଫୋନ ବିକ୍ରି ହଠାତ୍‍ ବୃଦ୍ଧିର କାରଣ
ଚୀନ ନିର୍ମିତ ବ୍ରାଣ୍ଡ୍‍ଗୁଡିକ ତୁଳନାତ୍ମକ ଭାବେ କମ୍‍ ମୂଲ୍ୟରେ ମିଳୁଥିବାବେଳେ ସେମାନେ ରିଟେଲରଙ୍କୁ ଅଧିକ ଆର୍ଥିକ ଫାଇଦା ଏବଂ ପ୍ରୋତ୍ସାହନ ଦେଇଚାଲିଛନ୍ତି। ତାହା ସହିତ ଭାରତରେ ହଠାତ୍‍ କିଛିମାସ ମଧ୍ୟରେ ୩ଜିରୁ ୪ଜିକୁ ପ୍ରଯୁକ୍ତି କୌଶଳ ପରିବର୍ତ୍ତିତ ହୋଇଥିଲା ଏବଂ ରିଲାଏନ୍ସ ଜିଓ ଏହି ଦୃଶ୍ୟପଟ୍ଟକୁ ସଂପୂର୍ଣ୍ଣ ବଦଳାଇ ଦେଇଥିଲା। ଏହି କାରଣରୁ ମାଇକ୍ରୋମାକ୍ସ ଭଳି କମ୍ପାନୀର ବିପୁଳ ସଂଖ୍ୟାରେ ୩ଜି ଫୋନ୍‍ ତାହାର ସବୁସ୍ତରରେ ବିକ୍ରି ନ ହୋଇ ପଡ଼ିରହିଲା। ଦେଶର ନିର୍ମାତାମାନେ ଗ୍ରାହକଙ୍କର ବର୍ଦ୍ଧିତ ୪ଜି ଚାହିଦା ପୂରଣ କରିପାରିଲେ ନାହିଁ। ରିଲାଏନ୍ସ ଜିଓ ଗ୍ରାହକଙ୍କୁ ୪ଜି କନେକ୍ଟିଭିଟି ଏବଂ ଭଏସ ଓଭର ଏଲଟିଇ (ଭୋଲ୍‍ଟ) ପାଇଁ ବାଧ୍ୟକଲା। ସେହି ସମୟରେ ଚୀନ ଉତ୍ପାଦଗୁଡିକ ସେଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲା। ସେଥିପାଇଁ ଚୀନ ବ୍ରାଣ୍ଡ୍‍ଗୁଡିକ ଭାରତ ବଜାରକୁ ଦଖଲ କରିନେଲେ।

ଭାରତରେ ବିକ୍ରି ହେଉଛି ୩୦୦୦ରୁ ଅଧିକ ଚାଇନା ସାମଗ୍ରୀ
ଭାରତ ବଜାରରେ ଚୀନରେ ନିର୍ମିତ ପ୍ରାୟ ୩ହଜାରରୁ ଅଧିକ ସାମଗ୍ରୀ ବିକ୍ରି ହେଉଥିବା ଜଣାଯାଇଛି। ସେଥିମଧ୍ୟରେ ମୁଖ୍ୟଭାଗ ହେଉଛି ଆଣ୍ଡ୍ରଏଡ ମୋବାଇଲ ହ୍ୟାଣ୍ଡସେଟ। ତାହା ବ୍ୟତୀତ ଟେଲିଭିଜନ ପାନେଲ, ରାସାୟନିକ ପଦାର୍ଥ, ବିଭିନ୍ନ ଔଷଧର ଫର୍ମୁଲେସନ, ଫର୍ଣ୍ଣିଚର, ସାଇକଲଠାରୁ ଆରମ୍ଭ କରି ଖେଳନା, ହୋଲିରେ ଖେଳାଯାଉଥିବା ରଙ୍ଗ, ଆତସବାଜି ପର୍ୟ୍ୟନ୍ତ ବିଭିନ୍ନ ଉତ୍ପାଦ ରହିଛି। ଚୀନ ନିର୍ମିତ ସାମଗ୍ରୀଗୁଡିକ ଗୁଣାତ୍ମକ ମାନର ହୋଇନଥିଲେ ମଧ୍ୟ ତାହା ଦେଖିବାକୁ ମନଲୋଭା ଏବଂ କମ୍‍ମୂଲ୍ୟ ବିଶିଷ୍ଟ ହୋଇଥିବାରୁ ଭାରତର ବିଶାଳ ନିମ୍ନ ମଧ୍ୟବିତ୍ତ ଏବଂ ଆର୍ଥିକ ଅନଗ୍ରସର ବର୍ଗ ସେହିସବୁ ଉତ୍ପାଦ ବଜାରରୁ କିଣୁଛନ୍ତି। ଏହି କାରଣରୁ ଭାରତୀୟ ଉତ୍ପାଦନକାରୀମାନେ ବିପୁଳ କ୍ଷତି ସହୁଛନ୍ତି।

