ମାଛ ବିକି ପରିବାର ପୋଷୁଛି ନାବାଳକ

ଖଡିଆଳ : ରାଜୀବ ବେହେରା ବୟସ ୧୪ ବର୍ଷ, ଏ ବର୍ଷ ମାଟ୍ରିକ ପଢିବ। ମହାମାରୀ କରୋନା ପାଇଁ ପାଠ ପଢା ବନ୍ଦ ରହିଥିବା ବେଳେ ମାଆ ଓ ଛୋଟ ଭଉଣୀ ପାଟିରେ ଖାଦ୍ୟ ମୁଠାଏ ଦେବା ପାଇଁ ଗାଁ ଗାଁ ବୁଲି ମାଛ ବିକୁଛି। ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ବ୍ଲକର ଶ୍ରୀରାମ ଗ୍ରାମର ବିଜୟ ବେହେରାଙ୍କୁ ପୁଅ ହେଉଛି ରାଜୀବ। ତାର ବାପା ପ୍ରଥମ ସ୍ତ୍ରୀଙ୍କୁ ଛାଡିବା ପରେ ରାଜୀବର ମାଆ ରଙ୍ଗଲତାଙ୍କୁ ବିବାହ କରିଥିଲେ। ପରେ ରଙ୍ଗଲତାକୁ ଛାଡି ଆଉ ଜଣକୁ ବିବାହ କରିଥିବା ବେଳେ ରଙ୍ଗଲତା, ରାଜୀବ ଏବଂ ଝିଅ ପୁଷ୍ପାଞ୍ଜଳୀ(୧୨)ଙ୍କୁ ଧରି ବାପ ଘର ନୂଆପଡା ଜିଲାର ଖଡିଆଳ ବ୍ଲକ ଅନ୍ତର୍ଗତ ଦୋହେଲପଡା ଗ୍ରାମରେ ରହୁଛନ୍ତି। ରଙ୍ଗଲତା ଦୋହେଲପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ କାର୍ଯ୍ୟ ପାଇଁ ନିଯୁକ୍ତି ପାଇଥିବା ବେଳେ କରୋନା ପାଇଁ ସ୍କୁଲ ବନ୍ଦ ଥିବାରୁ ଚଳିବା କଷ୍ଟକର ହୋଇପଡୁଛି, ଫଳରେ ମାଁ ଓ ଭଉଣୀଙ୍କୁ ଦୁଇମୁଠା ଖାଦ୍ୟ ଦେବା ପାଇଁ ରାଜୀବ ଗାଁ ଗାଁ ବୁଲି ମାଛ ବିକୁଛନ୍ତି। ପ୍ରଶାସନ ଉକ୍ତ ପରିବାରଙ୍କୁ ସହଯୋଗର ହାତ ବଢାଇବାକୁ ଜନସାଧାରଣରେ ଦାବୀ ହେଉଛି।

Comments are closed.