ଭାରତୀୟ ବ୍ୟବସାୟ ଓ ଉଦ୍ୟୋଗକୁ ସୁରକ୍ଷା
କରୋନା କାରଣରୁ ଭାରତର ଅନେକ ବ୍ୟବସାୟ ସଂସ୍ଥା ଏବଂ ଉଦ୍ୟୋଗ ଦେବାଳିଆ ହୋଇଯିବା ଏବଂ ସେହି ସୁଯୋଗରେ ବିଦେଶୀ କମ୍ପାନୀ, ବିଶେଷକରି ଚୀନ କମ୍ପାନୀଗୁଡ଼ିକ ଭାରତୀୟ କମ୍ପାନୀଗୁଡ଼ିକୁ ଅଧିଗ୍ରହଣ କରିନେବା ଆଶଙ୍କାରେ ଭାରତ ସରକାର ଦେଶର ସୀମାନ୍ତକୁ ଲାଗିଥିବା ରାଷ୍ଟ୍ରଗୁଡିକରୁ ଆସୁଥିବା ଏଫଡିଆଇକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସେହିସବୁ ରାଷ୍ଟ୍ରରୁ ଆଉ ଅଟୋମାଟିକ ରୁଟ୍‍ରେ ଏଫଡିଆଇ ଆସିପାରିବନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଥିଲେ। ବିଶେଷକରି ଚୀନ କମ୍ପାନୀଗୁଡିକ ଯେଭଳି ଶାଗମାଛ ଦରରେ ଭାରତୀୟ କମ୍ପାନୀ ଗୁଡ଼ିକୁ ଅଧିଗ୍ରହଣ ନ କରିବେ, ତାହା ମୂଳ ଉଦ୍ଦେଶ୍ୟ ଥିଲା। ଏଥିରେ ଆତଙ୍କିତ ହୋଇ ଚୀନର ପିପୁଲ୍‍ସ ବ୍ୟାଙ୍କ ଅଫ ଚାଇନା ଭାରତର ଏଚଡିଏଫସି ବ୍ୟାଙ୍କରେ ତାହାର ଅଂଶଧନ ୦.୮%ରୁ ୧%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା।

ଚୀନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇପାରେ ବୋଲି ଭାରତ ସରକାରଙ୍କ ଆଶଙ୍କା ଅମୂଳକ ନଥିଲା। କାରଣ ଭାରତ ସରକାର ଷ୍ଟାର୍ଟଅପ୍‍କୁ ପ୍ରୋତ୍ସାହନ ଦେବାପରେ ଦେଶର ଦୁଇ-ତୃତୀୟାଂଶ ଷ୍ଟାର୍ଟଅପ୍‍ରେ ଚୀନ କମ୍ପାନୀଗୁଡ଼ିକ ପ୍ରାୟ ୧ ବିଲିଅନ ଡଲାରୁ ଅଧିକ ନିବେଶ କରିଛନ୍ତି। ଆଲିବାବା (ପେଟିଏମ, ବିଗ୍‍ବାସ୍କେଟ, ଜୋମାଟୋ) ଏବଂ ଟେନ୍‍ସେଣ୍ଟ (ଓଲା, ଫ୍ଲିପକାର୍ଟ, ବାଇଜୁ) ଆଦିରେ ଚୀନ କମ୍ପାନୀଗୁଡ଼ିକ ସଂଖ୍ୟାଗରିଷ୍ଠ ଅଂଶ ଅଧିଗ୍ରହଣ କରିସାରିଛନ୍ତି। ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକର କୌଶଳାତ୍ମକ କ୍ଷେତ୍ରରେ ମଧ୍ୟ ଚୀନର ନିବେଶ ସେହିସବୁ ରାଷ୍ଟ୍ର ପାଇଁ ଚିନ୍ତାର କାରଣ ହୋଇଛି। ସେଥିପାଇଁ ଜର୍ମାନୀ, ଇଟାଲି, ସ୍ପେନ, ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ର ଏକ୍ଷେତ୍ରରେ ଅଙ୍କୁଶ ଲଗାଇବା ଆରମ୍ଭ କରିଛନ୍ତି। ଭାରତ ତାହାର ଏଫଡିଆଇ ନୀତି ପରିବର୍ତ୍ତନ କରିବା ଘଟଣା ଚୀନକୁ କ୍ଷୁବ୍ଧ କରିଛି।

ଏଫଡିଆଇ ଅପେକ୍ଷା ଚୀନରୁ ରପ୍ତାନି ଅଧିକ ବିପଜ୍ଜନକ
ଚୀନ ସରକାର ପୁଞ୍ଜିବାଦକୁ ପ୍ରୋତ୍ସାହିତ କରୁଥିବାବେଳେ ସେଠାକାର ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ଲୁଚାଛପାରେ ସବ୍‍ସିଡି ପ୍ରଦାନ କରୁଛନ୍ତି। ତେଣୁ ସେଗୁଡିକ ସହିତ ଭାରତୀୟ କମ୍ପାନୀ ପ୍ରତିଯୋଗିତା କରିବାଭଳି ପରିବେଶ ସୃଷ୍ଟି ହୋଇପାରୁନାହିଁ। ତେବେ ଚୀନ କମ୍ପାନୀଗୁଡ଼ିକ ପକ୍ଷରୁ ଭାରତରେ ପୁଞ୍ଜିନିବେଶ ଯେତିକି ଚିନ୍ତାଜନକ ନୁହେଁ, ଚୀନରୁ ହେଉଥିବା ବିପୁଳ ରପ୍ତାନି ଭାରତ ପାଇଁ ସବୁଠାରୁ ଅଧିକ ବିପଦ ସୃଷ୍ଟିକରିଛି। ଶସ୍ତାରେ ମିଳୁଥିବା ଚୀନ ସାମଗ୍ରୀ ଯୋଗୁଁ ଭାରତର ଅନେକ ଉଦ୍ୟୋଗ ଗୁରୁତର ଭାବରେ ପ୍ରଭାବିତ ହେଉଛି। ଭାରତ ସରକାରଙ୍କ ପକ୍ଷରୁ ଏଫଡିଆଇ ଉପରେ କଟକଣା ଲଗାଯିବାପରେ ଚୀନ ଚାଲାକି କରି ଭାରତକୁ ପ୍ଲାଷ୍ଟିକଠାରୁ ଇଲେକଟ୍ରୋନିକ୍ସ ପର୍ୟ୍ୟନ୍ତ ବିଭିନ୍ନ ସାମଗ୍ରୀ ବିପୁଳ ପରିମାଣରେ ରପ୍ତାନି କରିବାରେ ଲାଗିଛି। ୨୦୧୯ର ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଲକ୍ଷ୍ୟକଲେ ଏହା ଜଣାଯିବ। ସେହିବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ୯୨ ବିଲିଅନ ଡଲାର ରହିଥିବାବେଳେ ଭାରତ ୫୬ ବିଲିଅନ ଡଲାର ବାଣିଜ୍ୟ ନିଅଣ୍ଟ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା।

ଚୀନ୍‌ ସାମଗ୍ରୀର ବିଜ୍ଞାପନ କରନି
ସର୍ବଭାରତୀୟ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଚାଇନା ନିର୍ମିତ ଉତ୍ପାଦର ପ୍ରୋତ୍ସାହନ କାର୍ୟ୍ୟକ୍ରମ ବାତିଲ କରିବାକୁ ବଲିଉଡ୍‌ର ସେଲିବ୍ରିଟିମାନଙ୍କୁ ଅପିଲ୍‌ କରିଛି। ଏହାଦ୍ବାରା ଆମେ ଗଲୱାନ୍‌ ଘାଟି ଆକ୍ରମଣ ଘଟଣାରେ ପ୍ରାଣ ହରାଇଥିବା ଆମର ​ସୈନିକମାନଙ୍କୁ ଉତ୍ତମ ସମ୍ମାନ ଦେଇପାରିବା ବୋଲି ସଂଘ କହିଛି। ଏ ନେଇ ସଂଘ ସେଲିବ୍ରିଟିମାନଙ୍କୁ ଏକ ପତ୍ର ଲେଖିଛି। ବଲିଉଡ୍‌ ଅଭିନେତା ଅମିତାଭ୍‌ ବଚ୍ଚନ, ଅମୀର ଖାନ୍‌, ଦୀପିକା ପାଦୁକୋନ୍‌, କ୍ୟାଟ୍ରିନା କୈଫ୍‌, ଅକ୍ଷୟକୁମାର ଓ କ୍ରିକେଟର ବିରାଟ କୋହଲି, ସଚ୍ଚିନ୍‌ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କୁ ସଂଘ ପତ୍ରଲେଖି ଅପିଲ୍‌ କରିଛିା

ଚୀନରୁ ଆମଦାନୀ କମୁଛି
୨୦୧୯-୨୦ରେ ଭାରତ-ଚୀନ ବାଣିଜ୍ୟ କାରବାର ୭% କମିଛି। ସାତବର୍ଷରେ ଏହା ସର୍ବାଧିକ ହ୍ରାସ। ଦୁଇଦେଶର ବାଣିଜ୍ୟ କାରବାର ୨୦୧୮ ଜାନୁଆରୀରେ ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ୫.୮୬ ବିଲିଅନ ଡଲାର ଥିବାବେଳେ ଗତବର୍ଷ ମାର୍ଚ୍ଚରେ ତାହା ୧.୮୬ ବିଲିଅନ ଡଲାରକୁ ହ୍ରାସପାଇଛି। ଗତବର୍ଷ ଚୀନରୁ ଟେଲିଭିଜନ, ଫ୍ରିଜ୍‌, ଏସି, ୱାଶିଂ ମେସିନ ଏବଂ ମୋବାଇଲ ଫୋନ, ମିନେରାଲ ଫୁଏଲ, ମିନେରାଲ ଅଏଲ, ଔଷଧୀୟ ସାମଗ୍ରୀ ଏବଂ ରାସାୟନିକ ଉତ୍ପାଦ ଆଦିର ଆମଦାନୀ ହ୍ରାସ କାରଣରୁ ମୋଟ ଆମଦାନୀ ୧.୫ ବିଲିଅନ ଡଲାର କମିଛି।

ଚୀନ ସାମଗ୍ରୀ ବର୍ଜନ ନିଷ୍ପତ୍ତି
ଚୀନ ସୈନ୍ୟମାନେ ସୀମାନ୍ତରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣକରି ସେମାନଙ୍କୁ ଲହୁଲୁହାଣ କରିବା ଏବଂ ୨୦ଜଣ ଭାରତୀୟ ଯବାନ ପ୍ରାଣବଳି ଦେବାପରେ ଏବେ ଦେଶରେ ଚୀନକୁ ନେଇ ଦୃଢ଼ ନକରାତ୍ମକ ମନୋଭାବ ବଢ଼ିବାରେ ଲାଗିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଜନସାଧାରଣ ଚୀନ ନିର୍ମିତ ସାମଗ୍ରୀ ପୋଡ଼ିଥିବାବେଳେ ଦେଶର ପ୍ରମୁଖ ବ୍ୟବସାୟୀ ସଂଗଠନଗୁଡିକ ଚାଇନା ସାମଗ୍ରୀ ବିକ୍ରି ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ୨୦୧୨ ସୁଦ୍ଧା ପ୍ରାୟ ୧ଲକ୍ଷ କୋଟି ଟଙ୍କା ମୂଲ୍ୟର ଚୀନ ସାମଗ୍ରୀର କାରବାର ବନ୍ଦ କରିଦେବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ଦେଶରେ ପ୍ରାୟ ୭ କୋଟି ରିଟେଲର ଏବଂ ହୋଲ୍‍ସେଲରଙ୍କ ପ୍ରତିନିଧିତ୍ୱ କରୁଥିବା କନ୍‍ଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଚୀନ ସାମଗ୍ରୀ ସଂପୂର୍ଣ୍ଣ ବର୍ଜନ କରିବାକୁ ଆହ୍ୱାନ ଦେଇଛି। ସେଥିପାଇଁ ଏହା ପ୍ରାୟ ୩ ହଜାର ଚାଇନା ଉତ୍ପାଦର ତାଲିକା ମଧ୍ୟ ପ୍ରସ୍ତୁତ କରିଛି। ସେଥିମଧ୍ୟରେ ଏଫଏମସିଜି ଉତ୍ପାଦ, ଖେଳନା, ପୋଷାକ, ବିଲ୍‍ଡର ହାର୍ଡୱେର, ଜୋତା ଚପଲ, ରନ୍ଧନ ସାମଗ୍ରୀ, ଲଗେଜ, ହ୍ୟାଣ୍ଡବ୍ୟାଗ, ପ୍ରସାଧନ ସାମଗ୍ରୀ, ଉପହାର ସାମଗ୍ରୀ, ବୈଦ୍ୟୁତିକ ଏବଂ ଇଲେକେଟ୍ରୋନିକ୍ସ ଆଦି ଅନ୍ତର୍ଭୁକ୍ତ। ସେସବୁ ବଦଳରେ ଏହା ସ୍ୱଦେଶୀ ବିକଳ୍ପ ଖୋଜିବା ଆରମ୍ଭ କରିବ।

ଇତିମଧ୍ୟରେ ରାଷ୍ଟ୍ରାୟତ୍ତ ଦୂରସଂଚାର କମ୍ପାନୀ ବିଏସଏନଏଲ ପକ୍ଷରୁ ୫ଜି ନିମନ୍ତେ ହୋଇଥିବା ଟେଣ୍ଡରକୁ ବାତିଲ କରାଯାଇ ସାନି ଟେଣ୍ଡର କରାଯିବାକୁ ପଦକ୍ଷେପ ନିଆଯାଉଛି। ଚୀନ କମ୍ପାନୀଗୁଡ଼ିକ ସେଥିରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଛି। ଏସବୁ ସହିତ ଚୀନର ପ୍ରାୟ ୧୦୦ ଉତ୍ପାଦ ଉପରେ ଭାରତ ସରକାର ଆଣ୍ଟି ଡମ୍ପିଙ୍ଗ ଡ୍ୟୁଟି ଲାଗୁ କରିଛନ୍ତି। ଏହାଦ୍ୱାରା ସେହିସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧିପାଇବ ଏବଂ ସେହି ଧରଣର ଭାରତୀୟ ଉତ୍ପାଦ ଗୁଡ଼ିକ ଚାଇନା ଉତ୍ପାଦ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ପ୍ରକାରାନ୍ତରେ ଏହା ଭାରତୀୟ ଉଦ୍ୟୋଗୀଙ୍କ ପାଇଁ ଲାଭଜନକ ହେବ। ଆଗାମୀ ଦିନରେ ଭାରତ ସରକାର ଆଉ ଅଧିକ ଚାଇନା ସାମଗ୍ରୀ ଉପରେ ମଧ୍ୟ ଏହିଭଳି କଟକଣା ଲାଗୁ କରିବା ସମ୍ଭାବନା ଅଛି। ତେବେ ଏହା ରାତାରାତି ସମ୍ଭବ ହେବନାହିଁ। ସେଥିପାଇଁ ଭାରତ ସରକାର ଏବଂ ପ୍ରତ୍ୟେକ ନାଗରିକଙ୍କୁ ଦୃଢ଼ପ୍ରତିଜ୍ଞ ହୋଇ ଆଗେଇନେବାକୁ ହେବ।

Comments are closed.